ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ  ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ ନାରାୟଣପାଟଣା ଓ ଏହାର ଆଖପାଖ ଅଞ୍ଚଳର ଜମିରେ ଏବେ ମୁଖ୍ୟ ଅର୍ଥକାରୀ ଫସଲ ପାଲଟିଛି ଲେମନ ଘାସ।

ଯେଉଁ ମାଟିରେ ଦିନେ କେବଳ କପା, ମାଣ୍ଡିଆ, ଧୂଆଁପତ୍ର ହେଉଥିଲା ସେଇ ମାଟି ଆଜି ଲେମନ ଘାସରେ ପରିପୂର୍ଣ୍ଣ। ଯେଉଁ ମାଟି କେବଳ ପେଟ ପୂରାଉଥିଲା ସେଇ ମାଟି ଆଜି ବନ୍ଧୁଗାଁବାସୀଙ୍କୁ ରୋଜଗାରର ବାଟ ଦେଖାଇଛି। କୋରାପୁଟ ବନ୍ଧୁଗାଁ ବ୍ଲକ୍‌ ନାରାୟଣପାଟଣା ଓ ଏହାର ଆଖପାଖ ଅଞ୍ଚଳର ଜମିରେ ଏବେ ମୁଖ୍ୟ ଅର୍ଥକାରୀ ଫସଲ ପାଲଟିଛି ଲେମନ ଘାସ। ଲେମନ୍‌ ଘାସରୁ ତେଲ ବାହାର କରି ବନ୍ଧୁଗାଁବାସୀ ରୋଜଗାରକ୍ଷମ ହୋଇପାରିଛନ୍ତି।

ଅନେକ ସ୍ଥାନରେ ଲେମନ ଘାସ ଚାଷ କରାଗଲାଣି, କିନ୍ତୁ ବନ୍ଧୁଗାଁରେ ଚାଷ ହେଉଥିବା ଲେମନ ଘାସର ଏତେ ଚାହିଦା ଯେ ବେଙ୍ଗାଳୁରୁ, ଚେନ୍ନାଇ, ହାଇଦ୍ରାବାଦରୁ ବିଭିନ୍ନ କମ୍ପାନି ଲେମନ ଘାସ ତେଲ (ଧନ୍ୱନ୍ତରୀ ତୈଳ) କିଣି ନେଉଛନ୍ତି। ଏବେ ‘ବନ୍ଧୁଗାଁ ଲେମନ ଘାସ ତେଲ ଉତ୍ପାଦକ ଗୋଷ୍ଠୀ’ ସ୍ୱାବଲମ୍ବୀ ହେବା ଲାଗି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ବନ୍ଧୁଗାଁରେ ହେଉଥିବା ଲେମନ ଘାସ ଗୁଣାତ୍ମକ ଦୃଷ୍ଟିରୁ ୭୩ ଗେଜ୍‌ ବିଶିଷ୍ଟ ହୋଇଥିବାରୁ ଏହି ମାଟିକୁ ବିନିଯୋଗ କରି ରୋଜଗାରକ୍ଷମ ହେବାକୁ ପରିକଳ୍ପନା କରିଥିଲା ଏହି ଉତ୍ପାଦକ ଗୋଷ୍ଠୀ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଓଡ଼ିଶା ଜୀବିକା ମିଶନ ଅଧିନରେ ଥିବା ଓର୍‌ମାସ୍ ପକ୍ଷରୁ  ଭୁବନେଶ୍ୱରରେ ଚାଲିଥିବା ‘ଶିଶିର ସରସ’ ମେଳାରେ ଏହି ଉତ୍ପାଦକ ଗୋଷ୍ଠୀ ଏକ ଷ୍ଟଲ ଖୋଲିଛନ୍ତି।

୧୦୧ ନମ୍ବର ଷ୍ଟଲ୍‌ରେ ଗୋଷ୍ଠୀର କିଛି ସଦସ୍ୟଙ୍କୁ ଭେଟିଥିଲେ ଆମ ପ୍ରତିନିଧି। ଆତ୍ମନିର୍ଭରଶୀଳ ହେବାର ପ୍ରେରଣାଦାୟୀ କାହାଣୀ ସେମାନେ କହିଥିଲେ।

କେମିତି ଜୁଟିଲା ବୁଦ୍ଧି?

