ଡକ୍ଟର ସୁପ୍ରିୟା ପାଲ୍

ଗଳ୍ପ ସଂକଳନ: ଜାହ୍ନବୀର ନୀଳଜହ୍ନ

କଥାକାର: ଡାକ୍ତର ସରୋଜ କୁମାର ମିଶ୍ର

ପ୍ରକାଶକ: ପଶ୍ଚିମା ପ୍ରକାଶନ ସଂସ୍ଥା

ମୂଲ୍ୟ: ୨୦୦ ଟଙ୍କା

ସାହିତ୍ୟ ପୃଥିବୀରେ ଗଳ୍ପ ନଦୀ ହୋଇ ପ୍ରବାହିତ ହୁଏ। କେତେବେଳେ ଶାନ୍ତ, ସ୍ୱଚ୍ଛତୋୟା ଚୁନି ଚୁନି ତରଙ୍ଗରେ ଉଲ୍ଲସିତ ହୋଇ, ପୁଣି କେତେବେଳେ ବନ୍ୟାଭରା ଜୁଆରିଆ ହୋଇ। ଆଦିମକାଳରୁ ମାନବ ଜୀବନର ଏକ ବିଶେଷ ଅଙ୍ଗ ପାଲଟିଯାଇଛି ଗଳ୍ପ।

ଗଳ୍ପକଥନ ଓ ଶ୍ରବଣ- ଉଭୟ ପ୍ରତି ମାନବ ମନରେ ଅସୀମ ଆସକ୍ତି ପରିଲକ୍ଷିତ ହୁଏ। ଗଳ୍ପ ନେଇଯାଏ ଏକ ବିଶାଳ ସାମ୍ରାଜ୍ୟକୁ। ଦୂର-ଅଦୂର-ତ୍ରିପୁର-ସମସ୍ତ ଭୂମିଖଣ୍ଡ ଗଳ୍ପର ଅନନ୍ତଲୋକରେ ସ୍ଥାନିତ ଓ ମହିମାନ୍ୱିତ। ଏଇଠି ଦୃଶ୍ୟ-ଅଦୃଶ୍ୟଜଗତ, ଜ୍ଞାତ-ଅଜ୍ଞାତ ଜୀବନ, ପରିଚିତ-ଅପରିଚିତ ଚରିତ୍ର, ସ୍ମରଣ-ବିସ୍ମରଣ ଓ ଅନୁଭୂତି-ଅନନୁଭୂତିର ଘଟଣା, ପରିବେଶ ସହ ଜୀବନର ପ୍ରତ୍ୟେକ ଇନ୍ଦ୍ରିୟ-ଇନ୍ଦ୍ରିୟାତୀତ ଅନ୍ତହୀନ ବିଷୟ ସମ୍ଭାରକୁ ଦେଖୁ, ଚିହ୍ନୁ, ପଢୁ। ପର ମୁହୂର୍ତ୍ତରେ ଆମେ ଗଳ୍ପର ଚରିତ୍ର ହୋଇଯାଉ। ଚରିତ୍ର ସୁଖଦୁଃଖ, ପ୍ରେମବିରହ, ହସଲୁହକୁ ଅନୁଭବ କରୁ, ନିଜ ଜୀବନର ବୋଲି ଆପଣେଇ ନେଉ।

ଏମିତି ଗଳ୍ପ ସଂକଳନଟିଏ ଡାକ୍ଟର ସରୋଜ କୁମାର ମିଶ୍ରଙ୍କର ‘ଜାହ୍ନବୀର ନୀଳଜହ୍ନ’। ସମସ୍ତ ଗଳ୍ପ ଗାଳ୍ପିକଙ୍କ ଅନୁଭୂତି ଅଭିଜ୍ଞତାରେ ପରିପୂର୍ଣ୍ଣ। ପନ୍ଦରଟି ଗଳ୍ପରେ ଚିତ୍ରିତ ହୋଇଛି ଜୀବନର ପ୍ରତିଟି ରଙ୍ଗ, ପ୍ରତିଟି ଋତୁ, ପ୍ରତିଟି ବିଭବ। ସମସ୍ତ ମନୋଜ୍ଞ, ବୈଚିତ୍ର୍ୟ ବିମଣ୍ଡିତ ଏବଂ କରୁଣ ତଥା ମାନବିକ ମୂଲ୍ୟବୋଧରେ ବଳିଷ୍ଠ।

