ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସ ଧରି ବନ୍ଦ ରହିବା ପରେ ପୁଣି ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭରେ ଚଳିତ ବର୍ଷ ମେ’ ୧ରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା।
ଗୁରୁବାର ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ଯାଇପାରିବେ। ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ନବନିର୍ମିତ ସ୍କାଏ ୱାକ୍ ବ୍ରିଜ୍ ମାଧ୍ୟମରେ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ପାଇବେ।
ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ଭିତରକନିକା ଗେଟ ପାଖରେ ବ୍ୟାଟେରି ଚଳିତ ଗାଡ଼ିର ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ବୋଟ ଯାଏଁ ଯିବାପାଇଁ ଏହାର ସୁବିଧା ନେଇପାରିବେ।
ଚଳିତବର୍ଷ କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ମେ’ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକାକୁ ବନ୍ଦ ରଖାଯାଇଥିଲା। ଏହି ୩ ମାସ ହେଉଛି ବଉଳା କୁମ୍ଭୀରମାନଙ୍କ ପ୍ରଜଜନ ଓ ଅଣ୍ଡା ଦେବାର ସମୟ। ଏହି ସମୟରେ କୁମ୍ଭୀରମାନେ ସ୍ଥଳଭାଗରେ ଜୁଆର ଅସୁନଥିବା ସ୍ଥାନକୁ ଉଠି ବସା ବାନ୍ଧି ଅଣ୍ତା ଦେଇଥାନ୍ତି।
ଅନ୍ୟପଟେ କୁମ୍ଭୀରମାନେ ପ୍ରଜନନ ଋତୁରେ ଅଧିକ ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧାଦେଲେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏଥିଲାଗି ପ୍ରତିବର୍ଷ ମେ’ ପହିଲାରୁ ୩ ମାସ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥାଏ।
Tags: #BhitarKanikaNationalPark #Crocodile #Tourists #Kendrapara