ଓଡ଼ିଶାଲାଇଭ୍ ବ୍ୟୁରୋ
ଜି-୨୦ ଶିଖର ସମ୍ମିଳନୀର ଶୁଭାରମ୍ଭ ଅବସରରେ ଏକାଠି ହୋଇଛନ୍ତି ବିଶ୍ୱନେତା।
ଆରମ୍ଭ ହେଲା ଜି-୨୦ ଶିଖର ସମ୍ମିଳନୀ। ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ‘ଭାରତ ମଣ୍ଡପମ୍’ରେ ଏକାଠି ହୋଇଛନ୍ତି ବିଶ୍ଵର ବହୁ ବିଶିଷ୍ଟ ରାଷ୍ଟ୍ରନେତା। ଏହି ଦୁଇ ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରୁଛନ୍ତି। ଅନେକ ଆନ୍ତର୍ଜାତିକ ପ୍ରସଙ୍ଗକୁ ନେଇ ଏଠାରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
ଜି-୨୦ ସମ୍ମିଳନୀର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସବୁ ରାଷ୍ଟ୍ରମୁଖ୍ୟ, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଏବଂ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ। ଜି-୨୦ର ସବୁ ସଦସ୍ୟ ଦେଶ ଓ ଅତିଥିଙ୍କ ଉପସ୍ଥିତିରେ ସମ୍ମିଳନୀ ଆରମ୍ଭ ହୋଇଥିଲା।
ସମ୍ମିଳନୀ ଆରମ୍ଭରେ ପ୍ରଧାନମନ୍ତ୍ରୀ ‘ଆଫ୍ରିକାନ ୟୁନିୟନ’କୁ ଜି-୨୦ର ସ୍ଥାୟୀ ସଦସ୍ୟ ଭାବେ ସାମିଲ କରାଯିବାର ଘୋଷଣା କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ‘ଆଫ୍ରିକାନ ୟୁନିୟନ୍ର’ ଅଧ୍ୟକ୍ଷ ତଥା କୋମରୋସର ରାଷ୍ଟ୍ରପତି ଆଜାଲି ଅସୌମାନିଙ୍କୁ ଆନୁଷ୍ଠାନିକ ଭାବେ ଦିଲ୍ଲୀ ‘ଜି-୨୦’ ସମ୍ମିଳନୀରେ ଯୋଗ ଦେବା ପାଇଁ ସ୍ଵାଗତ କରିଥିଲେ।
“ଆଜିର ବିଶ୍ଵରେ ଏକତା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଦେଶମାନଙ୍କ ମଧ୍ୟରେ ବିଶ୍ଵାସର ଘୋର ଅଭାବ ଦେଖାଦେଇଛି। ଏଥିପାଇଁ ବିଶ୍ଵରେ ଦେଖାଯାଉଥିବା ବିଭିନ୍ନ ସଙ୍କଟର ସମାଧାନ ହୋଇପାରୁନାହିଁ। ବିଶ୍ଵ କଲ୍ୟାଣ ପାଇଁ ଏବେ ସମସ୍ତଙ୍କୁ ସାଥିରେ ନେଇ ଏକାଠି ହୋଇ କାମ କରିବାର ସମୟ ଆସିଛି। ଭାରତର ମନ୍ତ୍ର ‘ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ୱାସ’ ହିଁ ବିଶ୍ଵକୁ ନୂଆ ଦିଗ ଦେଇପାରିବ”, କହିଛନ୍ତି ନରେନ୍ଦ୍ର ମୋଦୀ।
ସେ ଆହୁରି ମଧ୍ୟ କହିଛନ୍ତି, “ଆଫ୍ରିକାନ ୟୁନିୟନ୍’କୁ ‘ଜି୨୦’ର ସ୍ଥାୟୀ ସଦସ୍ୟ କରିବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା। ସବୁ ସଦସ୍ୟ ଏଥିରେ ସହମତ ହୋଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ପୂର୍ବେ ଆମେ ସମସ୍ତେ ମିଳିମିଶି କୋଭିଡକୁ ହରାଇଛୁ। ଏବେ ରୁଷ-ଯୁକ୍ରେନ ଯୁଦ୍ଧ ଯୋଗୁଁ ଦେଶମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିଶ୍ଵାସର ଅଭାବକୁ ମଧ୍ୟ ଆମେ ଦୂର କରିପାରିବା।”
ପ୍ରଧାନମନ୍ତ୍ରୀ ଜି-୨୦ ସମ୍ମିଳନୀରେ ନିଜ ଉଦବୋଧନରେ ଶନିବାର ମରୋକ୍କୋ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ଏହି ପ୍ରାକୃତିକ ବିପର୍ଜୟର ମୁକାବିଲା ପାଇଁ ଭାରତ ପକ୍ଷରୁ ମରୋକ୍କୋର ସବୁ ସହାୟତା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଶନିବାର ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀରେ ବିଶ୍ଵର ବିଭିନ୍ନ ଦେଶର ୩୦ଜଣ ରାଷ୍ଟ୍ରମୁଖ୍ୟ, ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି। ଅତିଥିମାନଙ୍କ ପାଇଁ ହୋଇଥିବା ସ୍ଵାଗତ ସମାରୋହ ପରେ ଦିନ ସାରା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିବ।
ଶନିବାର ପ୍ରଥମ ଅଧିବେଶନ ପରେ ବିଦେଶୀ ଅତିଥିଙ୍କ ଲାଗି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ହୋଷ୍ଟ କରିବେ। ଏହାପରେ ଥିବା ସମୟରେ ବିଭିନ୍ନ ଶୀର୍ଷ ନେତାମାନେ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ରାତିରେ ରାଷ୍ଟ୍ରପତି ଭବନରେ ଅତିଥିଙ୍କ ପାଇଁ ରାତ୍ରିଭୋଜନ କରିବେ।
Tags: #G-20Summit #PrimeMinisterModi #NewDelhi #India