ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଚକାଜାମ ଆନ୍ଦୋଳନ ପରେ ଆସନ୍ତା ୧୮ରେ ରେଳରୋକ।
କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ଅଢ଼େଇ ମାସ ବିତିଲାଣି। ଏହାରିମଧ୍ୟରେ ଚାଷୀ କେତେବେଳେ ଟ୍ରାକ୍ଟର ରାଲି କରି ତ ଆଉ କେତେବେଳେ ଚକାଜାମ୍ କରି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲା ବେଳେ ଏବେ ପୁଣି ଥରେ ରେଳରୋକ କରିବାକୁ ଚାଷୀମାନେ ଆହ୍ୱାନ ଦେଇଛନ୍ତି। କୃଷି ଆଇନକୁ ବିରୋଧ କରି ଆସନ୍ତା ୧୮ରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ୪ଘଣ୍ଟିଆ ରେଳରୋକ କରାଯିବ ବୋଲି ଘୋଷଣା ହୋଇଛି।
ସେହିଦିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ରେଳ ସେବା ବନ୍ଦ ରହିବ। ଏଥିସହ ୧୨ ତାରିଖ ଦିନ ରାଜସ୍ଥାନରେ ଟୋଲ ଆଦାୟ କରିବାକୁ ଦିଆଯିବ ନାହିଁ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହାପୂର୍ବରୁ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ୬ତାରିଖରେ ଦେଶବ୍ୟାପୀ ତିନି ଘଣ୍ଟିଆ ଚକାଜାମ ଆନ୍ଦୋଳନ କରାଯାଇଥିଲା। ଦେଶବ୍ୟାପୀ ଏହାକୁ ସମର୍ଥନ ମିଳିଥିଲା। ଚାକଜାମ ଆନ୍ଦୋଳନ କରି ଚାଷୀ ନିଜର ବଳ ଦେଖାଇଥିଲେ।