କ୍ଟର ରଞ୍ଜିତ କୁମାର ଡ଼ଙ୍ଗୀ

ଚନ୍ଦ୍ରଯାନ-୩ ର ବଡ଼ ସଫଳତା ସାରା ବିଶ୍ଵରେ ଅବସ୍ଥାପିତ ଭାରତୀୟଙ୍କୁ ଗୌରବାନ୍ଵିତ କରିବା ଲାଗି ଏକ ଅବିସ୍ମରଣୀୟ ଅନୁଭୂତି ଆଣି ଦେଇଛି।

୨୦୨୩ ମସିହା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତର ନାଁ ବିଶ୍ଵ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇରହିବ। ଅନେକ ବର୍ଷ ହେଲା ଏହି ଦିନକୁ ଆମେ ଅପେକ୍ଷା କରିଆସିଥିଲୁ। ଆମ ସମସ୍ତଙ୍କର ଆଶା ପୂରଣ ହୋଇଛି।

ଚନ୍ଦ୍ରଯାନର ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ର ପୃଷ୍ଠକୁ ଛୁଇଁ ପାରିଛି। ଏଠାରୁ ସଂଗ୍ରହ ହୋଇଥିବା ତଥ୍ୟ ଗବେଷଣାରେ ସହାୟକ ହେବ। ଆମେ ବିଶ୍ଵର ଚତୁର୍ଥ ଦେଶ ଭାବରେ ଏହି ସୋପାନ ଛୁଇଁ ପାରିଛୁ। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପ୍ରଥମ ରାଷ୍ଟ୍ରର ମାନ୍ୟତା ହାସଲ କରିପାରିଛି। ଧନ୍ୟ ହୋଇଛି ଆମ ଇସ୍ରୋ ଦ୍ଵାରା ନିର୍ମିତ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’। ଆମ ଦେଶର ମହାକାଶ ବିଜ୍ଞାନ କାର୍ଯ୍ୟକ୍ରମର ପିତାମହ ଡକ୍ଟର ବିକ୍ରମ ସରାଭାଇଙ୍କ ସ୍ଵପ୍ନ ସାକାର ହୋଇପାରିଛି।

୨୦୦୮ ମସିହାରେ ଚନ୍ଦ୍ରଯାନ-୧ ର ସଫଳତା ଐତିହାସିକ ଥିଲା। ଏହା ପରେ ୨୦୧୩-୧୪ ରେ ମଙ୍ଗଳ ଯାନର ଅଭିଯାନ ମଧ୍ୟ ସଫଳ ହୋଇଥିଲା। ମଙ୍ଗଳ ଗ୍ରହ କକ୍ଷରେ ପହଞ୍ଚି ପ୍ରଥମ ଚେଷ୍ଟାରେ ଆମେ କୃତକାର୍ଯ୍ୟ ହୋଇ ସାରା ବିଶ୍ଵକୁ ଚକିତ କରିଦେଇଥିଲୁ। କିନ୍ତୁ ୨୦୧୯ରେ ଚନ୍ଦ୍ରଯାନ-୨ ର ବିଫଳତା ଆଗକୁ ବଢ଼ିବାକୁ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇଥିଲା। ଆମେ ଚନ୍ଦ୍ରରେ ପହଞ୍ଚୁବୁ ବୋଲି ସମସ୍ତଙ୍କର ବିଶ୍ଵାସ ବଢ଼ିଥିଲା।

ଆମର ଲାଣ୍ଡର ଓ ରୋଭର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ ଓ ଗବେଷଣା କରିବାରେ ସହାୟକ ହେବ। ଚନ୍ଦ୍ରରେ ଅତ୍ୟଧିକ ପରିମାଣରେ ସିଲିକନ ରହିଛି। ଅଲମିନା, ଲୌହଅକ୍ସାଇଡ, ଲାଇମଷ୍ଟୋନ ଓ ମ୍ୟାଗ୍ନେସିୟମ ଆଦି ଖଣିଜ ପଦାର୍ଥର ଗନ୍ତାଘର ହୋଇରହିଛି। ତେଣୁ ଏସବୁ ମୂଲ୍ୟବାନ ଖଣିଜ ପଦାର୍ଥ ଉପରେ ଗବେଷଣା କରାଯିବା ଆବଶ୍ୟକ। ଚନ୍ଦ୍ରଯାନ-୧ ସମୟରୁ ଆମେ ଚନ୍ଦ୍ର ପୃଷ୍ଠରେ ଜଳର ଉପସ୍ଥିତି ସମ୍ବନ୍ଧୀୟ ନିଷ୍କର୍ସ ପାଇପାରିଛୁ, ଯାହାକି ହାଇଡ୍ରୋକ୍ସିଲ ଅଣୁ-ଆୟନ ଓ ବରଫମାନ ଅବସ୍ଥାରେ ଦକ୍ଷିଣ ମେରୁରେ ଅବସ୍ଥିତ ବୋଲି ଜଣାପଡ଼ିଛି। ତେଣୁ ସେହି ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ର ଅବତରଣ ଓ ଡାଟା ସଂଗ୍ରହ ଏକ ମାଇଲ ଖୁଣ୍ଟ ସଦୃଶ୍ୟ ହୋଇପାରିଛି।

ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ସଂରଚନା ଇସ୍ରୋର ସ୍ପେସ ଆପ୍ଲିକେସନ ସେଣ୍ଟର (ଏସଏସି) ଅହମ୍ମଦାବାଦଠାରେ କରାଯାଇଥିଲା। ଏଥିରେ ଲ୍ୟାଣ୍ଡର ଇମେଜର ଓ ରୋଭର ଇମେଜର ମଧ୍ୟ ରହିଛି। ସଠିକ ଭାବରେ ଲ୍ୟାଣ୍ଡରର ଅବସ୍ଥିତି ନିରୂପଣ କରିବା ପାଇଁ ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା ରହିଛି। ଲ୍ୟାଣ୍ଡିଂ ପୂର୍ବରୁ ସଠିକ ଓ ସଫଳ ଭାବରେ ଅବତରଣ ପାଇଁ ଠିକ୍ ସ୍ଥାନ ନିରୂପଣ ଲାଗି ଅନ୍ୟ ସେନ୍ସର ରହିଛି।

ଲ୍ୟାଣ୍ଡର ହାଜାଡ ଡିଟେକ୍ସନ ଓ ଆଭୟଡାନ୍ସ କ୍ୟାମେରାର ସଂରଚନା କରଯାଇଥିଲା। କୌଣସି ପ୍ରକାର ବିପତ୍ତିର ସୂଚନା କିମ୍ବା ସଙ୍କେତ ମିଳିଥିଲେ ଏହା ଦ୍ଵାରା ତାକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା। କିନ୍ତୁ ଆମର ଜ୍ଞାନକୌଶଳ ହାର୍ଡଓ୍ଵେୟାର ଓ ସଫ୍ଟଓ୍ଵେୟାର ସଠିକ ଭାବରେ କାମ କରିଛି। ମୁଖ୍ୟତଃ ଆମ ଲ୍ୟାଣ୍ଡର ସହ ସଂରଚିତ କା’ ବ୍ୟାଣ୍ଡ (Ka band) ରାଡାର ଅଲ୍ଟିମିଟର ଇନଷ୍ଟ୍ରୁମେଣ୍ଟ, ଯାହାକି ଲ୍ୟାଣ୍ଡିଂ ସମୟରେ ଚନ୍ଦ୍ରପୃଷ୍ଠରୁ ସଠିକ ଉଚ୍ଚତା ନିରୂପଣ କରିପାରିଛି ଓ ଚମତ୍କାରିତାର ମାପକାଠି ମାନ୍ୟତା ପାଇପାରିଛି। ଏହା ସହ ଚନ୍ଦ୍ରଯାନ-୩ ର ବେଗକୁ ସଠିକ ନିୟନ୍ତ୍ରଣ କରାଯାଇପାରିଛି। ସଫ୍ଟଓ୍ଵେୟାର ଦ୍ଵାରା ସ୍ଥିର କରାଯାଇଥିବା ଠିକ୍ ସମୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରାଯାଇପାରିଛି। ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ଭାରତ ସାରା ବିଶ୍ଵକୁ ଚକିତ କରିଦେଇଛି।

