ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ବିଭିନ୍ନ ଦେଶର ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କିଛି ମାତ୍ରାରେ ହ୍ରାସ ପାଇଛି। ବୁଧବାର ଗୋଟିଏ ଡଲାରର ମୂଲ୍ୟ ୮୪.୪୦ ଟଙ୍କା ରହିଛି।

ତେବେ ବିଶ୍ଵରେ ଏମିତି କିଛି ଦେଶ ରହିଛି ଯେଉଁଠି ଭାରତୀୟ ଟଙ୍କାର ମୂଲ୍ୟ କାହିଁ କେତେ ଅଧିକ। ଏହି ଦେଶକୁ ବୁଲିବାକୁ ଗଲେ ଭାରତୀୟମାନଙ୍କୁ ଟଙ୍କା ବଦଳରେ ଅଧିକ ମାତ୍ରାରେ ସ୍ଥାନୀୟ କରେନ୍ସି ମିଳିବ। ତେଣୁ ବିଦେଶ ଭ୍ରମଣ କଥା ଚିନ୍ତା କରୁଥିଲେ ଜାଣନ୍ତୁ ସେହି ସବୁ ଦେଶ ବିଷୟରେ।

ଭିଏତନାମ

ସମୃଦ୍ଧ ସହର, ଶାନ୍ତିପୂର୍ଣ୍ଣ ଗାଁ ଏବଂ ପ୍ରାଚୀନ ଇତିହାସର ଗୌରବ ବହନ କରିଥିବା ଦକ୍ଷିଣ ପୂର୍ବ ଏସିଆର ଏକ ସୁନ୍ଦର ଦେଶ ହେଉଛି ଭିଏତନାମ। ଦେଶର ମୁଦ୍ରାର ନାଁ ହେଉଛି ଭିଏତନାମୀ ଡୋଙ୍ଗ। ଏହା ବିଶ୍ୱର ସବୁଠାରୁ ଦୁର୍ବଳ ମୁଦ୍ରା ମଧ୍ୟରୁ ଗୋଟିଏ। ଏଠାରେ ଭାରତର ୧ ଟଙ୍କା ବଦଳରେ ଆପଣଙ୍କୁ ମିଳିବ ୩୦୦.୪୦ ଡୋଙ୍ଗ।

ଏହି କାରଣରୁ ଭାରତୀୟ ପର୍ଯ୍ୟଟକଙ୍କୁ ଭିଏତନାମରେ ନିଜ ଟଙ୍କାର ବେଶ ଭଲ ଲାଭ ମିଳିଥାଏ। ହନୋଇ ଏବଂ ହୋଚି ମିନ ସିଟିରୁ ଆରମ୍ଭ କରି ହାଲୋଙ୍ଗ ଘାଟି ପର୍ଯ୍ୟନ୍ତ ଏବଂ ହୋଇଏନା ପ୍ରାଚୀର ସହର ପର୍ଯ୍ୟନ୍ତ ସବୁଠି ଶସ୍ତାରେ ବୁଲି ଯାତ୍ରୀମାନେ ବହୁତ ଲାଭ ଉଠାଇଥାନ୍ତି।

ଲାଓସ

ଦକ୍ଷିଣପୂର୍ବ ଏସିଆର ଶାନ୍ତ ବୌଦ୍ଧ ମଠ ଏବଂ ମନ୍ଦିରରେ ଘେରା ଦେଶ ହେଉଛି ଲାଓସ। ମେକାଙ୍ଗ ନଦୀ ଏହି ଦେଶର ଶୋଭାକୁ ଆହୁରି ବଢ଼ାଇ ଦେଇଥାଏ। ଏଠାରେ ଥିବା ମନ୍ଦିର ଏବଂ ଔପନିବେଶିକ ବାସ୍ତୁକଳା ପର୍ଯ୍ୟଟକଙ୍କୁ ରୋମଞ୍ଚକର ଅନୁଭବ ଦେଇଥାଏ।

