ଓଡ଼ିଶାଲାଇଭ୍ ବ୍ୟୁରୋ

ସଡ଼କ ସୁରକ୍ଷା ଆଜି ଭାରତରେ ଏକ ଚିନ୍ତାର ବିଷୟ ହୋଇଛି। ନିଶାଶକ୍ତ ହୋଇ ବେପରୁଆ ଗାଡ଼ି ଚଲାଇବା ଯୋଗୁଁ ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିଚାଲିଛି। ବିଶେଷ କରି ନିଶାଶକ୍ତ ଭାବେ ଗାଡ଼ି ଚଳାଇବା ବେଶି ଭୟଙ୍କର ସାଜିଛି। ନିଶାଶକ୍ତ ହୋଇ ଗାଡି ଚଳାଇବା ପାଇଁ କଟକଣା ଓ ଜରିମାନା ବି ରହିଛି, ହେଲେ ମାନୁଛି କିଏ? ତେବେ ଏଣିକି ଆଉ ଠକିପାରିବେନି ଚାଳକ। ନିଶାଶକ୍ତ ହୋଇ ଗାଡ଼ି ଚଲାଉଥାନ୍ତି ତେବେ ଏହି ହେଲମେଟ୍ ଧରାଇଦେବ।

ରାଞ୍ଚି ସେଣ୍ଟ ଜାଭିୟର୍ସ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଅଭିରାଜ ସିଂହ ଏମିତି ଏକ ସେନ୍ସର ଥିବା ହେଲମେଟ୍ ପ୍ରସ୍ତୁତ କରିଛନ୍ତି, ଯାହାକୁ ପିନ୍ଧିଲେ ସଡ଼କ ଦୁର୍ଘଟଣାକୁ ଅନେକାଂଶରେ ରୋକା ଯାଇପାରିବ। 

ଏହି ଛାତ୍ର ଜଣକ ସବୁଦିନ ଗଣମାଧ୍ୟମରୁ ସଡ଼କ ଦୁର୍ଘଟଣା ଜନିତ ମୃତାହତ ଖବର ଶୁଣୁଥିଲେ। ଏହି ଖବର ତାଙ୍କୁ ଖୁବ ବ୍ୟଥିତ କରୁଥିଲା। ସେ ଜାଣିଲେ, ଅଧିକାଂଶ ଦୁର୍ଘଟଣା ମଦ୍ୟପାନ ଯୋଗୁ ହେଉଛି। ତେଣୁ ଏହାକୁ ରୋକିବା ପାଇଁ ସେ ଏକ ବିଶେଷ ହେଲମେଟ୍ ତିଆରି କରିବା ଚିନ୍ତା କଲେ। 

ମଦ ପିଇ ଚଳାଇ ପାରିବେନି ବାଇକ୍

ଅଭିରାଜଙ୍କ କହିବା ଅନୁଯାୟୀ, ତାଙ୍କ ହେଲମେଟରେ ଏକ ସେନ୍ସର ଲାଗିଛି ଯାହା ବ୍ୟକ୍ତିଙ୍କ ମୁହଁ ପାଖରେ ରହିବ। ଚାଳକ ମଦ ପିଇଥିଲେ ଏହି ହେଲମେଟର ସେନ୍ସର ମଦର ମଲିକ୍ୟୁଲକୁ ଧରି ପାରିବ। ଏହାପରେ ଏଥିରେ ଥିବା ଏକ ବେଲ୍ ଆପେ ଆପେ ଜଳି ଉଠିବ। ସେତିକି ନୁହେଁ, ମଦ୍ୟପାନ କରି ହେଲମେଟ୍ ପିନ୍ଧିଲେ, ଯେତେ ଚେଷ୍ଟା କଲେ ବି ବାଇକ୍ ଷ୍ଟାର୍ଟ ହେବନି।
ଚାଳକ ମଦପିଇ ଗାଡ଼ି ଚଲାଇବାକୁ ଚେଷ୍ଟା କରୁଥିଲେ ଏହି ହେଲମେଟ ଚେତାବନୀ ଭାବେ କାମ କରିବ। ଏହାଦ୍ୱାରା ସଡ଼କ ଦୁର୍ଘଟଣା କମ୍ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଅଭିରାଜ। ହେଲମେଟ୍ କମ୍ପାନିଗୁଡ଼ିକ ଏହି ଫିଚର୍ସକୁ ହେଲମେଟରେ ନିହାତି ବ୍ୟବହାର କରିବା ଆବଶ୍ୟକ ବୋଲି କହିଛନ୍ତି ଅଭିରାଜ।

ଅଭିରାଜ କହିଛନ୍ତି, “ମୋର ଏକ ସ୍ୱପ୍ନ ଯେ ବାଇକ ଚଲାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡରେ ଏହି ହେଲମେଟ ରହିବ। ଏହି ହେଲମେଟକୁ ଏତେ ସ୍ୱତନ୍ତ୍ର ଭାବରେ ତିଆରି କରାଯିବ ଯେ ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ଏକପ୍ରକାର ବାଧ୍ୟ ହେବେ।”

ଆଗକୁ ଏହି ହେଲମେଟରେ ଅନେକ ଫିଚର୍ସ ଯୋଡ଼ିବାକୁ ପଡ଼ିବ। ଏଥିରେ ଜିପିଆରଏସ ଲଗାଯିବ ଯାହା ସାଟେଲାଇଟକୁ ସଂଯୋଗ କରିବ ଏବଂ ସଡ଼କ ହିସାବରେ ସ୍ପିଡକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ।

Tags: #RoadSafety #SpecialHelmet #Bikers #Invention #Ranchi

LEAVE A REPLY

Please enter your comment!
Please enter your name here