ଚନ୍ଦ୍ରଯାନ-୩ରେ ମୁଖ୍ୟତଃ ତିନି ଶ୍ରେଣୀର ପେଲୋଡ ବା ଇନଷ୍ଟ୍ରୁମେଣ୍ଟର ସଂରଚନା କରାଯାଇଛି। ୧- ପ୍ରକ୍ଷେପଣ ମଡୁଲ, ଯାହାକି ପ୍ରାୟ ୬ ମାସ ଅବଧି ପାଇଁ ଚନ୍ଦ୍ର ଚାରିପଟେ କକ୍ଷ ପଥରେ ପରିକ୍ରମା କରିବ, ୨- ବିକ୍ରମ ଲ୍ୟାଣ୍ଡର ୧୪ ଦିନର ଅବଧି ଓ ୩- ପ୍ରଜ୍ଞାନ ରୋଭର ଯାହାକି ୧୪ ଦିନର ଅବଧି ସମୟରେ ପରୀକ୍ଷା-ନିରୀକ୍ଷା କରିବାର ଯୋଜନା କରାଯାଇଛିI ଏଥିରୁ ଅନେକ ନୂତନ ତଥ୍ୟ ଓ ବୈଜ୍ଞାନିକ ଜ୍ଞାନ ଚନ୍ଦ୍ରପୃଷ୍ଠର ମୃତ୍ତିକା, ଧାତୁପଦାର୍ଥ, ତାପମାତ୍ରା, ଆର୍ଦ୍ରତା ଇତ୍ୟାଦିର ଆକଳନ କରାଯିବ।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବାରେ ଆମେ ପ୍ରଥମ ଦେଶ। ତେଣୁ ଦକ୍ଷିଣ ମେରୁରେ ଅବସ୍ଥିତ କ୍ରେଟର ଓ ମୃତ୍ତିକା ସମ୍ବନ୍ଧୀୟ ତଥ୍ୟ ଜ୍ଞାନର ଅଧ୍ୟୟନ ସାରା ବିଶ୍ଵ ପାଇଁ ବହୁତ ମୂଲ୍ୟବାନ। କାରଣ ଚିନ, ନାସା (ଆମେରିକା), ଋଷ, ୟୁରୋପିଆନ ସ୍ପେସ ସଂସ୍ଥା ଓ ଜାପାନ ଆଦି ମହାକାଶ ଗବେଷଣା କରୁଥିବାର ଦେଶମାନେ ଚନ୍ଦ୍ରର ଦକ୍ଷିଣ ମେରୁ ସମ୍ବନ୍ଧୀୟ ଜ୍ଞାନ କୌଶଳ ଓ ବିଷୟବସ୍ତୁ ଉପରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ଇଚ୍ଛୁକ।

ଆମ ପୃଥିବୀରେ ଗୋଟିଏ ଦିନ ଚନ୍ଦ୍ରରେ ୧୪ ଦିନ ସହ ସମାନ ଓ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଆମ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିଠାରୁ ୬ ଗୁଣା କମ। ବେଙ୍ଗାଳୁରୁ ନିକଟସ୍ଥ ଚିତ୍ରଦୁର୍ଗାର ପାହାଡ଼ିଆ ଅଞ୍ଚଳ ଓ ଅନ୍ୟ କ୍ଷେତ୍ରରେ ଚନ୍ଦ୍ରଯାନର ଲ୍ୟାଣ୍ଡର ଓଜନର କୃତ୍ରିମ ବସ୍ତୁକୁ କ୍ରେନ ଓ ହେଲିକପ୍ଟର ଦ୍ଵାରା ଅନେକ ଥର ଉତ୍ତଳନ ଓ ଅବତରଣର ଆଭ୍ୟାସ କରାଯାଇଥିଲା।

ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡରରେ ଅନ୍ୟ ୩ଟି ଇନଷ୍ଟ୍ରୁମେଣ୍ଟ ରହିଛି। ୧- ଚାଷ୍ଟ (ChaSTE) ଚନ୍ଦ୍ରର ଉପର ପାର୍ଶ୍ଵର ତାପମାନକୁ ମାପ କରିବା ପାଇଁ ଓ ଏହା କୃତକାର୍ଯ୍ୟ ହୋଇଛି। ୨- ଇଲସା (ILSA) ସେସମିକ ସେନ୍ସର, ଯାହାକି ଚନ୍ଦ୍ର ପୃଷ୍ଟରେ ଭୂମିକମ୍ପ ସମ୍ବନ୍ଧୀୟ ଜ୍ଞାନ ଓ ତଥ୍ୟ ପ୍ରଦାନ କରିବ ଓ ୩- ଲ୍ୟାଙ୍ଗମିୟର ପ୍ରୋବ (LP) ଚନ୍ଦ୍ର ପୃଷ୍ଠରେ ପାଖାପାଖି ଥିବା ପ୍ଲାଜମାର ଘନତା ଉପରେ ଅଧ୍ୟୟନ କରିବ, ଯାହା ବୈଦ୍ୟୁତିକ ସମ୍ବନ୍ଧୀୟ ଗୁଣାବଳୀର ତଥ୍ୟ ପ୍ରଦାନ କରିବ। ପ୍ରଜ୍ଞାନ ରୋଭୋରରେ ଥିବା ଦୁଇ ପେଲୋଡ ବା ଇନଷ୍ଟ୍ରୁମେଣ୍ଟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

