ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀରେ ନିର୍ମାଣ ହେବ ନଦୀ ଭିତ୍ତିକ ବନ୍ଦର। ରବିବାର ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ୫-ଟି ସଚିବ ଭି କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ।ସେଠାରେ ସେମାନେ ଏହି ବନ୍ଦର ଅଞ୍ଚଳକୁ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ସହ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଏହାର ଉନ୍ନତିକରଣ କାମକୁ ବୁଲି ଦେଖିଛନ୍ତି। ପାରାଦୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ମହାନଦୀ ବନ୍ଦରର ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ସହମତି ପ୍ରକାଶ କରିଛି। ଯାହାର ଏମଓୟୁ ସ୍ଵାକ୍ଷର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଆଖଡାଶାଳି ଗ୍ରାମ ଅଞ୍ଚଳରେ ହେବାକୁ ଯାଉଥିବା ଏହି ବନ୍ଦର ସବୁଦିନିଆ ବହୁମୁଖୀ ସେବା ଯୋଗାଇବ। ବାର୍ଷିକ ୫୪ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଏହି ବନ୍ଦର ୪,୦୬୨ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଯାଉଛି; ଯାହାର ୨୨ ମେଟ୍ରିକ୍ ଟନ୍ କ୍ଷମତା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ।ଏନେଇ ସହାୟକ ଭିତ୍ତିଭୂମି ଯେପରିକି ରାସ୍ତାଘାଟ, ରେଳ ଯୋଗାଯୋଗ ଆଦି ବିକାଶ ଦାୟିତ୍ୱ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୩୦୦ ହେକ୍ଟର ଜମି ଚିହ୍ନଟ କରିଛନ୍ତି।  ଏଥିସହ ପ୍ରକଳ୍ପ ପାଇଁ ଆବଶ୍ୟକ ସ୍ଥଳେ ଅତିରିକ୍ତ ଜମି ଯୋଗାଇ ଦେବେ ବୋଲି ରାଜ୍ୟ ସରକାର କହିଛନ୍ତି।

୨୦୧୮ ମସିହାରେ ରାଜ୍ୟ ସରକାର ମହାନଦୀ ବନ୍ଦର ସ୍ଥାପନ ନେଇ ନିଷ୍ପତ୍ତି ନେଇଥିଲେ। ନିଲାମଧାରୀଙ୍କ ଆଗ୍ରହ ଅଭାବରୁ କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନଥିଲା। ପରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଏହି ପ୍ରକଳ୍ପରେ ଆଗ୍ରହ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ଵାକ୍ଷର ପାଇଁ ପ୍ରସ୍ତାବ ଦେଇଥିଲା।ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଥମ ପର୍ଯ୍ୟାୟରେ ୪୦୦୦ ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୭୦୦ ନିଯୁକ୍ତି ସୃଷ୍ଟି କରିବ। ଏହି ନଦୀ ବନ୍ଦର ସହ ରାଜ୍ୟ ସରକାରଙ୍କ ସହଯୋଗରେ ନିର୍ମିତ ହରିଦାସପୁର-ପାରାଦୀପ ରେଳ ଲାଇନ କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରଗତିରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

LEAVE A REPLY

Please enter your comment!
Please enter your name here