୨୦୦୫ ମସିହାରେ ‘ଜାହ୍ନବୀର ନୀଳଜହ୍ନ’ର ପ୍ରଥମ ସଂସ୍କରଣ ‘ଲେଖା ଲେଖକ ପ୍ରକାଶକ ସଂସ୍ଥା’ ଦ୍ୱାରା ପ୍ରକାଶିତ ହୋଇଥିଲା। ବ୍ରହ୍ମପୁର ସହରର ବହୁ ଗାଳ୍ପିକ ଓ ସାହିତ୍ୟପ୍ରେମୀଙ୍କ ଗହଣରେ ଏହା ଲୋକାର୍ପିତ ହୋଇଥିଲା। ସମୀକ୍ଷକ ରୂପେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଶାନ୍ତନୁ କୁମାର ରଥ, ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, କବି ସୁଶାନ୍ତ ଦାସ ଏବଂ ସମସ୍ତେ ଏକମତ ହୋଇଥିଲେ – ଗାଳ୍ପିକ ଡାକ୍ତର ସରୋଜ କୁମାର ମିଶ୍ରଙ୍କ ଗଳ୍ପଗୁଡ଼ିକ ନିଜସ୍ୱ ଅନୁଭୂତିସିଦ୍ଧ। ପ୍ରକୃତରେ ଏହାହିଁ ସତ୍ୟ।ନିଜ ସୃଷ୍ଟି ସମ୍ପର୍କରେ ଅତ୍ୟନ୍ତ ନମ୍ର ମତ ଦିଅନ୍ତି ଗାଳ୍ପିକ – “ମୁଁ ଜଣେ ପେଶାଦାର ଲେଖକ ନୁହେଁ ତଥା ସାହିତ୍ୟ ସୃଷ୍ଟି କରିବା ପାଇଁ ଆବଶ୍ୟକ ସୃଜନଶୀଳତା ମୋ ପାଖରେ ଅଛି କି ନାହିଁ, ତାହା ଜାଣେନା। କାରଣ ମୋ ଗଳ୍ପରେ ବର୍ଣ୍ଣିତ ବିଷୟବସ୍ତୁଗୁଡ଼ିକ କାଳ୍ପନିକ ଅପେକ୍ଷା ବାସ୍ତବିକତାର ପଟ୍ଟଭୂମିରେ ପ୍ରତିଷ୍ଠିତ। ଜଣେ ଡାକ୍ତର ହିସାବରେ ରୋଗୀଙ୍କ ସୁଖଦୁଃଖ, ଯନ୍ତ୍ରଣାମୟ ଜୀବନର ଅଭିବ୍ୟକ୍ତି ତଥା ଆମ ସମାଜରେ ଘଟୁଥିବା ଛୋଟବଡ଼ ଘଟଣାବଳୀର ସାରାଂଶକୁ ନେଇ ମୋ ମସ୍ତିଷ୍କର ସୀମିତ ଶବ୍ଦକୋଷ ଓ ଭାଷା ମାଧ୍ୟମରେ ଜନ୍ମନିଏ ଗୋଟିଏ ଗୋଟିଏ ଗଳ୍ପ।’’

ଶୁଭ୍ର ଓ ଆକାଶୀରଙ୍ଗର ପୃଷ୍ଠଭୂମିରେ ଲୁହବିନ୍ଦୁ ଖସିପଡ଼ୁଛି ଅନ୍ଧପୁଟୁଳିବନ୍ଧା ହୋଇଥିବା ନାରୀଟିର ଶୁଭ୍ର ଗଣ୍ଡଦେଶରେ। ପ୍ରଚ୍ଛଦପଟରୁ ପାଠକ ଅନୁଭବ କରିପାରେ ଜାହ୍ନବୀକୁ, ତା’ ନୀଳଜହ୍ନକୁ ଓ ସାମଗ୍ରିକ ବେଦନାବୋଧର ଯୁଗ ଯୁଗାନ୍ତର ଇସ୍ତାହାରକୁ। ପୁଣି ପ୍ରତ୍ୟକ୍ଷ କରିପାରେ ଜାହ୍ନବୀର ନୀଳଜହ୍ନ ଏବେ ସାରା ଆକାଶ ସହ ମାଟିକୁ ଓହ୍ଲାଉଛି। ଆଉ ପାଠକ ମାତ୍ର ଚେନାଏ ଆକାଶରେ ନିଜର ଅସ୍ତିତ୍ୱକୁ ମିଶାଇ ଦେଇ ଆତ୍ମବିସ୍ମୃତ ହୋଇଯିବ କାଳକାଳ ପାଇଁ।

