ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

କରୋନା ମହାମାରୀ ସମୟରେ ବଲିଉଡର କିଛି ଜଣାଶୁଣା ଅଭିନେତା ଅଭିନେତ୍ରୀ ଅସହାୟ ଓ ଆକ୍ରାନ୍ତଙ୍କୁ ସାହାଯ୍ୟ କରୁଛନ୍ତି।

ସମଗ୍ର ଦେଶକୁ କବଳିତ କରି ରଖିଛି କରୋନା ମହାମାରୀ। ଦ୍ୱିତୀୟ ଲହର ସଂକ୍ରମଣରେ ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ଅଭିନେତା, ଅଭିନେତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏଥିରେ ପ୍ରଭାବିତ ହେଉଛନ୍ତି। ଭୟ ଓ ଆଶଙ୍କା ଭିତରେ ବିତୁଛି ଜୀବନ ଓ ଜୀବିକା। ଏହି କଠିନ ସମୟରେ କରୋନାକୁ ନ ଡରି, ନିଜେ ସଚେତନ ରହି ଅସହାୟତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ୍‌ର କିଛି ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ।

ସୋନୁ ସୁଦ

କରୋନା କାଳରେ ଅସହାୟ ଓ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢ଼ାଇ ଦେବଦୂତ ସାଜିଛନ୍ତି ଅଭିନେତା ସୋନୁ ସୁଦ। ନିକଟରେ ସେ ଜଣେ ୨୫ବର୍ଷୀୟ ଯୁବତୀଙ୍କ ଜୀବନ ବଞ୍ଚାଇ ପୁଣିଥରେ ଦେଶବାସୀଙ୍କ ମନ ଜିଣିଛନ୍ତି। ଜଣେ କରୋନା ଆକ୍ରାନ୍ତ ଯୁବତୀଙ୍କ ଫୁସ୍‌ଫୁସ୍ ପ୍ରତିରୋପଣ ପାଇଁ ନାଗପୁରରୁ ହାଇଦ୍ରାବାଦ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅଭିନେତା ସୋନୁ ସୁଦ ତାଙ୍କ ପାଇଁ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ଫଳରେ ଯୁବତୀ ଜଣଙ୍କ ଠିକ୍ ସମୟରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ପାରିଲେ ଏବଂ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ସଲମାନ ଖାନ୍‌

ଲକଡାଉନ୍ ଓ ସଟଡାଉନ୍ ସମୟରେ ଖାଦ୍ୟ ପେୟରେ ଅନେକ ସମସ୍ୟା ରହିଥାଏ। ଏହି ସମସ୍ୟାର ସମାଧାନ କରିବା ପାଇଁ ଆଗେଇ ଆସିଛନ୍ତି ସୁପରଷ୍ଟାର ଦବଙ୍ଗ ହିରୋ ସଲମାନ ଖାନ। ନିଜେ ରେଷ୍ଟୁରାଣ୍ଟ ଯାଇ ଖାଦ୍ୟର ମାନ ଯାଞ୍ଚ କରିବାପରେ ମୁମ୍ବାଇର ସମ୍ମୁଖ କରୋନା ଯୋଦ୍ଧାଙ୍କ ପାଇଁ ପ୍ରାୟ ୫ହଜାର ଖାଦ୍ୟ ପାକେଟ୍ ପଠାଇଛନ୍ତି ସଲମାନ। ଏହାକୁ ନେଇ ସେ କହିଛନ୍ତି, ମୁମ୍ବାଇରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟରେ ଏମାନେ ନିଜ ପରିବାର ଛାଡ଼ି ଆମକୁ ସୁରକ୍ଷା ଦେଉଛନ୍ତି। ତେଣୁ ସେମାନଙ୍କ ପାଇଁ କିଛି କରିବା ଆମର କର୍ତ୍ତବ୍ୟ। ପୂର୍ବବର୍ଷ ମଧ୍ୟ ଲକଡାଉନ୍ ସମୟରେ ସଲମାନ ଖାନ ଖାଦ୍ୟ, ସାନିଟାଇଜର ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ।ଅକ୍ଷୟ କୁମାର

