ଓଡ଼ିଶାଲାଇଭ୍ ବ୍ୟୁରୋ
- ମୋ ସରକାର ସମୀକ୍ଷା
- ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ସାମିଲ
- ସରକାର ଓ ସରକାରୀ ଅନୁଷ୍ଠାନ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀ ବଦଳିଛି
- ଜନସାଧାରଣ ଓ ସରକାର ମଧ୍ୟରେ ଆସ୍ଥା ସ୍ଥାପନ କରିବାରେ ସଫଳ ହେଉଛି ମୋ ସରକାର
- ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୋ ସରକାର ଉପକ୍ରମ ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହ ସବୁ ବିଭାଗ କାର୍ଯ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ ଯେ, ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ମଧ୍ୟରେ ଓଡ଼ିଶାରେ ବ୍ୟାପକ ବିକାଶ ହୋଇଛି ଓ ଓଡ଼ିଶା ଅନେକ କ୍ଷେତ୍ରରେ ଆଦର୍ଶ ହୋଇପାରିଛି। ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ଏବେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେବାରେ ସଫଳ ହୋଇଛି ହୋଇଛି ବୋଲି ସେ କହିଥିଲେ।
ସେ ଆହୁରି କହିଛନ୍ତି ସରକାର ଓ ସରକାରୀ ଅନୁଷ୍ଠାନଗୁଡ଼ିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି। ଜନସାଧାରଣ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ମଧ୍ୟ ଏହା ସଫଳ ହୋଇପାରିଛି।
ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନାଗରିକମାନଙ୍କୁ ସେବା ପ୍ରଦାନ କରିବା ସମୟରେ ବର୍ତ୍ତମାନ ଅଧିକ ଦାୟିତ୍ଵସଂପନ୍ନ ଓ ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ଏହି ଅବସନ୍ତରେ ନବୀନ ପଟ୍ଟନାୟକ କହିଛନ୍ତି।
ଏହି କାର୍ଯ୍ୟକ୍ରମ ଦ୍ଵାରା ପ୍ରଶାସନିକ ପ୍ରକ୍ରିୟା ଏବେ ଅଧିକ ସହଭାଗୀତାଭିତ୍ତିକ ହୋଇପାରିଛି ଏବଂ ଏହି ପ୍ରକ୍ରିୟା ମଧ୍ୟରେ ନାଗରିକମାନେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଂଶୀଦାର ମଧ୍ୟ ହୋଇପାରିଛନ୍ତି। ଏ ଦିଗରେ ନିରନ୍ତର ପ୍ରୟାସ ଦ୍ଵାରା ଏକ ସମତା ଓ ନ୍ୟାୟଭିତ୍ତିକ ଅନ୍ତର୍ଭୁକ୍ତି ସମାଜ ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ପୁଣି ଥରେ କହୁଛି ଯେ, ନାଗରିକମାନଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା। ଆମ ସମସ୍ତଙ୍କୁ ନିରନ୍ତର ଉନ୍ନତି କରିବା ଏବଂ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି। ବିଭାଗଗୁଡ଼ିକର ଭୂମିକା ଲୋକଙ୍କ ମତାମତ ସଂଗ୍ରହ କରିବାରେ ଶେଷ ହୋଇଯିବା ଉଚିତ ନୁହେଁ, ବରଂ ଏଥିରେ ଯେଉଁ ସମସ୍ୟା ଅଛି, ସେଗୁଡ଼ିକ ସମାଧାନ କରିବା ପାଇଁ ପଦକ୍ଷେପ ନେବା ଜରୁରୀ। ଯେଉଁ କର୍ମଚାରୀମାନେ ଲୋକଙ୍କୁ ସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କୁ ବିଭାଗଗୁଡ଼ିକ ମାନ୍ୟତା ଦେବାର ଆବଶ୍ୟକତା ମଧ୍ୟ ରହିଛି”।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅର୍ଥ, ପୂର୍ତ୍ତ ଏବଂ ବାଣିଜ୍ୟ ଓ ପରିବହନ ଏହି ୩ଟି ବିଭାଗକୁ ମୋ ସରକାରରେ ସାମିଲ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ବୈଠକରେ ୬ଟି ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା ହୋଇଥିଲା। ଏଗୁଡ଼ିକ ହେଲା ଗୃହ ବିଭାଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜଳସଂପଦ ବିଭାଗ।
ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ଏହା ଲୋକଙ୍କଠାରୁ ଫିଡବ୍ୟାକ ଗ୍ରହଣ କରିବାର ସବୁଠାରୁ ବଡ଼ କାର୍ଯ୍ୟକ୍ରମ। ଏଥିରେ ପ୍ରାୟତଃ ସବୁ ବିଭାଗ ସାମିଲ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ନିୟମିତ ଭାବେ ତଦାରଖ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ।
ଏହି ଅବସରରେ ୫-ଟି ସଚିବ ଭି କେ ପାଣ୍ଡିଆନ କହିଥିଲେ, ଅଧିକାଂଶ ବିଭାଗର ଫିଡବ୍ୟାକ ବ୍ୟବସ୍ଥା ବହୁତ ଉନ୍ନତ ମାନର ଅଛି। ସାଧାରଣ ଲୋକଙ୍କଠାରୁ ମତାମତ ସଂଗ୍ରହ କରିବାରେ ବିଭାଗମାନେ ତତ୍ପରତା ଦେଖାଇବା ସହ ଭୁଲ କରୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି। ବିଶେଷ କରି ଇଂଜିନିୟରିଂ ବିଭାଗ ଗୁଡ଼ିକରେ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କଠାରୁ ମଧ୍ୟ ମୋ ସରକାରର କାର୍ଯ୍ୟକ୍ରମରେ ଫିଡବ୍ୟାକ ସଂଗ୍ରହ କରିବାର ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେ କହିଥିଲେ।
ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ଏକ ଉପସ୍ଥାପନ ରଖି କହିଥିଲେ, ରାଜ୍ୟର ୨୮ଟି ବିଭାଗର ୨୩୩ଟି ସେବା ମୋ ସରକାରରେ ସାମିଲ ହୋଇଛି। ନୂଆ ୩ଟି ବିଭାଗକୁ ମିଶାଇ ୩୧ଟି ବିଭାଗର ୨୫୦ଟି ସେବା ସାମିଲ ହେଲା।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Tags: #MoSarkar #RemodelTheAdministrativeSystem #CMOdisha #CMNaveenPatnaik