ଓଡ଼ିଶାଲାଇଭ୍ ବ୍ୟୁରୋ
- ସେପ୍ଟେମ୍ବର ୩୦ ଭିତରେ ୟୁ.ଜି. ଏବଂ ପି.ଜି. ଶେଷ ବର୍ଷ ଫାଇନାଲ ପରୀକ୍ଷା
- ଅକ୍ଟୋବର ୩୧ ସୁଦ୍ଧା ପ୍ରକାଶ ପାଇବ ଫଳ
- ଯେକୌଣସି ଅନୁମୋଦିତ ପଦ୍ଧତିରେ ପରୀକ୍ଷା ହୋଇପାରିବ
- ଫାଇନାଲ ପରୀକ୍ଷା ଦେଇନଥିବା ପିଲା ଡିସେମ୍ବର ୨୦୨୦ରେ ସ୍ୱତନ୍ତ୍ର ପରୀକ୍ଷା ଦେଇପାରିବେ
- ବ୍ୟାକ୍ ପେପର ପରୀକ୍ଷା ଫଳ ମଧ୍ୟ ଅକ୍ଟୋବର ୩୧ ସୁଦ୍ଧା ପ୍ରକାଶ ପାଇବ
ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍ ଶେଷ ବର୍ଷ ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାରର ଫାଇନାଲ ପରୀକ୍ଷା ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏଥିସହ ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବ। ଆଜି ଭିଡ଼ିଓ କନ୍ଫେର୍ନ୍ସ ମାଧ୍ୟମରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ୟୁ.ଜି.ସି. ମାର୍ଗଦର୍ଶିକା ଅନୁଯାୟୀ ଏହି ସମସ୍ତ ପରୀକ୍ଷା ଅଫଲାଇନ୍, ଅନ୍ଲାଇନ୍, ବ୍ଲେଣ୍ଡେଡ୍ (ଅନ୍ଲାଇନ୍ +ଅଫଲାଇନ୍) ମଲ୍ଟିପଲ୍ ଚଏସ୍, ଓପନ୍ ବୁକ୍ ଏବଂ ଓ.ଏମ୍.ଆର୍ ଆଦି ଯେକୌଣସି ଅନୁମୋଦିତ ପଦ୍ଧତିରେ କରାଯାଇପାରିବ। ସଂପୃକ୍ତ ବିଶ୍ୱ ବିଦ୍ୟାଳୟ ଓ ସ୍ୱଂୟଶାସିତ ମହାବିଦ୍ୟାଳୟଗୁଡ଼ିକ ଉପଯୁକ୍ତ ପରୀକ୍ଷା ପଦ୍ଧତି ବିଷୟରେ ସ୍ଥିର କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ଫାଇନାଲ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ, ସେମାନଙ୍କ ପାଇଁ କୋଭିଡ୍-୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ କିମ୍ବା ସଂୟଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥା କରାଯିବ। ପେନ୍ ଏବଂ ପେପର ମୋଡରେ ଡିସେମ୍ବର ୨୦୨୦ରେ ଏହି ପରୀକ୍ଷା କରାଯିବ।
ଏଥିସହିତ ଫାଇନାଲ୍ ସେମିଷ୍ଟାର ବା ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ବ୍ୟାକ୍ ପେପର ପରୀକ୍ଷା କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ଉଚ୍ଚଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଭିଡିଓ କନ୍ଫେର୍ନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।