ପ୍ରଥମ ଗଳ୍ପ ‘ଯନ୍ତ୍ରଣାର କାନ୍‌ଭାସ୍ ଉପରେ ଶୈଶବର ଚିତ୍ର’ ଦରଜା ଖୋଲିଦେଇ ପାଠକକୁ ସ୍ୱାଗତ କରେ। ଦେଶବିଦେଶର ଶିଶୁ ଚରିତ୍ର ଉପରେ ଏକ ଚିତ୍ର ପ୍ରଦର୍ଶନୀରେ ଗଳ୍ପ ନାୟକ ପାଞ୍ଚଟଙ୍କାର ଟିକେଟ୍ ନେଇ ପ୍ରବେଶ କରି ଦେଖିଛନ୍ତି ଶିଶୁଙ୍କ ଅସହାୟ ବର୍ତ୍ତମାନ, ଅନ୍ଧକାରାଚ୍ଛନ୍ନ ଭବିଷ୍ୟତ ଓ ନିଃସ୍ୱ, ଶୋଷିତ ଜୀବନ। ଭ୍ରୂଣାବସ୍ଥାରୁ ଲିଙ୍ଗ ବୋଧେ ଦେଶର ଏକ ଏକ ପ୍ରଦର୍ଶନୀର ବସ୍ତୁ।

ପ୍ରଦର୍ଶନୀର -ଚିତ୍ର ଭିଡ଼ ଭିତରୁ ବର୍ଷାରେ ଭିଜି ଭିଜି ଚଣା ପାଇଁ ଅଳି କରୁଥିବା ଭୋକିଲା ନଙ୍ଗଳା ଚାରି ପାଞ୍ଚ ବର୍ଷର ଶିଶୁ ବାବୁନୁ ଯେମିତି ବାସ୍ତବ ଦୁନିଆକୁ ବାହାରି ଆସିଛି। ଗଳ୍ପ ନାୟକଙ୍କ ପକେଟ୍‌ରେ ଥିବା ସମୁଦାୟ ପାଞ୍ଚଶହ ଟଙ୍କାରୁ ଚାରିଶହ ଅନେଶତ ଟଙ୍କାର ପୋଟ୍ରେଟ୍‌ଟିଏ କିଣି ବାକି ପଇସାରେ ଚେନାଚୁର କିଣି ଖାଇବା ଶେଷ କଲାବେଳେ ବାବୁନୁର ଭୋକିଲା ହାତ ଓ ଅଳିରେ ସଚେତନ ହୋଇଛନ୍ତି। ବର୍ଷାରେ ଭିଜି ସ୍କୁଟର ପାଖକୁ ଆସିବା ବେଳେ ପୋଟ୍ରେଟ୍ ପାଣିରେ ପଡ଼ିଯାଇଛି।

ବାବୁନୁ ଚିତ୍ରଟିକୁ ହାତରେ ଧରି ଡଗ ଡଗ ହୋଇ ଧାଇଁ ଆସି ବଢ଼ାଇ ଦେଇଛି। ଗଳ୍ପ ନାୟକ ଦେଖିଛନ୍ତି – ‘ତାହା କେବଳ ଗୋଟିଏ ଧଳା କାନ୍‌ଭାସ୍ ନୁହେଁ, ବରଂ ନିଷ୍ପାପ ଶିଶୁର ନିର୍ମଳ ଚରିତ୍ରର ଏକ ସୁନ୍ଦର ଚିତ୍ର।’ ମନେ ହୋଇଛି ପୃଥିବୀର ସର୍ବଶ୍ରେଷ୍ଠ ମୂଲ୍ୟବାନ ଚିତ୍ରଟିଏ। ବାବୁନୁର ଭୋକ ଓ ଅଳି, ଗଳ୍ପନାୟକଙ୍କ ଶୂନ୍ୟ ପକେଟ୍ ଓ ଅସହାୟତା – କାରୁଣ୍ୟର ଏକ କାଳଜୟୀ ଚିତ୍ର। ପାଠକର ମନକାନ୍ଥରେ ଅମ୍ଳାନ ଚିତ୍ରପଟ ହୋଇ ରହିଯିବ ଚିରଦିନ ପାଇଁ।ସନ୍ତାନବତୀ ନାରୀ ପାଇଁ ମାତୃତ୍ୱର ପୁନର୍ବାର ସୁଖ ଅଲୋଡ଼ା, ଅବାଞ୍ଛିତ ନୁହେଁ। ଗାନ୍ଧାରୀ ତ ପୁଣି ଶତପୁତ୍ରର ଜନନୀ ଥିଲେ। ପ୍ରଥମ ପୁତ୍ରକୁ ଛ’ମାସ ହେବା ବେଳେ ଜାହ୍ନବୀ ପୁନର୍ବାର ଅନ୍ତଃସତ୍ତ୍ୱା ହୋଇଛି। ତା’ର ଅନିଚ୍ଛା ଓ ପ୍ରତିବା ସତ୍ତ୍ୱେ ଭ୍ରୂଣହତ୍ୟା କରିବାକୁ ପଡୁଛି। ଅଜନ୍ମା ସନ୍ତାନ ପାଇଁ ମମତା ଓ ଜାହ୍ନବୀର ଅସହାୟତା ପୁରୁଷକୈନ୍ଦ୍ରିକ ଭାରତୀୟ ସମାଜରେ କୋଟି କୋଟି ଅସହାୟ ନାରୀଙ୍କର ପ୍ରତିନିଧିତ୍ୱ କରୁଛି। ‘ଜାହ୍ନବୀର ନୀଳଜହ୍ନ’ ମାତୃତ୍ୱ ଓ କାରୁଣ୍ୟର ଯନ୍ତ୍ରଣାସିକ୍ତ ପ୍ରୋଟ୍ରେଟ୍‌ଟିଏ ଯେମିତି। ପାଠକର ଦୀର୍ଘଶ୍ୱାସଟିଏ କୋହ ଓ ଲୁହରେ ଛନ୍ଦି ହୋଇଯିବ ଗଳ୍ପଟିର ଶେଷ ପରିଣତିରେ।

