ଓଡ଼ିଶାଲାଇଭ୍ ବ୍ୟୁରୋ

ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ହାସଲ କରିଛି ଆଉ ଏକ ଐତିହାସିକ ଉପଲବ୍ଧି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ସୌରଯାନ ଆଦିତ୍ୟ ଏଲ୍-ୱାନ ଶନିବାର ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସଫଳ ହୋଇଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଆଦିତ୍ୟ ଏଲ୍-ୱାନ ଉତକ୍ଷେପଣ ହେବାର ୪ ମାସ ପରେ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂର ଲାଗରେଞ୍ଜ-ୱାନ ପଏଣ୍ଟରେ ଥିବା ହାଲୋ ଅର୍ବିଟରେ ପହଞ୍ଚିଛି। ସ୍ପେସକ୍ରାଫ୍ଟଟି ଏହି କକ୍ଷପଥରେ ଘୂରି ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବ।

ଆଦିତ୍ୟ ଏଲ୍-ୱାନ ହାଲୋ ଅର୍ବିଟ ରହି ସୂର୍ଯ୍ୟର ଗଠନ, ଶକ୍ତି, ଉତ୍ତାପ, ଚୁମ୍ବକୀୟ କ୍ଷେତ୍ର ଓ ଅନ୍ୟାନ୍ୟ ଆଭିମୁଖ୍ୟକୁ ନିରୀକ୍ଷଣ କରିବ। ଏହାସହ ମିଶନରେ ସୂର୍ଯ୍ୟରୁ ବାହାରୁଥିବା ଅତି ବାଇଗେଣି ରଶ୍ମୀ ଓ ସୌରଝଡ଼ ଓ ଅନ୍ୟାନ୍ୟ ଆଲୋକ ଶକ୍ତିର ପୃଥିବୀ ତଥା ଆଖପାଖର ଗ୍ରହ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଗବେଷଣା କରାଯିବ। 

ଆଦିତ୍ୟ ଏଲ୍-ୱାନରେ ଲାଗିଥିବା ୭ଟି ବୈଜ୍ଞାନିକ ଉପକରଣ ଭିତରୁ ୪ଟି ରିମୋଟ ସେନ୍ସିଂ ଯନ୍ତ୍ରାଂଶ ରହିଛି। ଏହା ସୂର୍ଯ୍ୟର ଆଲୋକ ଉପରେ ଅନୁଧ୍ୟାନ କରିବ। ବାକି ୩ଟି ଉପକରଣ ଚୁମ୍ବକୀୟ କ୍ଷେତ୍ର ଓ ଅନ୍ୟାନ୍ୟ ପାରାମିଟର ଉପରେ ପରୀକ୍ଷା ନିରୀକ୍ଷା କରିବ।

ଆଦିତ୍ୟ ଏଲ୍-ୱାନ ମିଶନ ସଫଳ ହେବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।   

‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟକୁ ୨୦୨୩ ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା। ଏହା ପ୍ରଥମେ ୫ଟି କକ୍ଷପଥରେ ପୃଥିବୀ ଚାରିପଟେ ଘୂରିବାପରେ ଲାଗରେଞ୍ଜ ବା ଏଲ୍-ୱାନ ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

Tags: #ISRO #AdityaL1Mission #StudyofSun #SpaceExploration #India

Comment