ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଲଞ୍ଚ କରିଛି ୨୦୨୪ର ପ୍ରଥମ ମହାକାଶ ମିଶନ। ସୋମବାର ସକାଳ ୯ଟା ୧୦ରେ ଇସ୍ରୋ ପକ୍ଷରୁ ଏକ୍ସ-ରେ ପୋଲାରିମେଟ୍ରି ସାଟେଲାଇଟ୍ ବା ଏକ୍ସପୋସାଟକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି।

ଏହି ଏକ୍ସପୋସାଟକୁ ପିଏସଏଲଭି-ସି୫୮ ରକେଟ ମାଧ୍ୟମରେ ମହାକାଶକୁ ଛଡ଼ାଯାଇଛି। ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ ସେଣ୍ଟରର ୧ ନମ୍ବର ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା। ଏହାପରେ ଉକ୍ତ ସାଟେଲାଇଟକୁ ପୃଥିବୀରୁ ୬୫୦ କିଲୋମିଟର ଉଚ୍ଚ କକ୍ଷରେ ଅବସ୍ଥାପିତ କରାଯାଇଛି।

ଏହି ଏକ୍ସପୋସାଟ୍ କୋଟି କୋଟି ଆଲୋକବର୍ଷ ଦୂରରେ ଥିବା ବ୍ଲାକହୋଲ୍, ନ୍ୟୁଟ୍ରନ୍ ଷ୍ଟାର୍, ପଲ୍ସର ୱିଣ୍ଡ, ନେବୁଲା ସମେତ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ। ଏହିସବୁ ମହାଜାଗତିକ ଉତ୍ସରୁ ନିର୍ଗତ ହେଉଥିବା ଏକ୍ସ-ରେ ବା ରଞ୍ଜନ ରଶ୍ମି ସଂଗ୍ରହ କରି, ସେସବୁର ସଂରଚନା ଜାଣିବାରେ ବୈଜ୍ଞାନିକଙ୍କୁ ସହାୟତା କରିବ।  

ଏକ୍ସପୋସାଟରେ ଇସ୍ରୋ ପକ୍ଷରୁ ‘ପଲିକ୍ସ’ ଏବଂ ‘ଏକ୍ସପେକ୍ଟ’ ନାମକ ୨ଟି ବୈଜ୍ଞାନିକ ସରଞ୍ଜାମ ଲଗାଯାଇଛି। ଏହା ୫ ବର୍ଷ ଯାଏଁ କାମ କରିବ। ଏହି ମିଶନ ପାଇଁ ୨୦୧୭ରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏଥିରେ ୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

୨୦୨୩ରେ ଇସ୍ରୋ ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ ମିଶନକୁ ସଫଳତାର ସହ ଲଞ୍ଚ କରିଥିଲା। ଏବେ ଏହି ଏକ୍ସପୋସାଟର ଉଦ୍ଦେଶ୍ୟ ସଫଳ ହେଲେ ନକ୍ଷତ୍ରଗୁଡ଼ିକ ବିଷୟରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ କରିବାରେ ଭାରତ ବିଶ୍ଵର ଦ୍ଵିତୀୟ ଦେଶ ହେବ।

Tags: #ISRO #XpoSatMission #PSLVRocket #SpaceExploration #India

Comment