ଓଡ଼ିଶାଲାଇଭ୍ ବ୍ୟୁରୋ
ବାୟୋଟେକ୍ନୋଲୋଜି ଶିଳ୍ପ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ସୃଷ୍ଟି, ଭୁବନେଶ୍ୱର ହେବ ବାୟୋଟେକ୍ନୋଲୋଜି ହବ୍
ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରର ବିକାଶ ପାଇଁ ଅନୁକୂଳ ପରିବେଶ ରହିଛି। ତେଣୁ ଏହି ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ କାର୍ଯ୍ୟଦିବସ ଅବସରରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୫୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଶନିବାର ଦିନ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ପରିସରରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିକାଶର ସମ୍ଭାବନାକୁ ନେଇ ଆଲୋଚନା କରିବାକୁ ଏକ ସ୍ୱତନ୍ତ୍ର ଅଧିବେଶନ କରାଯାଇଥିଲା। ଏହି ଅବସରରେ ବିଭାଗ ପକ୍ଷରୁ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଙ୍ଗଠନ ସହିତ ୫ଟି ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ୮ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
ସାପିଜେନ ବାୟୋଲୋଜିକ୍ସ, ହୁୱେଲ୍ ଲାଇଫ୍ ସାଇନ୍ସ, କ୍ରପଜିନି ଇନୋଭେସନ, ଆସୋସିଏସନ ଅଫ୍ ବାୟୋଲୋଜି ଲେଡ୍ ଏଣ୍ଟରପ୍ରାଇଜ୍ (ଏବିଏଲଇ) ଓ ଗ୍ଲୋବାଲ୍ ନେଟୱର୍କ ଅଫ୍ ଅନ୍ତ୍ରୋପ୍ରିନିୟର୍ସ ଆଣ୍ଡ ପ୍ରଫେସନାଲ୍ସ ଫର ଓଡ଼ିଶା (ଜିଏନଇପିଓ) ଭଳି ପ୍ରମୁଖ ୫ଟି ଅନୁଷ୍ଠାନ ସହିତ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କ ଉପସ୍ଥିତିରେ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ର ଏହି ଏମଓୟୁ ଉପସ୍ଥାପନ କରିଥିଲେ।
ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ, ‘‘ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ୪୮୦ କିଲୋମିଟର ବ୍ୟାପି ବେଳାଭୂମି, ଅଭୟାରଣ୍ୟ, ହ୍ରଦ, ନଦୀ ଏବଂ ବିଭିନ୍ନ ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ ପର୍ବତମାଳା ରାଜ୍ୟର ଜୈବ ବିବିଧତାକୁ ସମୃଦ୍ଧ କରିଛନ୍ତି। ଏହିସବୁ ପ୍ରାକୃତିକ ସମ୍ପଦର ସୁବିନିଯୋଗ କରିବା ସହ ଆଧୁନିକ ଜ୍ଞାନକୌଶଳ ବିକାଶ କରାଗଲେ ଓଡ଼ିଶା ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଏକ ପ୍ରମୁଖ ହବ୍ ହୋଇପାରିବ।’’
ସେ ଆହୁରି କହିଥିଲେ ଯେ, ‘‘ଏହି କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ନୀତି ପ୍ରଣୟନ କରିଛନ୍ତି। ଏହା ଅଧାରରେ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ, ଇନକ୍ୟୁବେସନ ସେଣ୍ଟର, ଷ୍ଟାର୍ଟଅପ୍ ଉଦ୍ୟୋଗୀ ଏବଂ ପରିବେଶ ଅନୁକୂଳ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ତେଣୁ ବାୟୋଟେକ୍ନୋଲୋଜି ଉପରେ ଆଧାରିତ ବିଭିନ୍ନ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ଭିତରେ ସମନ୍ୱୟ ରକ୍ଷା କରାଯାଇ ଏ କ୍ଷେତ୍ରରେ ବିକାଶ ଅଣାଯାଇପାରିବ। ବିଶେଷକରି, ଆଗାମୀ ଦିନରେ ବିଭିନ୍ନ ପ୍ରକାରର କୃଷି ଓ ଫୁଲ ଚାଷ, ସାମୁଦ୍ରିକ ଉତ୍ପାଦ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଔଷଧ ଶିଳ୍ପ ଆଦି କ୍ଷେତ୍ରରେ ବାୟୋଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ ହେବାକୁ ଯାଉଛି।’’
ତେଣୁ ଏହି କ୍ଷେତ୍ର ପ୍ରତି ଯୁବପିଢ଼ିକୁ ଆକର୍ଷିତ କରିବା ସହିତ ରାଜ୍ୟର ଅଗ୍ରଣୀ ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଏବଂ ବାୟୋଟେକ୍ନୋଲୋଜି ଜ୍ଞାନକୌଶଳର ବିକାଶ ପାଇଁ କାମ କରୁଥିବା ଅନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଶ୍ରୀଯୁକ୍ତ ପଣ୍ଡା ସୂଚନା ଦେଇଥିଲେ।
ଏହି ଅଧିବେଶନ ଅବସରରେ ବାୟୋଫାର୍ମା ଏବଂ କୃଷି ଓ ଶିଳ୍ପ କ୍ଷେତ୍ରରେ ବାୟୋଟେକ୍ନୋଲୋଜିର ପ୍ରୟୋଗ ସମ୍ପର୍କରେ ଦୁଇଟି ପ୍ୟାନେଲ ଆଲୋଚନା ହୋଇଥିଲା। ଓଡ଼ିଶାରେ ଏ ଦିଗରେ ରହିଥିବା ବ୍ୟାପକ ସୁଯୋଗର କିଭଳି ବିନିଯୋଗ କରାଯାଇପାରିବ ଏବଂ ଏ ବିଷୟରେ ସରକାରଙ୍କ ସହିତ ବିଭିନ୍ନ ଅଂଶୀଦାର କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିବେ ସେନେଇ ବିଶେଷଜ୍ଞ ଓ ଉଦ୍ୟୋଗୀମାନେ ମତ ରଖିଥିଲେ।
ବାୟୋଫାର୍ମା ବିଷୟରେ ଅନୁଷ୍ଠିତ ଆଲୋଚନାରେ ହାଇଦ୍ରାବାଦସ୍ଥିତ ମ୍ୟାପ୍ ମାଇ ଜିନୋମର ପ୍ରତିଷ୍ଠାତା ଡକ୍ଟର ଅନୁ ଆଚାର୍ଯ୍ୟ, ହୁୱେଲ୍ ଲାଇଫ୍ ସାଇନ୍ସର ପ୍ରତିଷ୍ଠାତା ଡକ୍ଟର ଶିଶିର କୁମାର, ସାଇଜେନିକାର ପ୍ରତିଷ୍ଠାତା ଡକ୍ଟର ନୁସରତ ଜେ ଏମ୍ ସଙ୍ଘମିତ୍ରା ଏବଂ ପାନାସିଆ ବାୟୋଟେକର ସହ-ନିର୍ଦ୍ଦେଶକ ଡକ୍ଟର ଅମୂଲ୍ୟ ପଣ୍ଡା ଭାଗ ନେଇଥିଲେ। ଚେନ୍ନାଇ ଗୋଲ୍ଡେନ ଜୁବଲି ବାୟୋଟେକ ପାର୍କ ଫର ୱିମେନର ଅଧ୍ୟକ୍ଷ ଡକ୍ଟର ପି.ଏମ ମୂରଲୀ ଏହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
ସେହିପରି କୃଷି ଓ ଶିଳ୍ପ ସମ୍ପର୍କିତ ଆଲୋଚନାଚକ୍ରରେ ଆସୋସିଏସନ ଅଫ୍ ବାୟୋଲୋଜି ଲେଡ ଏଣ୍ଟରପ୍ରାଇଜର (ଏବିଏଲଇ) ଅଧ୍ୟକ୍ଷ ଜି.ଏସ କ୍ରିଷ୍ଣନ୍, ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାଣ୍ଟ କାଉନସିଲର (ବିଆଇଆରଏସି) ମୁଖ୍ୟ ଡକ୍ଟର ମନିଷ ଧୱନ, କୋତ୍ତାରମ ଆଗ୍ରୋ ଫୁଡ୍ସର ପ୍ରତିଷ୍ଠାତା ଡକ୍ଟର କେ କେ ନାରାୟନନ ଏବଂ ଶିଳ୍ପା ବାୟୋଲୋଜିକ୍ସର ଉପାଧ୍ୟକ୍ଷ କୃଷ୍ଣ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ। ବିସିକେଆଇସି ଭୁବନେଶ୍ୱରର ଅଧ୍ୟକ୍ଷ ତଥା କିଟ୍ ଟିବିଆଇର ସିଇଓ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଉପନିର୍ଦ୍ଦେଶକ ଶଶିକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #MakeInOdishaConclave2022 #BioTechnology #entrepreneurs #Odisha #MIO2022