ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗି ଥିବା ନିଆଁ ୩୬ ଘଣ୍ଟା ପରେ ଲିଭିଛି। ବୁଧବାର ରାତିରୁ ଲାଗିଥିବା ନିଆଁକୁ ଗୁରୁବାର ରାତି ସାଢ଼େ ୮ଟା ବେଳକୁ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ। ବର୍ତ୍ତମାନ କ୍ଷୟକ୍ଷତିର ଆକଳନ ଚାଲିଛି।
ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ନିୟୋଜିତ ହୋଇଥିଲେ ୧୨୦ରୁ ଅଧିକ ତାଲିମ ପ୍ରାପ୍ତ ଅଗ୍ନିଶମ ବିଭାଗ କର୍ମଚାରୀ। ୧୨ରୁ ଅଧିକ ଦମକଳ ଗାଡ଼ି ମଧ୍ୟ ନିୟୋଜିତ ହୋଇଥିଲା ନିଆଁ ଲିଭା କାମରେ। ନିଆଁ ଲିଭାଇବାକୁ ନାକେଦମ ହୋଇପଡ଼ିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ। ଧୂଆଁ ବାହାରିପାରୁ ନଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା।
ଅକ୍ସିଜେନ ମାସ୍କ ବ୍ୟବହାର କରି କର୍ମଚାରୀମାନେ ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘ ୩୬ ଘଣ୍ଟାର ଚେଷ୍ଟା ପରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସର ନିଆଁକୁ ଆୟତ୍ତ କରାଯାଇପାରିଛି। ଗୁରୁବାର ଦିନ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦାରଖ କରିଥିଲେ।
ବୁଧବାର ରାତି ପ୍ରାୟ ସାଢ଼େ ୮ଟା ବେଳକୁ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଡ୍ରେସ ଦୋକାନରେ ନିଆଁ ଲାଗିଥିଲା। ପରେ ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପିଥିଲା। ମାର୍କେଟ କମ୍ପ୍ଲେକ୍ସ ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ଵିତୀୟ ଏବଂ ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ପ୍ରଥମ ମହଲାରେ ରହିଥିବା ୪୩ରୁ ଅଧିକ ଦୋକାନ ପୋଡ଼ି ନଷ୍ଟ ହୋଇଯାଇଛି। କ୍ଷୟକ୍ଷତିର ଆକଳନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।
ସଂର୍କୀର୍ଣ୍ଣ ରାସ୍ତା କାରଣରୁ ଅଗ୍ନିଶମ ବିଭାଗ ପାଇଁ ନିଆଁ ଲିଭାଇବା ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଥିଲା। ମାର୍କେଟ କମ୍ପ୍ଲେକ୍ସର ପଛପଟ କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଅଗ୍ନିଶମ କର୍ମଚାରୀ।
ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଆଖପାଖ ଦୋକାନଗୁଡ଼ିକୁ ଖାଲି କରାଯିବା ସହ ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ନିଆଁ ଲାଗିଥିବା ସମ୍ରାଟ ହୋଟେଲରୁ ପ୍ରାୟ ୧୫୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଅନ୍ୟସ୍ଥାନରେ ସେମାନଙ୍କୁ ରଖାଯାଇଥିଲା। ଜୀବନ ବଞ୍ଚାଇକୁ ସମସ୍ତେ ନିଜ ଜିନିଷ ପତ୍ର ଛାଡ଼ି ପଳାଇଥିଲେ। ପରେ ସେମାନଙ୍କୁ ସେମାନଙ୍କ ଜିନିଷ ହସ୍ତାନ୍ତର କରାଯାଇଥିଲା।
Tags: #PuriLaxmiMarketComplex #MassiveFire #Fire #MajorFireControl