ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ମା’ ହେବା ଖରବ ସମସ୍ତଙ୍କୁ ଯେତିକି ଚକିତ କରିଛି, ତା’ଠାରୁ ଅଧିକ ବିସ୍ମିତ କରିଛି ‘‘ସରୋଗେସି’’ ସହାୟତାରେ ସନ୍ତାନ ପାଇବା ଖବରକୁ ନେଇ। କେବଳ ପ୍ରିୟଙ୍କା ନୁହଁନ୍ତି ସରୋଗେସି ସହାୟତା ନେଇ ଅନେକ ବଲିଉଡ କଳାକାର ବାପା ମା’ ହୋଇଛନ୍ତି। ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା, ବଲିଉଡ ବାଦଶାହ ଶାହାରୁଖ ଖାନ, ଅମୀର ଖାନ ସରୋଗେସିର ସହାୟତା ନେଇ ସାରିଛନ୍ତି। ବଲିଉଡ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ସରୋଗେସି ସହାୟତାରେ ଯମଜ ସନ୍ତାନର ବାପ ହୋଇପାରିଛନ୍ତି। ସେହିପରି ଏକତା କପୁର ଏବଂ ତୁଷାର କପୁର ମଧ୍ୟ ସରୋଗେସି ସହାୟତାରେ ବାପା ମା’ ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି। ପ୍ରିୟଙ୍କା ଚୋପ୍ରା ମା’ ହେବା ପରେ ଏବେ ସରୋଗେସିକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ତେବେ ଏହି ସରୋଗେସି କ’ଣ ଏବଂ ଭାରତରେ ଏଥିପାଇଁ କ’ଣ ସବୁ ଆଇନ ବ୍ୟବସ୍ଥା ରହିଛି ଜାଣିବାର ଆବଶ୍ୟକତା ରହିଛି।

ସରୋଗେସି କ’ଣ?

ସନ୍ତାନ ଜନ୍ମ କରିବା ପାଇଁ ଅସମର୍ଥ ବାପା ମା’ ସରୋଗେସି ସହାୟତାରେ ଜନକ ହୋଇପାରିବେ। ଅର୍ଥତ ଏଥିପାଇଁ ଅନ୍ୟ ଜଣେ ମହିଳାଙ୍କ ଗର୍ଭର ସହାୟତା ନେବାକୁ ପଡ଼ିଥାଏ। ସରୋଗେଟ ମଦର ନିଜର କିମ୍ବା ଡୋନରଙ୍କର ‘ଏଗ୍ସସ୍’ ଜରିଆରେ ଗର୍ଭଧାରଣ କରିଥାନ୍ତି। ସରୋଗେସି ସହାୟତାରେ ସନ୍ତାନ ପ୍ରାପ୍ତ କରିବା ପାଇଁ ଅନେକ ନିୟମ ରହିଛି। ଏହି ନିୟମ ଅନ୍ତର୍ଗତ ଯଦି କୌଣସି ଦମ୍ପତିଙ୍କର ମେଡିକାଲ ଜନିତ ସମସ୍ୟା ରହିଥାଏ, ଗର୍ଭଧାରଣ ଦ୍ଵାରା ମହିଳାଙ୍କ ଜୀବନ ପ୍ରତି ବିପଦ ଥାଏ କିମ୍ବା କୌଣସି ମହିଳା ଗର୍ଭଧାରଣ କରିବାକୁ ଚାହୁଁ ନଥିବେ, ଏହି କ୍ଷେତ୍ରରେ ସରୋଗେସିର ସହାୟତା ନିଆଯାଇପାରିବ।

ସରୋଗେସି ସହାୟତାରେ ବାପା ମା’ ହେବାକୁ ଚାହୁଁଥିବା ଦମ୍ପତି ଏବଂ ସରୋଗେଟ ମଦର ମଧ୍ୟରେ ଏ ସଂକ୍ରାନ୍ତରେ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥାଏ। ଏହା ଅନ୍ତର୍ଗତ ଜନ୍ମ ହେବା ପରେ ସନ୍ତାନ ଉପରେ ସରୋଗେସିର ସହାୟତା ନେଇଥିବା ପିତାମାତାଙ୍କର ହିଁ ଆଇନଗତ ଅଧିକାର ରହିବ। ଗର୍ଭଧାରଣ ସମୟରେ ସରୋଗେଟ ମା’ର ଆବଶ୍ୟକ ଯତ୍ନ ଏବଂ ମେଡିକାଲର ସମସ୍ତ ଖର୍ଚ୍ଚ ଏହି ଦମ୍ପତିଙ୍କୁ ହିଁ ବହନ କରିବାକୁ ପଡ଼ିବ।

ସରୋଗେସି କେତେ ପ୍ରକାରର?

