ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ପୁଣି ମିଳିଲା ହତ୍ୟା ଧମକ। ଏହା ପୂର୍ବରୁ ଗତ ଅକ୍ଟୋବର ମାସରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ସଲମାନଙ୍କ ନିକଟକୁ ହତ୍ୟା ଧମକ ଆସିଥିଲା। ଏହା ସହ ୫ କୋଟି ଟଙ୍କା ଦେବାକୁ କୁହାଯାଇଥିଲା।

ମୁମ୍ବାଇ ପୋଲିସ ଏହି ଘଟଣା ତଦନ୍ତ କରି ଅଭିଯୁକ୍ତଙ୍କୁ ଜାମସେଦପୁରଠାରୁ ଗିରଫ କରିଥିଲା। ପୁଣି ସମାନ ଢଙ୍ଗରେ ସଲମାନଙ୍କ ନିକଟକୁ ଆସିଛି ହତ୍ୟା ଧମକ। ଧମକ ସହ ୫ କୋଟି ଟଙ୍କା ମଧ୍ୟ ଦେବାକୁ କୁହାଯାଇଛି। ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇଙ୍କ ଭାଇ ବୋଲି ପରିଚୟ ଦେଇଛି।

ସୋମବାର ବିଳମ୍ବିତ ରାତିରେ ଏହି ଧମକପୂର୍ଣ୍ଣ ମେସେଜ ଆସିଛି ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲକୁ। ମେସେଜରେ ଉଲ୍ଲେଖ କରାଯାଇଛି, ‘ଯଦି ସଲମାନ ଖାନ ବଞ୍ଚି ରହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଆମ ମନ୍ଦିରକୁ ଯାଇ କ୍ଷମାପ୍ରାର୍ଥନା କରିବାକୁ ପଡ଼ିବ, ନଚେତ ୫ କୋଟି ଟଙ୍କା ଦେବାକୁ ହେବ। ଏମିତି ନକଲେ ତାଙ୍କୁ ଜୀବନରୁ ମାରିଦିଆଯିବ। ଆମ ଗ୍ୟାଙ୍ଗ ଆଜି ବି ସକ୍ରିୟ ରହିଛି’। ଗତ ଅକ୍ଟୋବର ୧୨ ତାରିଖ ରାତିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସଲମାନ ଖାନଙ୍କ ପାଖକୁ ହତ୍ୟା ଧମକ ଆସିଥିଲା। ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା।

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡର ୧୪ ଘଣ୍ଟା ପରେ ସୋସିଆଲ ମିଡିଆରେ ବିଷ୍ଣୋଇ ଗ୍ୟାଙ୍କ ପକ୍ଷରୁ ଏକ ପୋଷ୍ଟ ସେୟାର କରାଯାଇଥିଲା। ଶୁଭୁ ଲୋଙ୍କର ନାଁରେ ଥିବା ଏକ ଆକାଉଣ୍ଟରେ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖା ଯାଇଥିଲା, ‘ବାବା ସିଦ୍ଦିକିଙ୍କର ଚାପ୍ଟର ସରିଲା। ସଲମାନ ଖାନ ଆମ ଭାଇଙ୍କର ବହୁତ କ୍ଷତି ଘଟାଇଛନ୍ତି। ଯିଏ ବି ସଲମାନ ଖାନ କିମ୍ବା ଦାଉଦ ଗ୍ୟାଙ୍ଗକୁ ସହଯୋଗ କରୁଥିବ ତା’ର ହିସାବ ରଖାଯିବ।’

ପୂର୍ବରୁ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ବାରମ୍ବାର ଧମକ୍ ଦେଇ ଆସୁଛି। ଗତ ଜୁଲାଇ ମାସରେ ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରାଯିବା ସହ ତାଙ୍କ ବାପା ସଲିମ ଖାନଙ୍କୁ ଆକ୍ରମଣ କରାଯାଇଥିଲା।

ସଲମାନଙ୍କୁ ପ୍ରକୃତିରେ କିଏ ଦେଇଛି ହତ୍ୟା ଧମକ, ଜାଣିବା ପାଇଁ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଘୋଳତାଡ଼ ଆରମ୍ଭ କରିଛି।

Tags: #BollywoodStar #DeathThread #SalmanKhan #LawrenceBishnoiGang

LEAVE A REPLY

Please enter your comment!
Please enter your name here