ପୁଷ୍ପମିତ୍ର ମହାନ୍ତି
ପ୍ରେମୀ ଯୁଗଳଙ୍କ ଧର୍ମ ଅଲଗା ଅଲଗା ହୋଇପାରେ, କିନ୍ତୁ ସେମାନେ ଏକାଠି ରହିବାରେ କୌଣସି ଆଇନଗତ ଅସୁବିଧା ନାହିଁ : ବମ୍ବେ ହାଇକୋର୍ଟ
ପ୍ରେମୀ ଯୁଗଳଙ୍କ ଧର୍ମ ଅଲଗା ଅଲଗା ହେଲେ ମଧ୍ୟ ସେମାନେ ଏକାଠି ରହିବାରେ କୌଣସି ଅସୁବିଧା ନାହିଁ। ଲିଭଇନ ରିଲେସନସିପରେ ରହିବାର ଅଧିକାର ସେମାନଙ୍କର ଅଛି ବୋଲି ସ୍ପଷ୍ଟ କରିଛନ୍ତି ବମ୍ବେ ହାଇକୋର୍ଟ। ମହାରାଷ୍ଟ୍ର ଚେମ୍ବୁରର ଏକ ସରକାରୀ ମହିଳା ଗୃହରେ ଅଟକ ଥିବା ଜଣେ ଯୁବତୀଙ୍କୁ ମୁକ୍ତ କରିବା ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ଜଣେ ୨୦ ବର୍ଷୀୟ ମୁସଲିମ ଯୁବକ ଓ ତାଙ୍କ ହିନ୍ଦୁ ଲିଭ୍ ଇନ୍ ପାର୍ଟନର ବମ୍ବେ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ। ସେମାନେ ଆଗତ କରିଥିବା ପିଟିସନରେ ଦର୍ଶାଇଥିଲେ ଯେ ସେମାନଙ୍କ ଆନ୍ତଃଧର୍ମୀୟ ସମ୍ପର୍କକୁ ସେମାନଙ୍କ ପିତାମାତାଙ୍କ ଆପତ୍ତି କରୁଛନ୍ତି। ଏଥିପାଇଁ ସେମାନଙ୍କୁ ବେଆଇନ ଭାବେ ବନ୍ଦୀ କରି ରଖାଯାଇଛି।
ଏହି ସମ୍ପର୍କକୁ ବିରୋଧ କରି ମହିଳାଙ୍କ ପିତାମାତା ମୁମ୍ବାଇର ଘାଟକୋପର ଥାନାରେ ଅଭିଯୋଗ କରିଥିଲେ। ଥାନାକୁ ଡକାଯିବା ପରେ ମହିଳା ଜଣକ ଘରକୁ ଫେରିବାକୁ ମନା କରି ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସଂପୃକ୍ତ ମହିଳାଙ୍କୁ ମହିଳା ଗୃହର ହେପାଜତରେ ରଖା ଯାଇଥିଲା।
ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭାରତୀ ଡାଙ୍ଗରେ ଓ ଜଷ୍ଟିସ୍ ମଞ୍ଜୁଷା ଦେଶପାଣ୍ଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ, “ମହିଳା ଜଣକ ସାବାଳିକା। ତେଣୁ ସେ ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନିଜେ ନେବାର ଅଧିକାର ରଖିଛନ୍ତି। ଭାରତୀୟ ସମ୍ବିଧାନ ସାବାଳକ ଓ ସାବାଳିକାଙ୍କୁ ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କ ଚୟନ କରିବାର ଅଧିକାର ପ୍ରଦାନ କରିଛି।”
