ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଅର୍ଥନୈତିକ ମାନ୍ଦାବସ୍ଥାର ଆଉ ଏକ ମୁଖ୍ୟ କୁପ୍ରଭାବ ଟଙ୍କା ଉପରେ ପଡ଼ିଛି। ଦିନକୁ ଦିନ ଟଙ୍କାର ମୂଲ୍ୟ ଡଲାର ତୁଳନାରେ କମିବାରେ ଲାଗିଛି। ପୂର୍ବରୁ ଗୋଟିଏ ଡଲାରର ମୂଲ୍ୟ ୭୨ ଟଙ୍କା ୩୯ ପଇସା ଥିବା ବେଳେ ବର୍ତ୍ତମାନ ଏହା ଆଉ ୯୯ ପଇସା ବଢ଼ିଯାଇଛି।

ବର୍ତ୍ତମାନ ଟଙ୍କାର ମୂଲ୍ୟ କମ୍ ହେବାର ଏକ ପ୍ରମୁଖ କାରଣ ହେଉଛି ବିଦେଶୀ ପୁଞ୍ଜିନିବେଶକାରୀଙ୍କ ଦ୍ୱାରା କ୍ରମାଗତ ଭାବେ ମୋଟା ଅଙ୍କର ପୁଞ୍ଜି ପ୍ରତ୍ୟାହାର। ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ଆହୁରି ଦୁର୍ବଳ କରିଦେଇଛି। ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଧରୁନି। ଯାହାର ଫଳସ୍ୱରୂପ ଡଲାର ଦାମ୍ ହୁ ହୁ ହୋଇ ବଢ଼ିଚାଲିଛି।ଗତ କିଛି ମାସର ବିଦେଶୀ ପୁଞ୍ଜି ନିବେଶ ଉପରେ ଦୃଷ୍ଟି ପକାଇଲେ ଜଣାଯାଏ ଯେ, ଗତ ଅଗଷ୍ଟ ମାସରେ ବିଦେଶୀ ନିବେଶକାରୀମାନେ ପାଖାପାଖି ୫୯୨୦ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ଯଦି ପରିସ୍ଥିତି ଏହିଭଳି ଲାଗି ରହେ ତେବେ ଏହା ଦେଶର ଅର୍ଥନୀତିକୁ ଆହୁରି ଜଟିଳତା ମଧ୍ୟକୁ ନେଇଯିବାର ଆଶଙ୍କା କରାଯାଉଛି।

ଡଲାରର ମୂଲ୍ୟ ବଢ଼ିଲେ କ’ଣ ହେବ?

ଟଙ୍କାର ମୂଲ୍ୟ ହ୍ରାସ ଅଥବା ଡଲାରର ମୂଲ୍ୟ ବୃଦ୍ଧି ପାଇଲେ ଏହା ଦେଶର ଅର୍ଥନୀତି ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇବ। ସେଗୁଡ଼ିକ ହେଲା:

  • ଡଲାରର ମୂଲ୍ୟ ବୃଦ୍ଧି ଫଳରେ ବିଦେଶରୁ ଆମଦାନୀ ହେଉଥିବା ଦ୍ରବ୍ୟ ଯଥା ସୁନା, ଅଶୋଧିତ ତୈଳର କ୍ରୟ ମୂଲ୍ୟ ମହଙ୍ଗା ହେବ।
  • ଅଶୋଧିତ ତୈଳ କ୍ରୟ ପାଇଁ ଏକ ମୋଟା ଅଙ୍କର ଡଲାର ଦେଶରୁ ବାହାରକୁ ଯିବ। ଯାହାଫଳରେ କରେଣ୍ଟ ଆକାଉଣ୍ଟରେ ଡେଫିସିଟ୍ ଦେଖାଯିବ।
  • ରପ୍ତାନୀ ଅପେକ୍ଷା ଆମଦାନୀର ମୂଲ୍ୟ ଅଧିକ ହେଉଥିବାରୁ ଦେଶର ବାଣିଜ୍ୟ କ୍ଷେତ୍ରରେ ଡେଫିସିଟ୍ ଦେଖାଯିବ।
  • ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ।
  • ବିଦେଶରୁ ଆମଦାନୀ ହେଉଥିବା ଯନ୍ତ୍ରପାତି ତଥା ଅନ୍ୟାନ୍ୟ ସାମଗ୍ରୀ ମହଙ୍ଗା ହେବା ଫଳରେ ଘରୋଇ ବଜାରରେ ତାହାର ଇନପୁଟ୍ ଦର ବୃଦ୍ଧି ପାଇବ। ଯାହାଫଳରେ ଦେଶରେ ମୁଦ୍ରାସ୍ଫୀତିର ପରିସ୍ଥିତି ସୃଷ୍ଟି ହେବ।
  • ବିଭିନ୍ନ କମ୍ପାନିଗୁଡ଼ିକ ବିଦେଶରୁ ଆଣୁଥିବା ଋଣ ଉପରେ ସୁଧ ମୂଲ୍ୟ ବୃଦ୍ଧି ପାଇବ।
  • କେନ୍ଦ୍ରୀୟ ବ୍ୟାଙ୍କ୍ ଦ୍ୱାରା ବର୍ଦ୍ଧିତ ସୁଧ ହାର ଲାଗୁ ହେବା ଫଳରେ ସେୟାର ବଜାରରେ ବିଦେଶୀ ପୁଞ୍ଜି ନିବେଶକାରୀମାନଙ୍କର ନିବେଶ ରାଶି କମିବ।

ଦେଶର ଏହି ମାନ୍ଦାବସ୍ଥା ପରିସ୍ଥିତି ମଧ୍ୟରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଏକ ଚିନ୍ତାଜନକ ବିଷୟ। ବାରମ୍ବାର ବଢ଼ି ଚାଲିଥିବା ଏହି ଡଲାରର ମୂଲ୍ୟ ସରକାରଙ୍କ ପାଇଁ ନିଶ୍ଚିତ ରୂପେ ଏକ ବଡ଼ ଚାଲେଞ୍ଜ। ଏହାର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Comment