ସରୋଗେସି ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ଟ୍ରାଡିସନାଲ ସରୋଗେସି ଓ ଦ୍ଵିତୀୟଟି ଜେଷ୍ଟେସନାଲ ସରୋଗେସି। ଟ୍ରାଡିସନାଲ ସରୋଗେସିରେ ହେବାକୁ ଯାଉଥିବା ପିତା ବା ଡୋନରଙ୍କ ସ୍ପର୍ମ ସେରୋଗେଟ ମଦରଙ୍କ ଏଗ୍ସ ସହିତ ମିଶ୍ରଣ କରାଯାଇଥାଏ। ଏହି ସରୋଗେସି ଦ୍ଵାରା ସରୋଗେଟ ମଦର ହିଁ ବାୟୋଲୋଜିକାଲ ମଦର(ଜୈବିକ ମା’) ହୋଇଥାନ୍ତି। କିନ୍ତୁ ଜେଷ୍ଟେସନାଲ ସରୋଗେସିରେ ସରୋଗେଟ ମଦରଙ୍କର ଛୁଆ ସହ ଜେନେଟିକଲ ସମ୍ପର୍କ ରହିନଥାଏ। ଅର୍ଥାତ୍ ଏହି ଗର୍ଭଧାରଣରେ ସରୋଗେଟ ମଦରଙ୍କର ଏଗ୍ସ ବ୍ୟବହାର କରାଯାଇନଥାଏ। ଏଥିରେ ପିତା ମାତା ହେବାକୁ ଇଚ୍ଛା ରଖିଥିବା ଦମ୍ପତିଙ୍କର ସ୍ପର୍ମ ଏବଂ ଏଗ୍ସକୁ ସରୋଗେଟ ମଦରଙ୍କ ୟୁଟ୍ରସରେ ପ୍ରତ୍ୟାରୋପଣ କରାଯାଇଥାଏ।

ଭାରତରେ ସରୋଗେସି ପାଇଁ କ’ଣ ରହିଛି ଆଇନ?

ଭାରତରେ ସରୋଗେସିର ଅପବ୍ୟବହାର ହେବା ପରେ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା। ପୂର୍ବରୁ ଅଧିକାଂଶ ଗରିବ ମହିଳା ଆର୍ଥିକ ସମସ୍ୟାର ସୁଧାର ପାଇଁ ସରୋଗେଟ ମା’ ହେଉଥିଲେ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ବ୍ୟବସାୟ ମଧ୍ୟ କରାଗଲା। ଏହି କାରଣରୁ ଭାରତ ସରକାରଙ୍କ ପକ୍ଷରୁ ଏ ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଗଲା। ୨୦୧୯ ମସିହାରେ କମର୍ସିଆଲ ସରୋଗେସି ଉପରେ ପ୍ରତିବନ୍ଧକ ଲାଗୁ କରାଗଲା। ଏହା ପରେ କେବଳ ସହାୟତା ପାଇଁ ହିଁ ସରୋଗେସିକୁ ବିକଳ୍ପ କରାଯାଇଛି। ସରୋଗେସି ପାଇଁ ବିଭିନ୍ନ ଆଇନ ପ୍ରଣୟଣ କରାଯାଇଛି। ସରୋଗେଟ ମଦର ହେବାକୁ ଇଚ୍ଛୁକ ମହିଳାଙ୍କ ପାଖରେ ମେଡିକାଲି ଫିଟ୍ ସାର୍ଟିଫିକେଟ ରହିଥିବା ଦରକାର। ସେହିପରି ସରୋଗେସିର ସହାୟତା ନେଉଥିବା ଦମ୍ପତିଙ୍କ ପାଖରେ ସନ୍ତାନ ଜନ୍ମ କରିବାକୁ ଆସମର୍ଥ ଥିବା ନେଇ ପ୍ରମାଣ ପତ୍ର ରହିବାଥିବା ଆବଶ୍ୟକ।