ଏଠିକାର କରେନ୍ସି ଲାଓଟିୟାନ କୀପ ଟଙ୍କା ତୁଳନାରେ ଅପେକ୍ଷାକୃତ ଶସ୍ତା। ଗୋଟିଏ ଟଙ୍କା ବଦଳରେ ଏଠି ମିଳେ ପ୍ରାୟ ୨୬୦ ଲାଓଟିୟାନ କୀପ।

ଶ୍ରୀଲଙ୍କା

ଭାରତର ଦକ୍ଷିଣରେ ଥିବା ଦ୍ୱୀପ ରାଷ୍ଟ୍ର ହେଉଛି ଶ୍ରୀଲଙ୍କା। ସମୁଦ୍ର ଉପକୂଳ ସହ ସବୁଜିମାରେ ଭରା ଚା’ ବଗିଚା ଏବଂ ପ୍ରାଚୀନ କୀର୍ତ୍ତିରାଜିକୁ ନେଇ ଶ୍ରୀଲଙ୍କାର ସ୍ୱତନ୍ତ୍ର ପରିଚୟ ରହିଛି। ତେବେ ଶ୍ରୀଲଙ୍କାର ଟଙ୍କା ଭାରତୀୟ ଟଙ୍କା ତୁଳନାରେ ଶସ୍ତା। ଗୋଟିଏ ଟଙ୍କା ବଦଳରେ ଏଠି ମିଳେ ୩.୪୬ ଶ୍ରୀଲଙ୍କା ଟଙ୍କା।

କହିବାକୁ ଗଲେ ଶ୍ରୀଲଙ୍କା ଏକ ଶସ୍ତା ପର୍ଯ୍ୟଟନ ଦେଶ। ଏହା ପର୍ଯ୍ୟଟକଙ୍କ ଖର୍ଚ୍ଚ ବଞ୍ଚାଇଥାଏ।

ହଙ୍ଗେରି

ମଧ୍ୟ ୟୁରୋପର ଥିବା ହଙ୍ଗେରୀ ପର୍ଯ୍ୟଟକଙ୍କ ପାଇଁ ଏକ ଆଦର୍ଶ ସ୍ଥାନ ଅଟେ। ଏଠିକାର ବାସ୍ତୁକଳା ଆଶ୍ଚର୍ଯ୍ୟଜନକ ଓ ଏଠିକାର ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ଆଉ ଏକ ଆକର୍ଷଣ ପାଲଟେ ପର୍ଯ୍ୟଟକଙ୍କ ପାଇଁ। ରାଜଧାନୀ ବୁଡାପେଷ୍ଟ ଏକ ଐତିହାସିକ ସ୍ଥାନ ଯାହାକି ଜୀବନ୍ତ ନାଇଟଲାଇଫ ଏବଂ ସୁନ୍ଦର ଡେନ୍ୟୁବ ନଦୀ ପାଇଁ ପ୍ରସିଦ୍ଧ। ଡେନ୍ୟୁବ ନଦୀ ଏହି ସହରକୁ ବୁଡା ଆଉ ପେଷ୍ଟ ଏହିପରି ଦୁଇଭାଗରେ ବିଭକ୍ତ କରି ଦେଇଛି।

ଏଠିକାର ମୁଦ୍ରା ହଙ୍ଗେରିଆନ ଫେରିଣ୍ଟର ମୂଲ୍ୟ ଭାରତୀୟ କରେନ୍ସି ତୁଳନାରେ ଶସ୍ତା। ଟଙ୍କାଟିଏ ବଦଳରେ ଏଠାରେ ମିଳେ ୪.୬୯ ହଙ୍ଗେରିଆନ ଫେରିଣ୍ଟ। ବଜେଟ ପ୍ରତି ସଚେତନ ପର୍ଯ୍ୟଟକଙ୍କ ପାଇଁ ଏହାକୁ ଆକର୍ଷଣୀୟ ଦେଶ କହିଲେ ଭୁଲ ହେବନି।