ଏହି ୧୪ ଦିନ ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅଧ୍ୟୟନ ଓ ସଂଶ୍ଳେଷଣ କରିବା ପାଇଁ ଏଥିରେ ଆଲଫା କଣିକାର ସ୍ପେକଟ୍ରୋମିଟର ରହିଛି, ଯାହା ଚନ୍ଦ୍ରପୃଷ୍ଠରେ ଥିବା ମୃତ୍ତିକାର ରସାୟନିକ ଓ ଧାତୁପଦାର୍ଥର ଅବସ୍ଥିତି ବିଷୟରେ ତଥ୍ୟ ପ୍ରଦାନ କରିବ। ଅନ୍ୟତ୍ର ଯନ୍ତ୍ର ବା ପେଲୋଡଟି ହେଲା, ଲେଜର ରଶ୍ମି ଜନିତ ସ୍ପେକଟ୍ରୋସ୍କୋପି (ଲିବ୍ସ) ଯାହାକି ଅନେକ ଧାତୁପଦାର୍ଥ (ମ୍ୟାଗ୍ନେସିୟମ, ସିଲିକନ, ଲୌହ, ପୋଟାସିୟମ, କ୍ୟାଲସିୟମ, ଟାଇଟନିୟମ ଇତ୍ୟାଦି)ର ଉପସ୍ଥିତି ବିଷୟରେ ସନ୍ଧାନ ଜାରି ରଖିଛି। ଚନ୍ଦ୍ରର ଚାରିପଟେ କକ୍ଷପଥରେ ଘୁରିବୁଲୁଥିବା ପ୍ରକ୍ଷେପଣ ଯନ୍ତ୍ର (ପ୍ରୋପଲସନ ମୋଡ୍ୟୁଲ), ଯେଉଁଥିରେ ‘ସେପ’ ନାମକ ପେଲୋଡ ସଂରଚିତ। ଏହା ଏତେ ଦୂରରେ ଥାଇ ମଧ୍ୟ ପୃଥିବୀର ସ୍ପେକ୍ଟ୍ରାଲ ଓ ପୋଲାରିମେଟ୍ରିକ୍ ସମ୍ବନ୍ଧୀୟ ତଥ୍ୟର ଅଧ୍ୟୟନ କରିବ।

ତେଣୁ ଏସବୁ ଇନଷ୍ଟ୍ରୁମେଣ୍ଟ ସହ ଚନ୍ଦ୍ରଯାନ-୩ ମିଶନର ଉଦ୍ଦେଶ୍ୟ ଓ ତଥ୍ୟ ସଂଗ୍ରହ ଆମ ଦେଶର ଓ ବିଶ୍ଵର ବିଜ୍ଞାନ ଏବଂ ଅନୁସନ୍ଧାନ ପ୍ରତି ଏକ ବିରାଟ ସୋପାନ, ଅବଦାନ ଓ ସଫଳତାର ବିଷୟ। ଏହା ବିଜ୍ଞାନ ସହ ଜଡ଼ିତ ସମସ୍ତ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ଓ ସାଧାରଣ ମାନବକୁ ପ୍ରେରଣା ଦେଇଛି ଚନ୍ଦ୍ର, ଇସ୍ରୋ ଓ ଆମ ବିଜ୍ଞାନର ପ୍ରଗତି ବିଷୟରେ ଅନେକ ନୂଆ ନୂଆ ବିଷୟ ଜାଣିବା ପାଇଁ।