ସରୋଗେସି ରେଗୁଲେସନ ବିଲ ୨୦୨୦ରେ ଅନେକ ପରିବର୍ତ୍ତନ କରାଯାଇଛି। ଏହା ଅନ୍ତର୍ଗତ ଇଚ୍ଛୁକ ମହିଳାଙ୍କୁ ସରୋଗେଟ ମଦର ହେବାକୁ ଅନୁମତି ମିଳିଛି। କମର୍ସିଆଲ ସରୋଗେସି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ଗୋଟିଏ ସମୟରେ ଦେଖାଯାଉଥିଲା ଟଙ୍କା ଉପାର୍ଜନ କରିବା ପାଇଁ ଅନେକ ମହିଳା ସରୋଗେସିକୁ ମୁଖ୍ୟ ମାଧ୍ୟମ କରୁଥିଲେ। ବର୍ତ୍ତମାନ ଏହାକୁ ଭାରତରେ ସମ୍ପୂର୍ଣ୍ଣ ଆଇନଗତ ଅପରାଧ ଏବଂ ଦଣ୍ଡନୀୟ ଭାବେ ଘୋଷଣା କରାଯାଇଛି। ନୂଆ ନିୟମ ଅନୁସାରେ ଇଚ୍ଛୁକ ମହିଳାଙ୍କୁ ସରୋଗେସି ପାଇଁ ଅନୁମତି ଦିଆଯିବ କିନ୍ତୁ ସେ ସନ୍ତାନ ବିକ୍ରି କରିପାରିବେ ନାହିଁ।

କିଏ ନେଇ ପାରିବେ ସରୋଗେସିର ସହାୟତା?

ସରୋଗେସି ପାଇଁ ରହିଥିବା ଆଇନ ଅନ୍ତର୍ଗତ କେଉଁ ଦମ୍ପତ୍ତିମାନେ ଏହାର ସହାୟତା ନେଇପାରିବେ ତାହା ସ୍ପଷ୍ଟ କରାଯାଇଛି। କୌଣସି ଦମ୍ପତିଙ୍କ ମଧ୍ୟରୁ ଜଣେ କିମ୍ବ ଉଭୟଙ୍କର ଇନଫର୍ଟାଇଲ ସମସ୍ୟା ରହିଥିଲେ ସେମାନେ ସରୋଗେସିର ସହାୟତା ନେଇପାରିବେ। ସରୋଗେସି ସହାୟତାରେ ସନ୍ତାନ ପ୍ରାପ୍ତ କରିବା ପାଇଁ ଇଚ୍ଛୁକ ଦମ୍ପତିଙ୍କୁ କୋର୍ଟରୁ କଷ୍ଟଡି ଅର୍ଡର ଆଣିବାକୁ ପଡ଼ିବ। ଏହା ସହ ସରୋଗେଟ ମଦରଙ୍କୁ ଏହାର ସହାୟତା ନେଉଥିବା ଦମ୍ପତି ୧୬ ମାସର ବୀନା ପ୍ରଦାନ କରିବେ।

ସନ୍ତାନ ଜନ୍ମ ହେବା ପରେ ସରୋଗେଟ ମଦରଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଦମ୍ପତିଙ୍କୁ ବହନ କରିବାକୁ ପଡ଼ିବ। ସରୋଗେସି ପାଇଁ ଆବେଦନ କରିବାକୁ ହେଲେ ପିତାଙ୍କ ବୟସ ସୀମା ୨୬ରୁ ୫୫ ଏବଂ ମାତାଙ୍କର ବୟସ ୨୫ରୁ ୫୦ ବର୍ଷ ମଧ୍ୟରେ ରହିବା ଆବଶ୍ୟକ। ଉଭୟ ଭାରତୀୟ ନାଗରିକ ହେବା ଆବଶ୍ୟକ। ଏମାନଙ୍କ ବିବାହକୁ ଅତି କମରେ ୫ ବର୍ଷ ହୋଇଥିବ। ଦମ୍ପତିଙ୍କର କୌଣସି ସନ୍ତାନ ନଥିବେ। ଦିବ୍ୟାଙ୍ଗ ସନ୍ତାନ ଥିବା ଦମ୍ପତିଙ୍କୁ ସରୋଗେସିର ସହାୟତା ନେବା ପାଇଁ ଅନୁମତି ରହିଛି।

ସରୋଗେଟ ମଦର ପାଇଁ କାହାକୁ ମିଳିପାରିବ ଅନୁମତି?