କାମ୍ବୋଡିଆ

କାମ୍ବୋଡିଆ ପ୍ରାଚୀନ ମନ୍ଦିର ପାଇଁ ପ୍ରସିଦ୍ଧ। ଏଠାରେ ରହିଛି ବିଶ୍ୱର ସବୁଠାରୁ ବଡ ହିନ୍ଦୁ ମନ୍ଦିର ଅଙ୍ଗକୋରବାଟ। ମନ୍ଦିରମାଳିନୀ ଏହି ଦେଶ ଭ୍ରମଣ ବି ପକେଟକୁ ବାଧିବନି। ଗୋଟିଏ ଟଙ୍କା ବଦଳରେ ମିଳେ ପ୍ରାୟ ୪୮ କାମ୍ବୋଡିୟନ ରିୟଲ।

ଇଣ୍ଡୋନେସିଆ

ଇଣ୍ଡୋନେସିଆ ବିଶ୍ୱର ସବୁଠାରୁ ଅଧିକ ଦ୍ୱୀପ ସମୁହକୁ ନେଇ ଗଠିତ ଦେଶ । ଏଠାରେ ରହିଛି ୧୭ ହଜାରରୁ ଅଧିକ ଦ୍ୱୀପ। ଏଠାରେ ରହିଛି ଅବିଶ୍ୱସନୀୟ ଜୈବ ବିବିଧତା ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ। ଏହାର ବିସ୍ତୀର୍ଣ୍ଣ ସମୁଦ୍ର ତଟ, ସୁମାତ୍ରାର ଜଙ୍ଗଲ ଆଦି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ଭାରତର ଟଙ୍କା ତୁଳନାରେ ଇଣ୍ଡୋନେସିଆର ଟଙ୍କା ଅତି ଶସ୍ତା। ଟଙ୍କାଟିଏ ବଦଳରେ ମିଳେ ୧୮୭.୩୨ ଇଣ୍ଡୋନେସିଆନ ଟଙ୍କା। ଏହା ଭାରତୀୟଙ୍କ ପାଇଁ ବହୁତ ଉପଯୁକ୍ତ ହୋଇଥାଏ।

ଇରାନ

ଭାରତ ପାଇଁ ସବୁଠାରୁ ଶସ୍ତା ଦେଶ ହେଉଛି ଇରାନ। ଭାରତୀୟମାନେ ନିଜକୁ ବେଶ ଧନୀ ବୋଲି ଭାବିବାର ସୁଯୋଗ ରହିଛି ଇରାନରେ। ଏଠି ଟଙ୍କାଟିଏ ଦେଲେ ମିଳେ ୪୯୮.୮୫ ଇରାନୀ ରିଆଲ।

ଇରାନରେ ଏକ ସମୃଦ୍ଧ ଫରାସୀ ଇତିହାସ ଆଉ ସଂସ୍କୃତି ରହିଛି। ସୁନ୍ଦର ପ୍ରାଚୀନ ବାସ୍ତୁକଳା, ଶିରାଜର ସୁନ୍ଦର ଉଦ୍ୟାନ ଏହାର ଅନ୍ୟତମ ଆକର୍ଷଣ। ବର୍ଷ ବର୍ଷ ଧରି ଆର୍ଥକ ପ୍ରତିବନ୍ଧକ ଏବଂ ଉଚ୍ଚ ମୁଦ୍ରାସ୍ପୀତି ସହ ସଂଘର୍ଷ କରୁଥିବା ଏହି ଦେଶର ମୁଦ୍ରାର ମୂଲ୍ୟ ବହୁଳ ଭାବେ କମିଛି।  

Tags: #Currency #IndianRupee #Dollar #Tourism

LEAVE A REPLY

Please enter your comment!
Please enter your name here