ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଉଛି। ଦୈନିକ ରେକର୍ଡ ସଂଖ୍ୟକ ସଂକ୍ରମଣ ଚିହ୍ନଟ ଯୋଗୁଁ ଦିଲ୍ଲୀରେ ୬ ଦିନିଆ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସୋମବାର ରାତି ୧୦ଟାରୁ ଏପ୍ରିଲ ୨୬ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଳବତ୍ତର ରହିବ।

ରିପୋର୍ଟ ଅନୁସାରେ ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ୨୫ହଜାର ୪୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ୧୬୧ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଶନିବାର ୨୪ହଜାର ୩୭୫ ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ୧୬୭ଜଣଙ୍କ ମୃତ୍ୟୁ ହୋଇଥିଲା। ଏଯାବତ୍ ସମୁଦାୟ ୮ଲକ୍ଷ ୫୩ହଜାର ୪୬୦ଜଣ କରୋନା ପଜିଟିଭ୍ ଦିଲ୍ଲୀରୁ ଚିହ୍ନଟ ହୋଇଥିବା ସୂଚନା ରହିଛି। ପ୍ରତିଦିନ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ଓ ମୃତ୍ୟୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର।

ଲକ୍‌ଡାଉନ୍ ସମୟରେ ଜରୁରୀ ସେବାକୁ ଛାଡ଼ି, ବାକି ସବୁ ବନ୍ଦ ରହିବ। ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଲକ୍‌ଡାଉନ୍ ସମୟରେ ନିଜର ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ। କରୋନା କଟକଣାକୁ ପୂର୍ବ ଅପେକ୍ଷା ଅଧିକ କଡ଼ାକଡ଼ି ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେଜ୍ରିଓ୍ୱାଲ ଆଉ ମଧ୍ୟ କହିଛନ୍ତି, “ଏବେ ଦୈନିକ ୨୫ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାଠାରୁ ଅଧିକ ହେଲେ ସ୍ଥିତି ଆହୁରି ଖରାପ ହୋଇପାରେ। ଆଇସିୟୁ ବେଡ୍ ଓ ଅକ୍ସିଜେନ୍‌ର ଅଭାବ ମଧ୍ୟ ଦେଖା ଦେଲାଣି। ଏସବୁକୁ ଲକ୍ଷ୍ୟ କରି ଏଭଳି କଡ଼ା ପଦକ୍ଷେପ ନେବାକୁ ପଡ଼ୁଛି। ଦିଲ୍ଲୀବାସୀ ଏହାକୁ ସହଯୋଗ କରନ୍ତୁ।”

ଅନ୍ୟପକ୍ଷରେ ଦିଲ୍ଲୀରେ କାମ କରୁଥିବା ଶ୍ରମିକମାନଙ୍କୁ ଲକ୍‌ଡାଉନ୍ ସମୟରେ ଦିଲ୍ଲୀ ଛାଡ଼ି ନଯିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ବାହାଘର ଭଳି କାର୍ଯ୍ୟରେ ସମୁଦାୟ ୫୦ଲୋକଙ୍କୁ ଅନୁମତି ଦିିଆଯାଇଛି। ଦିଲ୍ଲୀରେ ସଂକ୍ରମଣର ମାତ୍ରାକୁ ଦେଖି ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ୭ଦିନ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ପୂର୍ବରୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here