ସରଳ, ସାଧାରଣ ପୁଣି ଓଡ଼ିଶାର ମାନଚିତ୍ରରେ ଥିବା ଅରଣ୍ୟ, ପାର୍ବତ୍ୟାଞ୍ଚଳର ପଛୁଆ ବର୍ଗର ଜନଜାତିର କାହାଣୀ ଓ ଚରିତ୍ର ଚିତ୍ରଣରେ ଗାଳ୍ପିକ ଡାକ୍ତର ମିଶ୍ରଙ୍କର ଅପୂର୍ବ କଳାକୁଶଳତା ଓ ସିଦ୍ଧି ପରିଲକ୍ଷିତ। ଜନଜାତିଙ୍କର ଜୀବନଶୈଳୀ, ସମସ୍ୟାର ବର୍ଣ୍ଣନା ନିଖୁଣ ଓ କରୁଣ। ପାଠକର ସ୍ମରଣକୁ ଆସିଯିବ ଗୋପୀନାଥ ମହାନ୍ତିଙ୍କ ପରଜା, ଦାଦିବୁଢ଼ା ଆଦିର କାଳଜୟୀ ରୂପଚିତ୍ର। ପାଠକ ଫେରିଯିବ ବନାଞ୍ଚର ସରଳ ନିଷ୍କପଟ ଜୀବନ ଭିତରକୁ। ‘ଜରାଗ୍ରସ୍ତ ଜରାୟୁର ଶୋକ’ ଗଳ୍ପର ସାବି ଓ ଶୁକୁରୁର ନିଷ୍କପଟ ଜୀବନ, ପ୍ରେମ, ବିଶ୍ୱାସ, ତ୍ୟାଗ ଓ କାରୁଣ୍ୟ ପାଠକର ଅନ୍ତସ୍ଥଳକୁ ବେଦନାସିକ୍ତ ଓ ଶୋକାଚ୍ଛନ୍ନ କରି ରଖେ। କାହାଣୀ, ଭାଷା, ଚରିତ୍ର ଅତି ଚମତ୍କାର।

ସାମ୍ପ୍ରତିକ ମୂଲ୍ୟବୋଧହୀନ କଳୁଷିତ ରାଜନୀତି, ନିର୍ବାଚନୀ ଚାଲ୍, ପ୍ରତିଶ୍ରୁତି ପ୍ରତାରଣା ‘ହୀନବାହୁର ହାତମୁଠାରେ ମହାବାହୁଙ୍କ ଭବିଷ୍ୟତ’ ଗଳ୍ପରେ ବର୍ଣ୍ଣିତ। ପୁଣି ‘ଅଜାଗା ବଥର ରାଜନୈତିକ ଚିତ୍ରପଟ୍ଟ’ରେ ଗୋଟିଏ ବଥ ଅପରେସନ୍‌ରେ ସାମାନ୍ୟ ବିଳମ୍ବ ପାଇଁ ବିନା ଘଟଣାରେ ଇସ୍ୟୁ ଆରମ୍ଭିବା ଭଳି ହାସ୍ୟ, ବ୍ୟଙ୍ଗର କାହାଣୀ ଗତିଶୀଳ। ବାସ୍ତବବାଦ ବ୍ୟଙ୍ଗ ଏକ କଳାତ୍ମକ ଭଙ୍ଗୀରେ ପାଠକ ମନରେ ରାଜନୀତି ପ୍ରତି ହାସ୍ୟ, କ୍ରୋଧ, ଅନାସ୍ଥା ଭାବ ସୃଷ୍ଟି କରିବାରେ ସମର୍ଥ।

