ନୂଆଦିଲ୍ଲୀରୁ ଶୁଭଶ୍ରୀ ନାୟକ ଓ ଭୁବନେଶ୍ଵରରୁ ଅଭିଷେକ ରାୟ

ନୂଆଦିଲ୍ଲୀର ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩ରେ ନିଜ ବାୟୋଟେକ୍ନୋଲୋଜିର ସମ୍ଭାବନାକୁ ଉପସ୍ଥାପନ କଲା ଓଡ଼ିଶା।

ବାୟୋଟେକ୍ନୋଲୋଜି ସାରା ବିଶ୍ଵରେ ଆଜି ଏକ ନୂଆ ତଥା ଦ୍ରୁତ ବିକଶିତ କ୍ଷେତ୍ର ଭାବେ ଉଭାହୋଇଛି। ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନ ତଥା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ବାୟୋଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ ବିଶ୍ଵ ଅର୍ଥନୀତିକୁ ଏକ ନୂଆ ଦିଗ ଦେଉଛି। ଏହାସହିତ ବିଭିନ୍ନ ଦେଶରେ ଉଲ୍ଲେଖନୀୟ ନିଯୁକ୍ତି ସୃଷ୍ଟି କରିବା ସହ ବିପୁଳ ପୁଞ୍ଜିନିବେଶକୁ ଆକର୍ଷିତ କରୁଛି।

ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଆମ ଦେଶ ଭାରତ ବହୁତ ଉନ୍ନତି କରି ଏବେ ଏକ ବାୟୋ ଅର୍ଥନୀତି ହବରେ ପରିଣତ ହୋଇଛି। ଏହାସହ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ବାୟୋଟେକ୍ନୋଲୋଜି ଭିତ୍ତିକ ଷ୍ଟାର୍ଟଅପ ଏବଂ ବଡ଼ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆକର୍ଷଣ ପାଲଟିଛି।    

ବାୟୋଟେକ୍ନୋଲୋଜିକୁ ଆଧାରକରି ଭାରତରେ ଯେତେସବୁ ଅର୍ଥନୈତିକ କାରବାର ହେଉଛି ତାହାର ଆନୁମାନିକ ମୂଲ୍ୟ ୨୦୧୪ ସୁଦ୍ଧା ପ୍ରାୟ ୩୫ ବିଲିୟନ ଆମେରିକୀୟ ଡଲାର ଥିଲା। ୨୦୨୨ ସୁଦ୍ଧା ଏହା ୯୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ଆକଳନ କରାଯାଉଛି। ସେହିପରି ୨୦୩୦ ବେଳକୁ ଦେଶର ବାୟୋ ଅର୍ଥନୀତିକୁ ୩୦୦ ବିଲିୟନ ଆମେରିକୀୟ ଡଲାର ଲକ୍ଷ୍ୟ ରଖାଯାଇଛି। ଏହାକୁ ଦେଶର ଅର୍ଥନୀତିର ଏକ ପ୍ରମୁଖ କ୍ଷେତ୍ର ଭାବେ ଗଢ଼ି ତୋଳିବାକୁ ସବୁ ପଦକ୍ଷେପ ନିଆଯାଉଛି।      

ବାୟୋଟେକ୍ନୋଲୋଜିର ମହାକୁମ୍ଭ – ଗ୍ଲୋବାଲ ବାୟୋ ଇଣ୍ଡିଆ   

ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି, ଭବିଷ୍ୟତର ସମ୍ଭାବନା ଏବଂ ଆବଶ୍ୟକତାର ପ୍ରଦର୍ଶନ ପାଇଁ ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମରେ ଶେଷ ହୋଇଛି ତିନିଦିନିଆ ମେଗା କାର୍ଯ୍ୟକ୍ରମ ‘ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩’।

ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି ସମ୍ମିଳନୀରେ ଓଡ଼ିଶା ସାମିଲ ହୋଇ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ରାଜ୍ୟରେ ରହିଥିବା ବିପୁଳ ସୁଯୋଗ ଓ ସମ୍ଭାବନାକୁ ଉପସ୍ଥାପନ କରିଛି।

ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ବାୟୋଟେକ୍ନୋଲୋଜି କ୍ଷେତ୍ର ସହ ଜଡ଼ିତ ବିଶ୍ଵର ୩୦ରୁ ଅଧିକ ଦେଶର ପ୍ରତିନିଧି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା, ପ୍ରମୁଖ ଉଦ୍ୟୋଗ, ଷ୍ଟାର୍ଟଅପ୍, ବାୟୋକ୍ଲଷ୍ଟର, ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନ ସମେତ ଅନେକ ଅଂଶୀଦାରମାନେ ଯୋଗ ଦେଇଥିଲେ। ଏହାସହ ବାୟୋ-ଫାର୍ମା, ବାୟୋ-ଏନର୍ଜି ଭଳି ବାୟୋ-ଇଣ୍ଡଷ୍ଟ୍ରିର ବହୁ କମ୍ପାନି ଓ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

ସମ୍ମିଳନୀରେ ବାୟୋଟେକ୍ନୋଲୋଜି, ବାୟୋ ଇକୋନୋମି ତଥା ବାୟୋଟେକ୍ ଷ୍ଟାର୍ଟଅପ୍ ତଥା ବାୟୋ-ରିସର୍ଚ୍ଚ ଓ ଇନୋଭେସନ ଭଳି ବିଷୟକୁ ନେଇ ଏକାଧିକ ସେସନ ଓ ୱାର୍କସପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ଅଂଶୀଦାରମାନେ ବାୟୋଟେକ୍ନୋଲୋଜିର ଆବଶ୍ୟକତା, ଏଥିରେ ବର୍ତ୍ତମାନ ହେଉଥିବା ଗବେଷଣା ଏବଂ ଭବିଷ୍ୟତରେ ଏହି କ୍ଷେତ୍ରର ଆସିବାକୁଥିବା ଆଧୁନିକ ଜ୍ଞାନକୌଶଳ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ।

ଏହାସହ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବାୟୋଟେକ ଷ୍ଟାର୍ଟଅପମାନେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ  ନିଜର ନୂଆ ନୂଆ ଉଦ୍ଭାବନ, ଗବେଷଣା ତଥା ଅନୁସନ୍ଧାନକୁ ପ୍ରଦର୍ଶନ କରିଥିଲେ। ସେହିପରି ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ପାଇଁ ଏହି କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା କରାଯାଇଛି।   

ଗ୍ଲୋବାଲ ବାୟୋ ଇଣ୍ଡିଆରେ ଓଡ଼ିଶା

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶା ନିଜର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ସୁଯୋଗ ଓ ସମ୍ଭାବନାକୁ ପ୍ରଦର୍ଶନ କରିଛି। ଏଥିରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହେବା ସହ ରାଜ୍ୟର ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶ ଗ୍ରହଣ କରିଥିଲେ। ଭୁବନେଶ୍ଵରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଓ କିଟ୍ ଟିବିଆଇ ଭଳି ଇନକ୍ୟୁବେଟରରୁ ଆସିଥିବା ଏହି ଷ୍ଟାର୍ଟଅପମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରିଥିଲେ।   

ସୋମବାର ସମ୍ମିଳନୀରେ ଓଡ଼ିଶାର ଷ୍ଟାର୍ଟଅପଗୁଡ଼ିକୁ ନେଇ ଖୋଲାଯାଇଥିବା ଓଡ଼ିଶା ପାଭିଲିୟନକୁ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। ଗ୍ଲୋବାଲ ବାୟୋ ଇଣ୍ଡିଆରେ ଆୟୋଜିତ ପ୍ଲେନାରି ଅଧିବେଶନରେ ଯୋଗଦେଇ ସେ ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରର ସ୍ଥିତି, ସମ୍ଭାବନା ଓ ରାଜ୍ୟର ବାୟୋ ଅର୍ଥନୀତିକୁ କିଭଳି ସମୃଦ୍ଧ କରାଯାଇପାରିବ ସେ ବିଷୟରେ ନିଜର ମତ ପ୍ରକାଶ କରିଥିଲେ।

ସେ କହିଥିଲେ, “ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ଆଜି ବିଶେଷ ସଫଳତା ହାସଲ କରିପାରିଛି। ରାଜ୍ୟରେ ଥିବା ବ୍ୟାପକ ଜୈବ ସମ୍ପଦ, ସମୁଦ୍ର ଏବଂ ଜଳ ସମ୍ପଦ ବାୟୋଟେକ୍ନୋଲୋଜିର ପରିସରକୁ ସମୃଦ୍ଧ କରିଛି। ଏହାସହିତ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି, ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ, ବାୟୋଟେକ୍ନୋଲୋଜି ପାର୍କ ଆଦି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ନେଇଛି।’’