ଗୁଣ ଚିହ୍ନେ ଗୁଣିଆ ଭଳି ଆନ୍ଧ୍ରର ରେଡ୍ଡୀ ନାମକ ଜଣେ ବ୍ୟକ୍ତି ବନ୍ଧୁଗାଁ ଅଞ୍ଚଳରେ କିଛି ବ୍ୟକ୍ତିଙ୍କଠାରୁ ଜମି ଲିଜ୍‌ ସୂତ୍ରରେ ନେଲେ। ପାଖାପାଖି ୨୦ ଏକର ଜମି ଲିଜ୍‌ ନେବା ପରେ ସେଠାରେ ଏହି ଲେମନ ଘାସ ଚାଷ ଆରମ୍ଭ କରିଦେଲେ। ନିକଟରେ ଏକ ବଏଲିଂ ପଏଣ୍ଟ ଖୋଲି ସେଇଠାରୁ ଘାସରୁ ତେଲ ସଂଗ୍ରହ କରି ବାହାରକୁ ତେଲ ରପ୍ତାନୀ କଲେ। ତାଙ୍କର ଭଲ ରୋଜଗାର ଦେଖି ସ୍ଥାନୀୟ ଲୋକେ ବି ନିଜ ଜମିରେ ଲେମନ ଘାସ ଚାଷ କରିବାକୁ ଉଦ୍ୟମ କଲେ। ସେଇଠୁ ଉତ୍ପାଦକ ଗୋଷ୍ଠୀର ପରିକଳ୍ପନା ଆରମ୍ଭ ହେଲା। କିଛି ମହିଳା ମିଶି ଏହି ଧାରାକୁ ଆପଣାଇବାକୁ ଆଗେଇ ଆସିଲେ। ସେତେବେଳେ ଏହି ଗୋଷ୍ଠୀକୁ ନେତୃତ୍ୱ ଦେବାକୁ ଆଗେଇ ଆସିଥିଲେ ଆଦିବାସୀ ମହିଳା କାଡ୍‌ରକା ନୁକି। ପରେ ସେ ଗୋଷ୍ଠୀର ସଭାନେତ୍ରୀ ସାଜିଲେ।

ରେଡ୍ଡୀଙ୍କଠାରୁ ଶିଖିଗଲେ ତେଲ ପ୍ରସ୍ତୁତି

ଉତ୍ପାଦକ ଗୋଷ୍ଠୀ ସିନା ଗଠନ କରିଦେଲେ ଚାଷ କରିବେ କେଉଁଠି? ଶେଷରେ ନିଷ୍ପତ୍ତି କଲେ, ସମସ୍ତେ ନିଜ ନିଜ ଜମିରେ ଏହି ଚାଷ କରିବେ। ଲେମନ ଘାସ ଅମଳ ହେବା ପରେ ତାହାକୁ ଗୋଟେ ସ୍ଥାନକୁ ଆଣି ବଏଲିଙ୍ଗ୍‌ ପଏଣ୍ଟରେ ତେଲ ପ୍ରସ୍ତୁତି କରାଯିବ। ସରକାରଙ୍କ ସୂତ୍ରରୁ ଋଣ କରି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ରୁ ୭ ଲକ୍ଷ ଟଙ୍କା ବିନିମୟରେ ଏକ ତେଲ ପ୍ରସ୍ତୁତି ମେସିନ୍‌ କିଣିଲେ। ପରେ ତେଲ ପ୍ରସ୍ତୁତି ଆରମ୍ଭ ହେଇଗଲା। ପୂର୍ବରୁ କିଛି କିଛି ଜ୍ଞାନ ଆହରଣ କରିଥିବାରୁ ତେଲ ପ୍ରସ୍ତୁତିରେ କୌଣସି ଅସୁବିଧା ହେଲା ନାହିଁ।

ମାସକୁ ୬ହଜାର ଆୟ

ଆଗରୁ ଯେଉଁ ଗୋଟେ ଏକର ଜମିରେ ମାଣ୍ଡିଆ ଫସଲ କରି ସେମାନେ ବର୍ଷକୁ ୬ ହଜାର ଆୟ କରୁଥିଲେ, ସେଇ ଜମିରେ ଲେମନ ଘାସ ଚାଷ କରି ସେଇ ମହିଳାଙ୍କ ପରିବାର ବର୍ଷକୁ ୨୪ ହଜାର ଟଙ୍କା ଆୟ କଲେ।

ଉତ୍ପାଦକ ଗୋଷ୍ଠୀର ସଭାନେତ୍ରୀ କାଡରକା ନୁକି କହିଛନ୍ତି, ‘‘ମୋଟ ୩୦ଜଣ ଗୋଷ୍ଠୀରେ କାମ କରୁଥିବା ବେଳେ ପ୍ରତ୍ୟେକ ପାଖାପାଖି ୫ରୁ ୬ହଜାର ଟଙ୍କା ଆୟ କରିପାରୁଛନ୍ତି।’’

ଗୋଷ୍ଠୀର ପୁରୁଷ ସଦସ୍ୟ ଗୋବିନ୍ଦ ମାଣ୍ଡିଙ୍ଗି କହିଛନ୍ତି, ‘‘ମୋ ପରିବାର ଏବେ ଲେମନ ଘାସ ଚାଷ ସହ ଜଡ଼ିତ ହୋଇଛନ୍ତି। ମାସକୁ ୨୦ ହଜାର ଟଙ୍କାରୁ ଅଧିକ ରୋଜଗାର ହେଉଛି। ସବୁଠୁ ବଡ଼ କଥା ହେଉଛି ଅନ୍ୟ କାମ ବ୍ୟତୀତ ଆମେ ଏହି କାମରୁ କିଛି କିଛି ରୋଜଗାର ପାଇପାରୁଛୁ।’’

ଦୂର ହେଇଛି ଅଭାବୀ ବିକ୍ରି ସମସ୍ୟା, ଥରେ ଲଗାଇଲେ ବର୍ଷ ଆୟ

ଲେମନ ଘାସ ଚାଷ କରିବା ପଛରେ ତାହା ତାଙ୍କୁ କେବଳ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ଦେଇନାହିଁ, ବରଂ ଅଭାବୀ ବିକ୍ରି ଭଳି ସମସ୍ୟାରୁ ମୁକୁଳିବାର ବାଟ ବତାଇଛି। ଧାନ, କପା, ମାଣ୍ଡିଆ, ଧୂଆଁପତ୍ରର ଅଭାବୀ ବିକ୍ରି ଭଳି ସମସ୍ୟାକୁ ବାରମ୍ବାର ସାମ୍ନା କରିବାକୁ ପଡୁଥିଲା। ମାତ୍ର ଲେମନ ଘାସ ଚାଷ କରିବା ପରଠୁ କେବେ ହତାଶ ହେଇନାହାନ୍ତି ଏହି ଗୋଷ୍ଠୀ। ଏହାକୁ ଥରେ ଲଗାଇଲେ ୫ ବର୍ଷ ପର୍ଯ୍ୟନ୍ତ ଆୟ ହୋଇ ପାରୁଛି। ପ୍ରତି ଅଢ଼େଇ ମାସରେ ଥରେ ଅମଳ ହେଉଥିବାରୁ ବର୍ଷକୁ ୪ ଥର ଭଲ ଆୟ କରିପାରୁଛନ୍ତି ଏହି ଉତ୍ପାଦକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ।

ଗୋଷ୍ଠୀ ହେବା ପରେ ମିଳିଲା ବିସ୍ତୃତ ବଜାର

ବାସ୍ତବରେ ତେଲ ସିନା ପ୍ରସ୍ତୁତ ହୋଇଯିବ, କିନ୍ତୁ ଏହାକୁ ବିକ୍ରି କେମିତି କରାଯିବ? ଆଦିବାସୀ ମହିଳାମାନେ ଯେମିତି ଠକାମୀର ଶିକାର ହୁଅନ୍ତି, ସେଥିପାଇଁ ଗୋଷ୍ଠୀକୁ ସହାୟତା କରିବାକୁ ଆଗେଇ ଆସିଥିଲା ସ୍ୱେଚ୍ଛାସେବୀ ସଂଗଠନ ନବ ନିର୍ମାଣ ସମିତି। ନାବାର୍ଡ ସମସ୍ତ ସହଯୋଗ ଯୋଗାଇ ଦେଇଥିବା ବେଳେ ଓର୍‌ମାସ ବି ବିକ୍ରିବଟା ପାଇଁ ସୁଯୋଗ ସୃଷ୍ଟି କଲା। ବାଲିଯାତ୍ରା, କୋରାପୁଟର ପରବରେ ଏହି ଉତ୍ପାଦକୁ ପାଇବା ପାଇଁ ଲୋକଙ୍କ ମଧ୍ୟ ବେଶ୍‌ ଆଗ୍ରହ ପରିଲକ୍ଷିତ ହେଲା।