ପ୍ରଶାସନର ଅହେତୁକ ଉଦାସୀନତା, ବିକଳାଙ୍ଗରୂପ, ଅର୍ଥଲିପ୍‌ସୁ ଅମଲାମାନଙ୍କର ଅବହେଳାର ନଗ୍ନଚିତ୍ର ‘ଅର୍ଦ୍ଧଶତାବ୍ଦୀର ସ୍ୱାଧୀନ ଇଲାକାରେ ଚରିତ୍ରହୀନ ନରୋତ୍ତମ’, ‘ପଦୋନ୍ନତି’, ‘ମରୁଡ଼ିର ଶେଷଦୃଶ୍ୟ’, ନ’ ତାଲା କୋଠା ଛ’ ଫୁଟିଆ ମଣିଷ’ରେ ଚିତ୍ରିତ। ପାଠକ ମନରେ ନରୋତ୍ତମ, ପଦୋନ୍ନତିର ଗଳ୍ପନାୟକ ଡାକ୍ତର, ସଦାନନ୍ଦ, ବଳଭଦ୍ର ଶାସ୍ତ୍ରୀ ଓ ଡାକ୍ତର -ପୁତ୍ର ସୁନୀଲ-ପାଠକର ହୃଦୟରେ ସନ୍ତାପ ଓ ସମବେଦନା ସୃଷ୍ଟି କରନ୍ତି।

ହାସ୍ୟ ବ୍ୟଙ୍ଗର ଗଳ୍ପ ‘ଦରଦି କବି ଓ ସର୍ବହରାର କାବ୍ୟ’ଟି ପଢ଼ୁ ପଢ଼ୁ ପାଠକ ସାମ୍ନା କରେ ନୀଳକୁଣ୍ଡରେ ପତିତ ନୀଳବର୍ଣ୍ଣ ଶୃଗାଳ ତଥା ଅନ୍ୟକୁ ଅନୁକରଣ କରି ହାସ୍ୟ ଓ ବ୍ୟଙ୍ଗର ପାତ୍ର ହୋଇ ‘ଜଗତେ କେବଳ ଜନେ ହସିବେ’ ପରି ରବୀନ୍ଦ୍ର ଚରିତ୍ରଟିକୁ। ପତ୍ରିକା ପ୍ରକାଶ ପାଇଁ ବହୁ ସମସ୍ୟା ଓ ଅସହାୟତାର ନଗ୍ନ ଚିତ୍ର ଗଳ୍ପକୁ ଉଚ୍ଚକୋଟୀର କରିଛି। ସାଧନାର ଅନ୍ୟନାମ ସାହିତ୍ୟ- ଏକଥା ନ ବୁଝି ମିଥ୍ୟା ପ୍ରଶଂସା ଅର୍ଜନରେ ବ୍ୟାକୁଳ ରବୀନ୍ଦ୍ରଙ୍କର ଦୁର୍ଦ୍ଦଶା ପାଠକର ମନରେ ହାସ୍ୟ ତଥା କରୁଣା ଉଦ୍ରେକ କରେ।

‘ପଥହୁଡ଼ା ଅତିଥି’ ଏକ ଚମତ୍କାର ଗଳ୍ପ। ବିବାହ ପରେ କର୍ମଜୀବୀ ଜୀବନକୁ ଆପଣେଇ ନେବାର ନିଷ୍ପତ୍ତି ସୁଧା ଓ ଗଳ୍ପ ନାୟକଙ୍କ ମଧ୍ୟରେ ଅସୀମ ଦୂରତ୍ୱ ସୃଷ୍ଟି କରିଛି। ଅନେକ ବର୍ଷ ପରେ ଦିନେ ସୁଧା ଗଳ୍ପ ନାୟକ ଡାକ୍ତରଙ୍କର ବନାଞ୍ଚଳର ସରକାରୀ କ୍ୱାର୍ଟରରେ ରାତିକର ଅତିଥି ହୋଇଛି, ଯତ୍ନରେ ରୋଷେଇ କରିଛି, ଖୁଆଇଛି ଏବଂ ଭୋର୍‌ରୁ ନ ଜଣାଇ ଫେରିଯାଇଛି। ଭାବାଚ୍ଛନ୍ନ କରି ରଖେ ପାଠକର ମନକୁ।ଚିକିତ୍ସକ ଜୀବନର ଅଙ୍ଗେ ନିଭା ଏଖ ଘଟଣା ପରି ଜୀବନ୍ତ, ମାର୍ମିକ ଗଳ୍ପ ହେଉଛି ‘ଜରା ନ ବାଧତେ ବୈଦ୍ୟ ତବ ନିଦାନ ବାଧତେ’। ଅଭିଜ୍ଞ ଚିକିତ୍ସକଙ୍କର ଅନୁମାନ ବିଫଳ ହୋଇଯାଇଛି ପ୍ରଚୁର ରକ୍ତସ୍ରାବ ହେଉଥିବା ବିଧବା ରୋଗିଣୀଙ୍କ କ୍ଷେତ୍ରରେ। ପରବର୍ତ୍ତୀ ସମୟରେ ଚିକିତ୍ସକଙ୍କର ପଶ୍ଚାତାପ ଓ ରକ୍ତଦାନରେ ମାନବିକତା ପ୍ରତିଫଳିତ ହୋଇଛି।