ସେହିପରି ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ସୋମବାର ଦିନ ଏକ ବିଶେଷ ଅଧିବେଶନ ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ କହିଥିଲେ।

ସେ କହିଥିଲେ, “ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ଥିବା ବିଭିନ୍ନ ଟେକ୍ନୋଲୋଜି ଇନକ୍ୟୁବେଟର ମାଧ୍ୟମରେ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି। ଏହାସହିତ ରାଜ୍ୟ ସରକାର ଯେଉଁ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ବାୟୋଟେକ୍ନୋଲୋଜି ନୀତି ଆଣିବାକୁ ଯାଉଛନ୍ତି, ତାହା ଏ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ବିଶେଷ ସହାୟକ ହୋଇପାରିବ।’’

ଓଡ଼ିଶା ସରକାର ଏହି ସମ୍ମିଳନୀରେ ନିଜର ଇଣ୍ଡଷ୍ଟ୍ରିଆଲ୍ ପଲିସି ରିଜୋଲ୍ୟୁସନ(ଆଇପିଆର୍) -୨୦୨୨ରେ ବାୟୋଟେକ୍ନୋଲୋଜି କ୍ଷେତ୍ରର ଉଦ୍ୟୋଗ, ଷ୍ଟାର୍ଟଅପ, ଇନକ୍ୟୁବେଟର ତଥା ରିସର୍ଚ୍ଚ ଇନଷ୍ଟିଚ୍ୟୁଟମାନଙ୍କୁ  ଦେଉଥିବା ପ୍ରୋତ୍ସାହନ ସମ୍ପର୍କରେ ଉପସ୍ଥାପନ କରିଥିଲେ।     

ଓଡ଼ିଶାର ଯୁବ ଉଦ୍ୟୋଗୀଙ୍କ ଅଭିନବ ଉତ୍ପାଦ

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭାରତୀୟ ବାୟୋଟେକ୍ନାଲୋଜି ଜଗତର ପରିଚିତ ବ୍ୟକ୍ତିତ୍ୱ ତଥା ବାୟୋକନ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମଦାର ସ’ ଓଡ଼ିଶା ପାଭିଲିୟନ ବୁଲି ଦେଖିଥିଲେ। ସେ ଓଡ଼ିଶାରୁ ଆସିଥିବା ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ଦେଖିବା ସହ ଏହି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ନେଇ ପ୍ରଶଂସା କରିଥିଲେ।

ସେ କହିଥିଲେ, “ବାୟୋ-ଅର୍ଥନୀତି ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି। ଏହାର ଚିତ୍ର ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଏଥିରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ଯୁବ ଉଦ୍ୟୋଗୀମାନେ ଅଭିନବ ଉପାୟ ଓ ପ୍ରଯୁକ୍ତିର ପ୍ରୟୋଗ କରି ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। କୃଷି ଏବଂ ଔଷଧ ଶିଳ୍ପ ଭିତ୍ତିକ ବାୟୋଟେକ୍ନୋଲୋଜି ଉଦ୍ୟୋଗ ପାଇଁ ରାଜ୍ୟରେ ଅନେକ ସମ୍ଭାବନା ରହିଛି।”

ଓଡ଼ିଶା ବାୟୋଟେକ୍ ପାର୍କ

ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଆଉ ଏକ ପାଦ ଆଗକୁ ନେବା ଲାଗି ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ୩୪ ଏକର ଜମିରେ ଓଡ଼ିଶା ବାୟୋଟେକ୍ ପାର୍କ ନିର୍ମାଣ କରାଯାଉଛି। ଭାରତ ବାୟୋଟେକ୍‌ର ବୈଷୟିକ ସହାୟତାକ୍ରମେ ୧୨୦୦ କୋଟି ଟଙ୍କା ବିନିମୟରେ ଏହି ପାର୍କ ନିର୍ମାଣ ହେଉଛି।