ସରୋଗେସି ନିମନ୍ତେ ଦମ୍ପତିଙ୍କ ପାଇଁ ଆଇନ ରହିଥିବାରବେଳେ ସରୋଗେଟ ମଦରମାନଙ୍କ ପାଇଁ ସମାନ ନିୟମ ରହିଛି। ସରୋଗେଟ ମଦର ହେବା ପାଇଁ କିଛି ନିୟମ ରହିଛି। ସରୋଗେଟ ମଦର ହେବାକୁ ଚାହୁଁଥିବା ମହିଳା ବିବାହିତା ହୋଇଥିବେ ଓ ତାଙ୍କର ନିଜର ସନ୍ତାନ ରହିଥିବା ଦରକାର। ତାଙ୍କର ବୟସ ସୀମା ୨୫ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସରୋଗେସି ପାଇଁ ଆବେଦନ କରିଥିବା ଦମ୍ପତିଙ୍କ ନିକଟ ସମ୍ପର୍କୀୟ ସରୋଗେଟ ମଦର ହୋଇପାରିବେ। ଏଥିପାଇଁ ସମ୍ପୃକ୍ତ ମହିଳା ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ହୋଇଥିବା ଆବଶ୍ୟକ।

ସରୋଗେସି କରାଉଥିବା କ୍ଲିନିକ ପାଇଁ ମଧ୍ୟ ରହିଛି ନିୟମ

କେବଳ ସରୋଗେସିର ସହାୟତା ନେଉଥିବା ଦମ୍ପତି କିମ୍ବା ସରୋଗେଟ ମଦରଙ୍କ ପାଇଁ ନିୟମ ରହିନାହିଁ, ସରୋଗେସି କରାଉଥିବା କ୍ଲିନିକ ପାଇଁ ମଧ୍ୟ ସମାନ ଆଇନ ବ୍ୟବସ୍ଥା ରହିଛି। ଏହା ଅନ୍ତର୍ଗତ ଦେଶର କୌଣସି ବି କ୍ଲିନିକରେ କମର୍ସିଆଲ ସରୋଗେସିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏହା ସହ ସମ୍ପୃକ୍ତ କ୍ଲିନିକ ସରୋଗେସିକୁ ନେଇ ଖବର କାଗଜ କିମ୍ବା ଟିଭିରେ ବିଜ୍ଞାପନ ଦେଇପାରିବେ ନାହିଁ। ସରୋଗେସି ପ୍ରକ୍ରିୟା ମଧ୍ୟରେ ଲିଙ୍ଗ ନିରୁପଣ କରିବା ଉଭୟ କ୍ଲିନିକ ଏବଂ ଦମ୍ପତିଙ୍କ ପାଇଁ ଅକ୍ଷମଣିୟ ଅପରାଧ ହେବ।

ନିୟମ ଖିଲାପକାରୀଙ୍କ ପାଇଁ କ’ଣ ରହିଛି ଦଣ୍ଡ ବ୍ୟବସ୍ଥା?

କମର୍ସିଆଲ ସରୋଗେସି କରାଯାଉଥିଲେ ଦୋଷୀ ବିରୋଧରେ ୧୦ ବର୍ଷର ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମାନା ଆଦେଶ ରହିଛି। ସରୋଗେସିର ସହାୟତା ନେଇଥିବା ଦମ୍ପତି ଯଦି ସରୋଗେଟ ସନ୍ତାନକୁ ଅପଣାଇବା ପାଇଁ ଅସ୍ୱୀକାର କରନ୍ତି କିମ୍ବା ଦୁର୍ବ୍ୟବହାର କରନ୍ତି ତେବେ ସମ୍ପୃକ୍ତ ଦମ୍ପତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ। ଏହା ଅନ୍ତର୍ଗତ ୧୦ ଲକ୍ଷ ଟଙ୍କା ଜୋରିମାନ ସହ ୧୦ ବର୍ଷର ଜେଲ ଦଣ୍ଡାଦେଶ ରହିଛି। ଜନ୍ମ ପୂର୍ବରୁ ଲିଙ୍ଗ ନିରୁପଣ କରାଇଲେ ସମାନ ଦଣ୍ଡ ବିଧାନ ରହିଛି।

ସରୋଗେସି ପ୍ରକ୍ରିୟା ମଧ୍ୟରେ ଯଦି କୌଣସି ଡାକ୍ତର ନିୟମର ଉଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ମଧ୍ୟ କଠୋର ଦଣ୍ଡ ବିଧାନର ନିୟମ ରହିଛି। ନିୟମ ଉଲଙ୍ଘନକାରୀ ଡାକ୍ତରଙ୍କ ବିରୋଧରେ ୫ ବର୍ଷର ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଜୋରିମାନା ଆଦେଶ ରହିଛି। ଦୁଇ ଥର ନିମୟ ଭାଙ୍ଗିଲେ ସମ୍ପୃକ୍ତ ଡାକ୍ତର ଏବଂ କ୍ଲିନିକର ଲାଇସେନ୍ସ ରଦ୍ଦ କରାଯିବାର ବ୍ୟବସ୍ଥା ରହିଛି।

LEAVE A REPLY

Please enter your comment!
Please enter your name here