ଅଦାଲତ ନିଜ ରାୟରେ ଆହୁରି କହିଛନ୍ତି, ‘ଆମ ସାମ୍ନାରେ ଦୁଇ ଜଣ ବୟସ୍କ ଅଛନ୍ତି, ଯେଉଁମାନେ ସହମତିକ୍ରମେ ପରସ୍ପରକୁ ଅଂଶୀଦାର ଭାବେ ବାଛିଥିଲେ। କୌଣସି ଆଇନ ସେମାନଙ୍କୁ ନିଜ ଇଚ୍ଛାରେ ଜୀବନଯାପନ କରିବାକୁ ବାରଣ କରେ ନାହିଁ। କେବଳ ସାମାଜିକ ଅସନ୍ତୋଷ କାରଣରୁ ଏହି ଦମ୍ପତିଙ୍କୁ ସେମାନଙ୍କ ଏହି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ।”
ଉଭୟ ଯୁବକ ଯୁବତୀ ଅନେକ ମାସ ଧରି ଲିଭ୍ଇନ୍ ରିଲେସନସିପରେ ରହିଥିଲେ। ହିନ୍ଦୁ ମହିଳା ଜଣକ ନିଜ ପିତାମାତାଙ୍କ ପାଖକୁ ନ ଫେରିବା ସହ ସାଥୀଙ୍କ ସହ ରହିବାକୁ ସ୍ପଷ୍ଟ ଇଚ୍ଛା ପ୍ରକାଶ କରିଛନ୍ତି। ଅଦାଲତ ତାଙ୍କ ପିତାମାତାଙ୍କ ଚିନ୍ତାକୁ ସ୍ୱୀକାର କରିଥିଲେ କିନ୍ତୁ ତାଙ୍କ ପସନ୍ଦର ସ୍ୱାଧୀନତା ଅଧିକାର ସାମାଜିକ କିମ୍ବା ପାରିବାରିକ ଅସ୍ୱୀକାରଠାରୁ ଅଧିକ ବୋଲି ରାୟ ଦେଇଥିଲେ।
ବିଚାରପତିମାନେ ଉଲ୍ଲେଖ କରିଛନ୍ତି ଯେ ବ୍ୟକ୍ତି ଜଣକ ଏପର୍ଯ୍ୟନ୍ତ ଆଇନଗତ ବିବାହ ଯୋଗ୍ୟ ବୟସର ନୁହଁନ୍ତି। ଏହା ସତ୍ତ୍ୱେ, ସେମାନେ ଦମ୍ପତିଙ୍କ ପରି ସହବାସ କରିବାର ଅଧିକାରକୁ ବଜାୟ ରଖିଥିଲେ। ଏହାକୁ ସମ୍ମାନର ସହ ବଞ୍ଚିବା ଏବଂ ସେମାନଙ୍କ ବ୍ୟକ୍ତିଗତ ପସନ୍ଦ କରିବାର ଅଧିକାରର ଅଂଶ ଭାବରେ ଦର୍ଶାଇଥିଲେ।
ତେବେ ଏହି ସମୟରେ ଏହା ଅନାବଶ୍ୟକ ବୋଲି ଦର୍ଶାଇ ପୋଲିସ ସୁରକ୍ଷା ପାଇଁ ସେମାନଙ୍କ ଅନୁରୋଧକୁ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସମ୍ପୃକ୍ତ ମହିଳାଙ୍କୁ ତୁରନ୍ତ ମହିଳା ଗୃହରୁ ମୁକ୍ତ କରି ନିଜ ଇଚ୍ଛା ମୁତାବକ ଜୀବନଯାପନ କରିବାକୁ ଅନୁମତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର ସାର୍ବଜନୀନ ହୋଇଥିବା ଏହି ରାୟ ସାମାଜିକ ଓ ପାରିବାରିକ ପ୍ରତିରୋଧ ସତ୍ତ୍ୱେ ବ୍ୟକ୍ତିଗତ ସ୍ୱାଧୀନତାର ସୁରକ୍ଷା ଏବଂ ସାମ୍ବିଧାନିକ ଅଧିକାରକୁ ବଜାୟ ରଖିବା ପାଇଁ ନ୍ୟାୟପାଳିକାର ପ୍ରତିବଦ୍ଧତାକୁ ଦର୍ଶାଉଛି।
Tags: #Live-inRelationship #BombayHighcourt #ConstitutionalRights #India