ନିକଟରେ ଖିଲାଡ଼ି ହିରୋ ଅକ୍ଷୟ କୁମାର କରୋନାରୁ ସୁସ୍ଥ ହେବାପରେ କରୋନା ଆକ୍ରାନ୍ତଙ୍କ ପାଇଁ ୧କୋଟି ଟଙ୍କା ଦାନ କରିଛନ୍ତି। କ୍ରିକେଟର ଗୌତମ ଗମ୍ଭୀରଙ୍କ ଦ୍ୱାରା ନିର୍ମିତ ଏକ ସଂସ୍ଥାକୁ ଏହି ଟଙ୍କା ଦେଇଛନ୍ତି। ଏଥିରେ କରୋନା ଆକ୍ରାନ୍ତ ଓ ଅସହାୟ ବ୍ୟକ୍ତିମାନଙ୍କୁ ଖାଦ୍ୟ, ମେଡିସିନ, ଅକ୍ସିଜେନ ଯୋଗାଇ ଦିଆଯିବ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ଗୌତମ ଗମ୍ଭୀର।

ଭୂମି ପେଡେନେକର

କରୋନାରୁ ସୁସ୍ଥ ହୋଇଥିବା ବଲିଉଡ ଅଭିନେତ୍ରୀ ଭୂମି ପେଡେନକର ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଯେଉଁମାନେ ଔଷଧ ଏବଂ ଅନ୍ୟାନ୍ୟ ସାହାଯ୍ୟ ଆବଶ୍ୟକ କରୁଛନ୍ତି, ସେମାନଙ୍କୁ ମାଗଣାରେ ସମସ୍ତ ଚିକିତ୍ସା ଯୋଗାଇ ଦେବାକୁ କହିଛନ୍ତି ଭୂମି। ଏଥିସହ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି।

ସ୍ୱରା ଭାସ୍କର

ଅଭିନେତା ସୋନୁ ସୁଦଙ୍କଠାରୁ ଅନୁପ୍ରାଣିତ ହୋଇ କରୋନା ସମୟରେ ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏକଥା ସେ ନିଜେ ତାଙ୍କ ସୋସିଆଲ ମିଡିଆରେ ସେୟାର କରି ଜଣାଇଛନ୍ତି। ସୋନୁଙ୍କ ଭଳି ସ୍ୱରା ମଧ୍ୟ ପ୍ରାୟ ୩୫୦୦ ପ୍ରବାସୀ ଶ୍ରମିକଙ୍କୁ ପରିବହନ ସୁବିଧା ଯୋଗାଇଛନ୍ତି।ଗୁରମିତ୍ ଚୌଧାରୀ

ଟିଭି ପରଦାରେ ରାମ ଭୂମିକାରେ ଅଭିନୟ କରି ସଫଳତା ସାଉଣ୍ଟିଥିବା ଗୁରୁମିତ୍ ଚୌଧାରୀ ଓ ତାଙ୍କ ପତ୍ନୀ ଦେବିନା ବାନାର୍ଜୀ କରୋନାରୁ ସୁସ୍ଥ ହେବାପରେ, ସାଧାରଣ ବ୍ୟକ୍ତିଙ୍କ ପାଇଁ ଏକ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଗୁରମିତ୍ ନିଜ ଟୁଇଟରରେ ଲେଖିଛନ୍ତି ଯେ, ମୁଁ ପାଟନା ଓ ଲକ୍ଷ୍ନୌରେ ୧ହଜାର ଅଲଟ୍ରା ମଡର୍ଣ୍ଣ ବେଡ ହସ୍ପିଟାଲ ନିର୍ମାଣ କରିବି। ଏଥିପାଇଁ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି। ଅନ୍ୟପଟେ ପତ୍ନୀ ଦେବିନା ନିଜେ ପ୍ଲାଜମା ଡୋନେଟ କରିବା ସହ, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ପ୍ଲାଜମା ଡୋନେଟ କରନ୍ତୁ ବୋଲି ଅପିଲ୍ କରିଛନ୍ତି।

Comment