ଏଠାରୁ ଭାରତ ବାୟୋଟେକ୍ ସହ ଅନ୍ୟ କମ୍ପାନି ଟିକା ଉତ୍ପାଦନ କରିବାକୁ ଯୋଜନା କରିଛନ୍ତି। ଫଳରେ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ପୂର୍ବ ଏବଂ ଉତ୍ତରପୂର୍ବ ଭାରତର ଏକ ଗେଟୱେ ହୋଇପାରିବ।

ଓଡ଼ିଶା ପ୍ରାକୃତିକ ପରିବେଶର ଅପୂର୍ବ ଗନ୍ତାଘର। ଏଠାରେ ରହିଛି ବିସ୍ତୃତ ଓ ଘଞ୍ଚ ଜଙ୍ଗଲ,  ସବୁଜିମା ଓ ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ପ୍ରମୁଖ ନଦୀ ଏବଂ ୪୮୦ କିଲୋମିଟର ବ୍ୟାପି ବେଳାଭୂମି। ଏହାସହିତ ରହିଛି ହେନ୍ତାଳ ବଣରେ ପରିପୂର୍ଣ୍ଣ ଭିତରକନିକା, ଏସିଆ ମହାଦେଶର ବୃହତ୍ତମ ଲୁଣିପାଣି ହ୍ରଦ ଚିଲିକା ଏବଂ ଜୈବ ବିବିଧତାରେ ପରିପୂର୍ଣ୍ଣ ଶିମିଳିପାଳ ଭଳି ଅଭୟାରଣ୍ୟ। ଏହାସହିତ ରାଜ୍ୟରେ କୃଷି କ୍ଷେତ୍ରରେ ଥିବା ବିବିଧତା ମଧ୍ୟ ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ସମୃଦ୍ଧ କରୁଛି।

ଏହିସବୁ ପ୍ରାକୃତିକ ଉତ୍ସକୁ ଆଧାରକରି ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା ସହ ଆଧୁନିକ ଜ୍ଞାନକୌଶଳର ବିକାଶ କରାଯାଇ ପାରିଲେ ଓଡ଼ିଶା ବାୟୋ-ଅର୍ଥନୀତିରେ ସମୃଦ୍ଧ ହୋଇପାରିବ।

ବିକଶିତ ଅର୍ଥନୀତିର ନୂଆ ଚାବିକାଠି

ଆଧୁନିକ ଜୀବନଶୈଳୀ, ଶିଳ୍ପ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ ତଥା ଆଜିର ବିକଶିତ ଅର୍ଥନୀତି କ୍ଷେତ୍ରରେ ‘ବାୟୋ-ଅର୍ଥନୀତି’ ଏକ ନୂତନ ବିଷୟ ଭାବେ ପରିଚିତ ହେଉଛି। ଏଥିପାଇଁ ବିଶ୍ୱ ଅର୍ଥନୀତିରେ ଆଜି ବାୟୋଟେକ୍ନୋଲୋଜି ଏକ ଆକର୍ଷଣୀୟ ଦିଗ ଆଣିଦେଇଛି। ଭାରତ ମଧ୍ୟ ଏହି ଦିଗରେ ଅଗ୍ରସର ହେଉଛି।

ଭାରତରେ ବର୍ତ୍ତମାନ ୭୦୦ରୁ ଅଧିକ ଇନକ୍ୟୁବେଟର ଓ ୨୦୦ରୁ ଅଧିକ ବାୟୋଟେକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରହିଛି। ସେହିପରି ବର୍ତ୍ତମାନ ଦେଶରେ ୬,୩୦୦ରୁ ଅଧିକ ବାୟୋଟେକ୍ ଷ୍ଟାର୍ଟଅପ ରହିଥିବା ବେଳେ ୨୦୨୫ ସୁଦ୍ଧା ଏଗୁଡ଼ିକର ସଂଖ୍ୟା ୧୦ ହଜାରରୁ ଅଧିକ ହେବାକୁ ଯାଉଛି, ଯାହା ଦେଶର ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଆହୁରି ବିକଶିତ କରି ଅର୍ଥନୀତିକୁ ସମୃଦ୍ଧ କରିବାରେ ସହାୟକ ହେବ।    

Tags:  #GlobalBioIndia2023 #Biotechnology #BiotechStartups #Bio-Economy #DeptofScience&Technology #Odisha #India

Comment