ତେଣୁ ଆଶା କରୁଛୁ ଆଗକୁ ଆମେ ମହାକାଶଚାରୀମାନଙ୍କୁ ମଧ୍ୟ ଚନ୍ଦ୍ରପୃଷ୍ଠକୁ ପଠାଇପାରିବୁ ଏବଂ ଧୀରେ ଧୀରେ ଆଗାମୀ ଦଶକମାନଙ୍କରେ ଆମେ ମାନବ କଲୋନୀ ପାଇଁ ଯୋଜନା ସ୍ଥାପନ କରିପାରିବୁ। ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ଓ ତା’ର ସ୍ତର ଏବଂ ମାତ୍ରାର ଆକଳନ କରିପାରିବୁ। ଏହା ସହ ମାନବର ସାଧନ ପାଇଁ ଆବଶ୍ୟକ ଅମ୍ଳଜାନ, ଜଳ ଓ ଉଦଜାନ ମିଳିଲା ପରେ ହୁଏତ ବସତି ସ୍ଥାପନ ହୋଇପାରିବୁ। ଏହି ସ୍ଵପ୍ନ ସାକାର ଓ ସଫଳ ହୋଇପାରିବ ବୋଲି ମୋର ଆଶା ଓ ବିଶ୍ଵାସ।

ଚନ୍ଦ୍ର ପୃଷ୍ଠରେ କୃଷି ଜୀବଜନ୍ତୁ ଇତ୍ୟାଦିର ପ୍ରେରଣ ଓ ବିସ୍ତାର କିପରି ହୋଇପାରିବ ତା’ ଉପରେ ଗବେଷଣା ଜାର ରହିଛି। ‘ଆଷ୍ଟ୍ରୋବାୟୋଲୋଜି’ର ଗବେଷଣା ଅଧିକରୁ ଅଧିକ ଜାରି ରହିଛି। ମହାକାଶଚାରୀଙ୍କ ମହାକାଶ ଗ୍ରସ୍ତ ପାଇଁ ଯାନ ଏବଂ ସେମାନଙ୍କର ସ୍ଵାସ୍ଥ୍ୟ, ରହଣି ଓ ସୁରକ୍ଷିତ ଭାବେ ଭୂପୃଷ୍ଠକୁ ଫେରିବାର ବ୍ୟବସ୍ଥା ଓ ଏଥିସମ୍ବନ୍ଧ ଗବେଷଣା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଆମ ଦେଶ ମଧ୍ୟ ଅନେକ ପ୍ରକଳ୍ପ ଓ ମିଶନ ମାଧ୍ୟମରେ ମହାକାଶକୁ ମହାକାଶଚାରୀଙ୍କୁ ପଠାଇ ସମସ୍ତ ସମ୍ବନ୍ଧରେ ବୈଷୟିକ ଜ୍ଞାନ-କୌଶଳ ହାସଲ କରିବାକୁ ପ୍ରଚେଷ୍ଟା ଜାରି ରଖିଛି।

ତେଣୁ ଆଗାମୀ ମାନବ ବିହୀନ ଓ ମାନବ ସହିତ ‘ଗଗନଯାନ’ ଅଭିଯାନର ଭୂମିକା ଇସ୍ରୋ ପାଇଁ ଓ ଦେଶବାସୀଙ୍କ ବେଶ ଗୁରୁତ୍ଵପୂର୍ଣ୍ଣ ରହିବ। ଆଶା ରହିଛି ମହାକାଶଚାରୀଙ୍କୁ ଗଗନଯାନ ମଧ୍ୟମରେ ପ୍ରେରଣ କରି ସୁରକ୍ଷିତ ଭାବରେ ଭୂପୃଷ୍ଠରେ ଅବତରଣ କରାଇପାରିବୁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଆଶା କରେ ଆମ ଗର୍ବ ଓ ଗୌରବ ଚନ୍ଦ୍ରଯାନ-୩ (ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର) ଯଥେଷ୍ଠ ଡାଟା ଓ ପ୍ରତିବିମ୍ବ ସଂଗ୍ରହ କରି ଅନେକ ତଥ୍ୟ ପ୍ରଦାନ କରୁ ଓ ଆମ ଦେଶର ମହାକାଶ ବୈଜ୍ଞାନିକମାନଙ୍କୁ ଧନ୍ୟ କରାଉ ଏବଂ ଏହି ଗର୍ବ ଗୌରବ ସାରା ଦେଶ ଓ ବିଦେଶରେ ବଜାୟ ରହୁ।

(ଲେଖକ ହେଉଛନ୍ତି ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବରିଷ୍ଠ ବୈଜ୍ଞାନିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #Chandrayaan-3 #MoonMission #SoftLanding #SpaceExploration #MoonExperiment #ISRO

LEAVE A REPLY

Please enter your comment!
Please enter your name here