ଓଡ଼ିଶାଲାଇଭ୍ ବିଜନେସ୍ ବ୍ୟୁରୋ

ମିଡିଲ୍ ଇନକମ୍ ଗ୍ରୁପ୍ ବା ମଧ୍ୟବିତ୍ତ ହେଉଛନ୍ତି ଭାରତୀୟ ଅର୍ଥନୀତିର ସବୁଠାରୁ ବଡ ଭରସା। ଏମାନଙ୍କ ଉପରେ ଭାରତର ଯେତିକି ନଜର ସେତିକି ନଜର ରହିଛି ବିଶ୍ୱ ବଜାରରେ କାରବାର କରୁଥିବା ବଡ ବଡ଼ କମ୍ପାନିମାନଙ୍କର। ପୃଥିବୀର ବିଭିନ୍ନ ଭାଗରେ ଅର୍ଥନୀତିରେ ହଲ୍‌ଚଲ୍ ଫଳରେ ବିଭିନ୍ନ ଜଟିଳ ସମସ୍ୟା ଦେଖା ଦେଉଥିବା ବେଳେ ଭାରତର ବିଶାଳ ମଧ୍ୟବିତ୍ତ ବର୍ଗ ଦେଶର ଅର୍ଥନୀତିର ମେରୁଦଣ୍ଡ ଭାବେ ଠିଆ ହୋଇଛନ୍ତି।

ଭାରତରେ ଏହି ମଧ୍ୟବିତ୍ତ ପରିବାର ସଂଖ୍ୟା ୬୦କୋଟିରୁ ଅଧିକ। ସେମାନେ ପ୍ରତିବର୍ଷ ଖର୍ଚ୍ଚ କରୁଛନ୍ତି ୧.୨୫ ଟ୍ରିଲିଅନ୍ ଡଲାରରୁ ଅଧିକ ଅର୍ଥ। ଭାରତର ବିଶାଳ ବଜାରର ସବୁଠାରୁ ବଡ ଗରାଖ ହେଉଛନ୍ତି ଏହି ମଧ୍ୟବିତ୍ତ ବର୍ଗର ମଣିଷମାନେ। ଏଣୁ ଏହି ଶ୍ରେଣୀ ଦେଶର ଅର୍ଥନୀତିକୁ ଦୃଢ଼ କରିବାରେ ସହାୟକ ହେବା ସହିତ ଅନ୍ତର୍ଜାତୀୟ ବଜାରରେ ଭାରତର ସ୍ଥିତି ମଜଭୁତ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

କେବଳ ବିଭିନ୍ନ ସାମଗ୍ରୀ କିଣାବିକା କଥା ନୁହେଁ ଅର୍ଥ ନିବେଶ କ୍ଷେତ୍ରରେ ମଧ୍ୟ ଏହି ଭାରତୀୟ ମଧ୍ୟବିତ୍ତ ଶ୍ରେଣୀ ଆଜି ଖୁବ୍ ସକ୍ରିୟ ରହିଛନ୍ତି। ଦେଶରେ ଆଗଧାଡ଼ିରେ ଥିବା ଫ୍ରାଙ୍କଲିନ୍ ଟେମ୍ପଲଟନ୍, ୱିସଡମ୍ ଟ୍ରି ଇନଭେଷ୍ଟମେଣ୍ଟସ ଏବଂ ନ୍ୟୁଟନ୍ ଆସେଟ୍ ମ୍ୟାନେଜମେଣ୍ଟ ଭଳି କମ୍ପାନିମାନଙ୍କ କହିବା ଅନୁଯାୟୀ ଭାରତୀୟମାନେ ଆଗଅପେକ୍ଷା ଅଧିକ ପରିମାଣରେ ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡ କ୍ଷେତ୍ରରେ ନିୟମିତ ନିବେଶ କରୁଛନ୍ତି। କେବଳ ସେତିକି ନୁହେଁ ସେମାନେ ମଧ୍ୟ ଏହି କାରବାରରେ ଲାଭବାନ୍ ହେଉଛନ୍ତି। ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇପଡ଼ିଥିବାରୁ ଅନେକ ସମୟରେ ଏହି ନିବେଶକାରୀମାନେ ପାଉଥିବା ଲାଭକୁ ବିଶ୍ୱସ୍ତରରେ ତୁଳନା କଲାବେଳେ ଉନ୍ନତମାନର ବୋଲି ବିଚାର କରାଯାଇପାରୁନାହିଁ।

ନିକଟରେ ମୁମ୍ବାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଆକଳନ କରାଯାଇଛି ଯେ ଆଜି ଭାରତରେ ୬୦ କୋଟିରୁ ଅଧିକ ମଧ୍ୟବିତ୍ତ ଶ୍ରେଣୀୟ ଲୋକ ଅଛନ୍ତି। ସେହିପରି ବୋଷ୍ଟନ୍ କନସଲ୍ଟିଂ ଗ୍ରୁପର ଆକଳନ ଅନୁଯାୟୀ ୨୦୨୫ ମସିହା ସୁଦ୍ଧା ଭାରତ ପୃଥିବୀର ତୃତୀୟ ବୃହତ ଉପଭୋକ୍ତା ଅର୍ଥନୀତି ଭାବେ ଠିଆ ହେବାକୁ ଯାଉଛୁ। ତେଣୁ ଏହି ସମୟରେ ଭାରତୀୟ ଗ୍ରାହକମାନଙ୍କ ବ୍ୟୟ ପ୍ରାୟ ୪ଟ୍ରିଲିଅନ୍ ଡଲାର୍ ଟପିଯିବ ବୋଲି ଅନୁମାନ କରାଯାଉଛି। ଏହି ପରିସଂଖ୍ୟାନ ପୃଥିବୀର ଅନେକ ବଡ କମ୍ପାନିକୁ ଭାରତ ବଜାରରେ ପ୍ରବେଶ କରିବା ପାଇଁ କିମ୍ବା ଅଧିକ ପୁଞ୍ଜି ନିବେଶ କରିବା ପାଇଁ ଆକର୍ଷିତ କରିବା ସ୍ୱାଭାବିକ।

LEAVE A REPLY

Please enter your comment!
Please enter your name here