ଭାରତୀୟ ସଂସ୍କୃତିର ଅବକ୍ଷୟ ଓ ଆର୍ଥିକ ବ୍ୟଭିଚାରର ପୃଷ୍ଠଭୂମିରେ ମିଥ୍ ଧର୍ମୀ ଗଳ୍ପ ‘ଓଟ ସବାରୀ ଓ ନଷ୍ଟଭୂମିର ପରୀ’ ସାମ୍ପ୍ରତିକ ଜନଜୀବନର ପୃଷ୍ଠଦେଶରେ ବେତ୍ରାଘାତ ସଦୃଶ ମନେହୁଏ। ଅର୍ଥଜନିତ ଅସହାୟତା ଗଳ୍ପନାୟକଙ୍କୁ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇଛି, ଯେତେବେଳେ ପୁତ୍ର ଓ ପତ୍ନୀଙ୍କୁ ସାଙ୍ଗରେ ଯୋଧପୁର ନେଇ ପାରିନାହାନ୍ତି କିମ୍ବା ଓଟ ପିଠିରେ ପୁଅଙ୍କ ବସିବାର ସ୍ୱପ୍ନକୁ ପୁରା କରିପାରିନାହାନ୍ତି। ଯୋଧପୁରରେ ସର୍ବଭାରତୀୟ ଶଲ୍ୟ ଚିକିତ୍ସକ ସମ୍ମିଳନୀରେ ଯୋଗଦାନ ଶେଷରେ ଦିଲ୍ଲୀରେ ପହଞ୍ଚି କୁତବ୍‌ମିନାର ଯାଇଛନ୍ତି। ଶୀର୍ଷ ଦେଶରେ ଭେଟିଛନ୍ତି ବୁଦ୍ଧଙ୍କ ସମୟର ଗୌତମୀଙ୍କୁ, ଯିଏ ଏବେ କଳିଯୁଗର ଭାରତବର୍ଷ ପାଇଁ ଚିନ୍ତିତ, ସନ୍ତପ୍ତ। ପାଠକଙ୍କର ମନ ମସ୍ତିଷ୍କ ଗୌତମୀଙ୍କ ବିଶ୍ଳେଷଣରେ, ଦୀର୍ଘଶ୍ୱାସରେ ଦୋହଲଯିବ।

‘ପୁନଶ୍ଚ ନ’ଅଙ୍କ’ ଗଳ୍ପରେ କ୍ଷୁଧାର ନଗ୍ନ ରୂପ ପ୍ରଖ୍ୟାତ ଔପନ୍ୟାସିକ କାହ୍ନୁଚରଣଙ୍କ ‘ହା-ଅନ୍ନ’ର ଦୃଶ୍ୟକୁ ଆଉ ଥରେ ସଜୀବ କରିଦିଏ।  ମଦ୍ୟପ ସ୍ୱାମୀ ସଦାର ଅବହେଳା, ସ୍ତ୍ରୀ କାମିନୀ ଦୁଇ ପୁଅ ବୁଡ଼ୁ ଓ ପଦୁକୁ ପେଟପୁରା ଖୁଆଇବାକୁ ଯାଇ ଘର ମାଲିକ ଦ୍ୱାରା ଶାରୀରିକ ଶୋଷଣ ଶିକାର ହେବା, ବିଭିନ୍ନ ବ୍ୟଞ୍ଜନ କରି ଆକଣ୍ଠ ଖୁଆଇ ଦୁଇ ପୁଅଙ୍କୁ ସାଙ୍ଗରେ ଧରି କୂଅକୁ କାମିନୀ ଡେଇଁ ପଡ଼ିବା- ପାଠକକୁ ସ୍ତମ୍ବୀଭୂତ ଓ ଶୋକାକୁଳ କରିଦିଏ। ‘କାମିନୀ ଗୋଟାଏ କାଖରେ ଖୁବ୍ ଶକ୍ତ ଭାବରେ ବୁଡୁର ଗଳାକୁ ଜାକି ଧରି ଅନ୍ୟ ହାତରେ ପଦୁକୁ ଧରି ପୁଣି ଥରେ ଏକ ମୂଲ୍ୟହୀନ ଚୁମ୍ବନ ତା’ କପାଳରେ ଆଙ୍କି ଦେଇ କୂଅ ଭିତରକୁ ଲମ୍ଫ ପ୍ରଦାନ କଲା।

