ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଗଳବେଶରେ ଡିପ୍ଲୋମା ଇଞ୍ଜିନିୟର ଛାତ୍ର ଅଭିମନ୍ୟୁ ମିଶ୍ର। ଗାଁ ଗାଁ ବୁଲି ସ୍ଵଚ୍ଛ ଭାରତ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶର ବାର୍ତ୍ତା ବାଣ୍ଟୁଛନ୍ତି।

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଅକ୍ଟୋବର ଦୁଇରୁ ସମଗ୍ର ଓଡିଶା ହେବ ପ୍ଲାଷ୍ଟିକ ମୁକ୍ତ। ସରକାରୀସ୍ତରରେ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ବେଳେ ହାତରେ ଗୋଟିଏ ବସ୍ତା, ବେକରେ ପ୍ଲାଷ୍ଟିକ ବୋତଲର ମାଳ ଗଳେଇ ପାଗଳ ବେଶରେ ଗାଁଠୁ ସହର ବୁଲୁଛନ୍ତି ଜଣେ ଇଞ୍ଜିନିୟର ଯୁବକ। ଆରମ୍ଭ କରିଛନ୍ତି ଲୋକଙ୍କୁ ସଚେତନ କରିବାର ନୂଆ ଉପାୟ। ତାଙ୍କର ଏହି ଅଦ୍ଭୁତ ବେଶଭୁଷା ପାଲଟିଛି ମୁଖ୍ୟ ଆକର୍ଷଣ।]

ମୁଣ୍ଡରେ ବନ୍ଧା ହୋଇଛି ଏକ ପଟି, ଯେଉଁଥିରେ ଲେଖା ଅଛି ସ୍ଵଚ୍ଛ ଭାରତର ସ୍ଲୋଗାନ୍। ସ୍ଵଚ୍ଛ ଭାରତ ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନର ସଂଦେଶ ନେଇ ଗାଁ ଗାଁରେ ବୁଲୁଛନ୍ତି ୩୫ ବର୍ଷୀୟ ଜଣେ ଡିପ୍ଲୋମା ଇଞ୍ଜିନିୟର ତଥା ସ୍ୱେଚ୍ଛାସେବୀ ଅଭିମନ୍ୟୁ ମିଶ୍ର। ଦେଖିଲେ ଲାଗିବ ସତରେ ପାଗଳଟିଏ କି! କାରଣ ପ୍ଲା୍ଷ୍ଟିକ୍ ବୋତଲସବୁ ରାସ୍ତାକଡ଼ରୁ ଗୋଟାଇ ଅଖାରେ ଭର୍ତ୍ତିକରି ବୁଲୁଛନ୍ତି ସେ ଚିରାଫଟା ପୋଷାକ ପିନ୍ଧି। କିନ୍ତୁ ବାସ୍ତବତା କିଛିଟା ଭିନ୍ନ।

ପ୍ଲାଷ୍ଟିକ୍ ମୁକ୍ତ ଭାରତ ଗଠନ କରିବା ଏବଂ ସ୍ଵଚ୍ଛଭାରତ ମିଶନର ବାର୍ତ୍ତା ଦେବାକୁ ଅଭିମନ୍ୟୁ ଏହି ପ୍ରକାର ଅଭିନବ ବେଶ ଧାରଣ କରିଛନ୍ତି। ଭଲ ଘରର ଶିକ୍ଷିତ ସମ୍ପନ୍ନ ପରିବାରର ପିଲା ଅଭିମନ୍ୟୁ। ତାଙ୍କର ଏହି ମହତ ଉଦ୍ୟମ ବିଷୟରେ ଜାଣିବା ପରେ ଜନସାଧାରଣ ତାଙ୍କୁ ପ୍ରଶଂସା କରିଛନ୍ତି।

ଅଭିମନ୍ୟୁଙ୍କ ଘର ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକ ଅନ୍ତର୍ଗତ କହ୍ନେଇବିନ୍ଧା ପଞ୍ଚାୟତର ଦଧିବାମନପୁର ଗାଁରେ। ଗାଁର ହରିହର ମିଶ୍ରଙ୍କର ଦ୍ୱିତୀୟ ପୁତ୍ର ହେଉଛନ୍ତି ଅଭିମନ୍ୟୁ ମିଶ୍ର। କହ୍ନେଇବିନ୍ଧା ଦଶଭୂଜା ସରକାରୀ ମାଧ୍ୟମିକ ବିଦ୍ୟାଳୟରୁ ୧୯୭୩ ମସିହାରେ ମାଟ୍ରିକ୍ ପାଶ୍  କରିବା ପରେ ସିମୁଳିଆ ମହାବିଦ୍ୟାଳୟରୁ +୨ ବିଜ୍ଞାନ ଆଉ ତାପରେ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍ କରିଛନ୍ତି ସେ।

ତାଙ୍କ ବାପାଙ୍କର ଇଚ୍ଛା ଥିଲା ପୁଅ ପାଠ ପଢ଼ି ଚାକିରି କରିବ। କିନ୍ତୁ ଅଭିମନ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଵଚ୍ଛ ଭାରତ ଅଭିଯାନରେ ପ୍ରଭାବିତ ହୋଇ ପ୍ରଥମେ ପ୍ରତ୍ୟେକ ବ୍ୟକ୍ତି ଶୌଚାଳୟ ବ୍ୟବହାର କରି ମଳମୁକ୍ତ ଗ୍ରାମ ଗଠନ ଲାଗି ସଚେତନତା ଆରମ୍ଭ କଲେ। ବିଗତ ଦୁଇ ବର୍ଷ ହେଲା ସେ ନିଜକୁ ସମାଜସେବାରେ ନିୟୋଜିତ କରିଛନ୍ତି। ଏବେ ସେ ନିଜ ଗ୍ରାମ ଦଧିବାମନପୁରରେ ପାଗଳ ପ୍ରାୟ ମୁଣ୍ଡରେ ପଟି ବାନ୍ଧି, ହାତରେ ଅଖା ଧରି, ବେକରେ ପ୍ଲାଷ୍ଟିକ୍ ମାଳ ପକାଇ ପ୍ଲାଷ୍ଟିକ୍ ମୁକ୍ତ ସମାଜ ଗଠନର ବାର୍ତ୍ତା ବାଣ୍ଟୁଛନ୍ତି।

ଗାଁ ରାସ୍ତାରେ ବୁଲି ବୁଲି ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ୍ ବୋତଲ ଓ ପଲିଥିନ୍ ସଂଗ୍ରହ କରି ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପୋଡ଼ି ନଷ୍ଟ କରିବା ହେଉଛି ଏବେ ଅଭିମନ୍ୟୁଙ୍କ ପ୍ରଧାନ କାମ। ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନକରିବା ଲାଗି ଲୋକଙ୍କୁ ସଚେତନ କରିବା ସହ ପ୍ଲାଷ୍ଟିକମୁକ୍ତ ଭାରତ ଗଠନ ଓ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଦାନ କରୁଥିବା ଏହି ଯୁବକ ଯେ ଜଣେ ପାଗଳ ନୁହନ୍ତି ଜାଣିବା ପରେ ତାଙ୍କୁ ସର୍ବତ୍ର ପ୍ରଶଂସା କରାଯାଉଛି। ତାଙ୍କର ଏ ପ୍ରକାର କାର୍ଯ୍ୟ ନିଶ୍ଚିତ ଭାବେ ଯୁବପିଢି ଓ ସମାଜର ଜନସାଧାରଣଙ୍କୁ ଅନୁପ୍ରେରିତ କରିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here