ଚଳିତ ବର୍ଷ ଆୟୋଜିତ ଶିଶିର ସରସ ମେଳାରେ ମଧ୍ୟ ଏହି ଗୋଷ୍ଠୀ ବିପୁଳ ସଫଳତା ହାସଲ କରିଛି। କେବଳ ବିଭିନ୍ନ ପ୍ରଦର୍ଶନୀ ନୁହେଁ, ଏହାକୁ ଗୋଷ୍ଠୀ ପକ୍ଷରୁ ବେଙ୍ଗାଳୁରୁ, ଚେନ୍ନାଇ, ହାଇଦ୍ରାବାଦକୁ ମଧ୍ୟ ଏହି ଲେମନ ଘାସ ତେଲ ଯୋଗାଇ ଦିଆଯାଉଛି।

୧୨୮ ପ୍ରକାର ଔଷଧରେ ବ୍ୟବହୃତ ହୁଏ ଏହି ଘାସ

ଲେମନ ଘାସ ହେଉଛି ଏକ ଔଷଧୀୟ ଘାସ। ଏହା ମୁଖ୍ୟତଃ ନେପାଳ, ମିଆଁମାର, ଭୂଟାନରେ ବେଶି ଉତ୍ପାଦନ ହୁଏ। ୧୨୮ ପ୍ରକାରର ଔଷଧ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଉଥିବାରୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଏହାର ବେଶ୍‌ ଚାହିଦା। ବିଭିନ୍ନ ଔଷଧ କମ୍ପାନି ମଧ୍ୟସ୍ଥି ବେପାରିଙ୍କ ଜରିଆରେ ଏହି ତେଲ କ୍ରୟ କରି ନିଅନ୍ତି। ଗୋଟେ ଲିଟର ପିଛା ଏହି ତେଲ ୧୬ଶହ ଟଙ୍କାରେ ବିକ୍ରି ହୁଏ। ଗୋଟେ ଏକର ଜମିରୁ ବର୍ଷକୁ ଯେତିକି ଘାସ ଉତ୍ପାଦନ ହୁଏ ସେଥିରୁ ପ୍ରାୟ ୧୪ରୁ ୧୭ ଲିଟର ଲେମନ ଘାସ ତେଲ ପ୍ରସ୍ତୁତ ହୁଏ ବୋଲି ଗୋବିନ୍ଦ ମାଣ୍ଡିଙ୍ଗି କହିଛନ୍ତି।

ସାଧାରଣ ଲୋକେ ପାଇଁ କିଣନ୍ତି?

ପ୍ରଦର୍ଶନୀମାନଙ୍କରେ ବିକ୍ରି ହେଉଥିବା ଏହି ତେଲ କିଣିବା ପାଇଁ ବି ବେଶ୍‌ ଆଗ୍ରହ ପରିଲକ୍ଷିତ ହୁଏ। ଏହି ତେଲକୁ ସାଧାରଣରେ ଘରେ ରୁମ୍‌ ଫ୍ରେସ୍‌ନର ଭାବେ ମଧ୍ୟ ବ୍ୟବହୃତ କରିହୁଏ। ଯଦି ଗୋଟେରୁ ଦେଢ଼ ଲିଟର ପାଣିରେ ୨ରୁ ୩ ବୁନ୍ଦା ଲେମନ ଘାସ ତେଲ ମିଶାଇ ଘର ପୋଛା କରାଯାଏ ଏବଂ ପୋଛା କପଡ଼ାକୁ ଏକ କୋଣରେ ରଖିଦିଆଯାଏ ତେବେ ଘରେ ରୁମ୍‌ ଫ୍ରେସ୍‌ନରର ଆବଶ୍ୟକତା ପଡ଼େ ନାହିଁ। ସବୁଠୁ ବଡ଼ କଥା ହେଉଛି, ମଶା ମାଛିଙ୍କ ପ୍ରାଦୁର୍ଭାବ ମଧ୍ୟ କମିଯାଏ। ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହାର ବାସ୍ନା ଅନୁଭବ କରିହୁଏ। ତେଣୁ ‌ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ଏହାକୁ ବିକ୍ରି ପାଇଁ ମାର୍କେଟ୍‌ରେ ଉପଲବ୍ଧ କରାଯାଏ। ପ୍ରଦର୍ଶନୀରେ ବିକ୍ରିବଟା ଦ୍ବାରା ଉତ୍ପାଦକ ଗୋଷ୍ଠୀ ଅଧିକ ଲାଭବାନ ହୋଇପାରନ୍ତି ବୋଲି କାଡରକା ନୁକି କହିଛନ୍ତି।

LEAVE A REPLY

Please enter your comment!
Please enter your name here