କାମିନୀର ସ୍ନେହ, ମମତା, ବୁଡ଼ୁ, ପଦୁର ଆକୁଳ କ୍ରନ୍ଦନ, ମିନତି ଆବେଦନ ସବୁ ପାଣି ଫୋଟକାରେ ପରିଣତ ହୋଇ କୂଅ ଭିତରୁ ବାହାରି ଅନ୍ଧକାର ବାୟୁମଣ୍ଡଳରେ ମିଶିଗଲା।’ ଖବର କାଗଜର ପୃଷ୍ଠା ମଣ୍ଡନ କଲା- ସହରରେ ଅନାହାର ମୃତ୍ୟୁ। ଅନେକ ହଟ୍ଟଗୋଳ, ବାଦାନୁବାଦ ପରେ ସ୍ୱତନ୍ତ୍ର କମିଶନ ରିପୋର୍ଟରେ ଦର୍ଶାଯାଇଥିଲା, ପାକସ୍ଥଳୀ ଖାଦ୍ୟ ପୂର୍ଣ୍ଣ ଥିବାରୁ ଏହା ଅନାହାର ମୃତ୍ୟୁ ନୁହେଁ, ବରଂ ଏକ ଆକସ୍ମିକ ଦୁର୍ଘଟଣା। ଭାରତର ସାମାଜିକ ନ୍ୟାୟ ବ୍ୟବସ୍ଥା ପ୍ରତି ଶାଣିତ ବ୍ୟଙ୍ଗକୁ ସ୍ପଷ୍ଟ ଅନୁଭବ କରିପାରେ ପାଠକ।କାରୁଣ୍ୟର ଶେଷ ପର୍ଯ୍ୟାୟବାଚକ ଗଳ୍ପ ହେଉଛି ‘କାଗଜ ଡଙ୍ଗାର ଶୋକ’। ସଂଭ୍ରାନ୍ତ ପରିବାରର ଅତି ଅଲିଅଳ ଦୁଇ ବର୍ଷର ଶିଶୁପୁତ୍ର ବନ୍ୟା ସ୍ରୋତରେ ଘର ଛାତ ଉପରେ ଆଶ୍ରୟ ନେଇଥିବା ପିତାମାତାଙ୍କ ନିକଟରୁ ଟାୟାର ବନ୍ଧା ଅବସ୍ଥାରେ ଭାସିଯାଇ ଏକ ଅଜ୍ଞାତସ୍ଥଳରେ କୈବର୍ତ୍ତର ଆଶ୍ରିତ ହୋଇଛି। କୈବର୍ତ୍ତ ସହ ରିଲିଫ୍ ବଣ୍ଟନ ସ୍ଥାନରେ ଅସାଧୁ ବ୍ୟକ୍ତିଙ୍କର ଶୋଷଣ, ପାତର ଅନ୍ତର ଦେଖିଛି। କୈବର୍ତ୍ତ ଉପରେ ବୋଝ ନ ହେବାକୁ ନଦୀ ଜଳ ନିକଟକୁ ଚାଲିଯାଇଛି। ପ୍ରାର୍ଥନା କରିଛି- ‘ଆହୁରି ବର୍ଷା ହେଉ, ନଈରେ ପାଣି ଆହୁରି ଜୋର୍‌ରେ ଆସୁ। ଚାରିଆଡ଼େ ପାଣି ଭର୍ତ୍ତି ହୋଇଯାଉ। ମତେ ହେଲେ ଭସେଇ ଭସେଇ ମୋ ବାପା ମାଆଙ୍କ ପାଖରେ ପହଞ୍ଚାଇ ଦିଅ।’ ଗଳ୍ପର ପରିଣତି ପାଠକର ଚକ୍ଷୁକୁ ଲୋତକାପ୍ଲୁତ କରିଦିଏ ଓ ହୃଦୟର ସଞ୍ଚିତ ମମତା ଶିଶୁଟି ଉପରେ ଢାଳି ହୋଇ ପଡ଼େ।

ଗାଳ୍ପିକଙ୍କ ଚିକିତ୍ସକ ଜୀବନର ନିରୋଳା ଅନୁଭୂତି, ମାନବିକ ସମ୍ପର୍କ ଓ ଅଭିଜ୍ଞତାର ମାର୍ମିକ ପ୍ରତିଛବି ଅଧିକାଂଶ ଗଳ୍ପରେ ପ୍ରତିବିମ୍ବିତ। ଆର୍ଥିକ ସ୍ଥିତି, ଦୁର୍ଗମ ବନାଞ୍ଚଳର ଜୀବନ, ତିକ୍ତ -ମଧୁର ଅନୁଭୂତି, ସନ୍ତାନମାନଙ୍କର ଭବିଷ୍ୟତ ଜୀବନ ଗଠନରେ ଇଚ୍ଛା ସତ୍ତ୍ୱେ ସହଯୋଗ କରି ନପାରିବା ତାଙ୍କୁ କର୍ତ୍ତବ୍ୟଚ୍ୟୁତ କରିନାହିଁ, ବରଂ ମାନବ ସେବାରେ ନିଜକୁ କାୟମନୋବାକ୍ୟରେ ସମର୍ପି ଦେଇଛନ୍ତି।

ଗାଳ୍ପିକଙ୍କ ଅନ୍ତକରଣରେ ଶିଶୁଟିଏ କେଉଁଠି ନା କେଉଁଠି ଲୁଚିରହିଛି। ବର୍ଷାଭିଜା ବାବୁନାର ଚଣା ପାଇଁ ଅଳି, କାଗଜଡଙ୍ଗା ଭସାଇବାକୁ ଭଲ ପାଉଥିବା ଦୁଇ ବର୍ଷର ଗୋରା ତକ ତକ ପପୁ – ସମସ୍ତ ପାଠକଙ୍କୁ ଲୁହ ଓ ଦୀର୍ଘଶ୍ୱାସରେ ଭସେଇ ଦେବାକୁ ସମର୍ଥ। ବୁଡ଼ୁ ଓ ପଦୁ- ପାଠକଙ୍କ ଚତୁର୍ପାର୍ଶ୍ୱରେ ଚଳଚଞ୍ଚନ ହୁଅନ୍ତି। ସେମାନଙ୍କ ଭୋକ ବେଳର କାନ୍ଦ, କରୁଣ ମୁହଁ, ଶେଷ ଭୋଜନ ପରର ତୃପ୍ତି ଏବଂ କୂଅ ପାଖରେ ଜୀବନ ପାଇଁ ବ୍ୟାକୁଳତା ଓ ଅଳି – ପାଠକର ଅନ୍ତକରଣ କୋରି ବିଦାରି ପକାଏ। ଆଉ ଦୁଇ ଶିଶୁ ଚରିତ୍ରଙ୍କୁ ପାଠକ ଭେଟେ। ଗଳ୍ପ ନାୟକଙ୍କର ଦୁଇ ଶିଶୁ ପୁତ୍ର – ଯିଏ ଜିଦ୍‌ କରନ୍ତି ପିତାଙ୍କ ସାନିଧ୍ୟ ଲାଭ କରିବାକୁ, ଗାଡ଼ିରେ ବସିବାକୁ, ବୁଲିବାକୁ, ପୁଣି ଯୋଧପୁର ଯାଇ ଓଟ ପିଠିରେ ବସିବାକୁ। ପାଠକର ସମୁଦାୟ ସତ୍ତାକୁ ଆଚ୍ଛନ୍ନ କରିବସନ୍ତି ଜାହ୍ନବୀ ଓ ସାବିର ଅଜନ୍ମା ନୀଳଜହ୍ନ ମାନେ।ସମସ୍ତ ଗଳ୍ପ ପାଠ କରିସାରିବା ମାତ୍ରକେ ଅଭିଶପ୍ତ ସପ୍ତବସୁ, କର୍ଣ୍ଣ, ସ୍ୱପ୍ନର ରାଜକୁମାର, ଗୌତମୀ, ଜରାଶବରର ଶରାଘାତରେ ଆହତ କୃଷ୍ଣଙ୍କଠାରୁ ଐତିହାସିକ, କିମ୍ବଦନ୍ତୀ ଘଟଣାର ଉପସ୍ଥାପନ ସହ ଜାହ୍ନବୀ, ବାବୁନୁର ବିଧବା ମା’, ସୁନିତା ଦେବୀ, ଭୀଷଣ ପେଟ ବ୍ୟଥାରେ ବ୍ୟାକୁଳ ହେଉଥିବା ବିଧବା ମା’ଟି, ସୁଧା, ସଦାନନ୍ଦ, ଶୁକୁରୁ, ସାବି, ଧୋବା ହରି, କାମିନୀ, ବୁଡ଼ୁ, ପଦୁ, ସଦା, ନରୋତ୍ତମ ଏବଂ ସର୍ବୋପରି ଗଳ୍ପନାୟକ ଓ ତାଙ୍କ ପତ୍ନୀ – ପାଠକକୁ ଗଭୀର ମୋହାଚ୍ଛନ୍ନ କରି ରଖନ୍ତି। ପାଠକ ନିଜେ ଗଳ୍ପର ଚରିତ୍ର ହୋଇ ଯାଉଥିବା ବେଳେ କାରୁଣ୍ୟରେ ସମୟ ସ୍ଥିର ହୋଇଯାଏ।

ବିପୁଳ ପାଠକୀୟ ଆଦୃତି ଓ ଶ୍ରଦ୍ଧାର ଭାଜନ ହୋଇପାରିଛି ‘ଜାହ୍ନବୀର ନୀଳଜହ୍ନ’।

(ଲେଖିକା ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ପ୍ରଧ୍ୟାପିକା ଅଛନ୍ତି। ମତାମତ ନିଜସ୍ଵ।)

LEAVE A REPLY

Please enter your comment!
Please enter your name here