ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାଗୀ ସାଂସଦ ଓ ବିଧାୟକମାନଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଦୋଷୀ ସାବ୍ୟସ୍ତ ହେବା ମାତ୍ରେ ହିଁ ସେମାନଙ୍କ ସଭ୍ୟପଦ ହେବ ରବ୍ଦ।

ସାଧାରଣ ଲୋକ ହୁଅନ୍ତୁ ବା ନିର୍ବାଚିତ ଲୋକ ପ୍ରତିନିଧି, ଆଇନ ଆଖିରେ ସମସ୍ତେ ସମାନ। ଆଇନ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଉଚିତ। ନିର୍ବାଚିତ ଲୋକପ୍ରତିନିଧିଙ୍କ ସଭ୍ୟପଦ ସଂପର୍କରେ ସୁପ୍ରିମକୋର୍ଟ ଦେଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏ କଥା ପୁଣି ପ୍ରମାଣିତ ହୋଇଛି।

ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ମାତ୍ରେ ହିଁ ସାଂସଦ, ବିଧାୟକ ବା ବିଧାନ ପରିଷଦ ସଦସ୍ୟ ସଭ୍ୟପଦ ହରାଇବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାର ରାୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଉପର ଅଦାଲତର ସ୍ଥଗିତାଦେଶ ନ ଥିଲେ ଏବଂ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ରାୟ ପ୍ରକାଶ ପାଇବା ଦିନ ହିଁ ସାଂସଦ କିମ୍ବା ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହେବ। ସେମାନେ ଗୃହକାର୍ଯ୍ୟରେ ଭାଗ ନେଇପାରିବେ ନାହିଁ। ନିର୍ବାଚିତ ଲୋକ ପ୍ରତିନିଧି ଭାବେ ପାଉଥିବା ସୁବିଧା ସୁଯୋଗ ପାଇବେ ନାହିଁ। ଏ ସଂପର୍କରେ ଜନପ୍ରତିନିଧି ଆଇନର ଧାରା ୮(୪)କୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।

ପୂର୍ବରୁ ଏହି ନିୟମ ଅନୁସାରେ ଜଣେ ନିର୍ବାଚିତ ସାଂସଦ, ବିଧାୟକ କିମ୍ବା ବିଧାନ ପରିଷଦ ସଦସ୍ୟ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଉପର ଅଦାଲତରେ ଆବେଦନ କରିବା ପାଇଁ ତିନି ମାସ ସମୟ ଦିଆଯାଉଥିଲା। ଏହି ସମୟରେ ସେ ଗୃହର ସଦସ୍ୟ ରୂପେ କାର୍ଯ୍ୟ ତୁଲାଉଥିଲେ ଏବଂ ସୁବିଧା ସୁଯୋଗ ପାଉଥିଲେ। ଏହାର ଅର୍ଥ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ପରେ ବି ଜଣେ ମନ୍ତ୍ରୀଙ୍କ ମନ୍ତ୍ରୀପଦ କାଏମ ରହୁଥିଲା। ସେହିଭଳି ସାଂସଦ ଏବଂ ବିଧାୟକ ବି ନିଜ ନିଜ ପଦରେ ରହି ଉପର ଅଦାଲତରେ ପୁନର୍ବିଚାର ଆବେଦନ କରୁଥିଲେ। ଏଥିରୁ ସ୍ପଷ୍ଟ ଯେ ସାଧାରଣ ଲୋକ ଏବଂ ଲୋକପ୍ରତିନିଧିଙ୍କ ମଧ୍ୟରେ ଆଇନ ଲାଗୁ କରିବାରେ ତାରତମ୍ୟ ରହୁଥିଲା। ଏହାର କାରଣ ଥିଲା ୧୯୫୧ ମସିହା ଜନପ୍ରତିନିଧି ଆଇନର ୮(୪) ଧାରା। ଏହି ଧାରା ବଳରେ ଜଣେ ସାଂସଦ କିମ୍ବା ବିଧାୟକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ତିନି ମାସ ଯାଏ ସଭ୍ୟପଦ ହରାଉ ନଥିଲେ। ତିନି ମାସ ମଧ୍ୟରେ ଉପର କୋର୍ଟରେ ଆବେଦନ କରି ନିର୍ବିଘ୍ନରେ ନିଜ ପଦବୀର ଅଧିକାର ଉପଭୋଗ କରୁଥିଲେ।

୨୦୧୩ ମସିହାରେ ଲୋକ ପ୍ରତିନିଧି ଆଇନର ଏହି ଧାରାକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ। ୨୦୧୩ ମସିହା ଜୁଲାଇ ୧୦ରେ ଆଇନଜୀବୀ ଲିଲି ଥମାସ ବନାମ ଭାରତ ସରକାର ମାମଲାର ରାୟରେ ଲୋକପ୍ରତିନିଧି ଆଇନର ଏହି ଧାରା ଅସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ କହିଥିଲେ। ସେହି ବର୍ଷ ଅଗଷ୍ଟ ୩୦ ତାରିଖ ଦିନ ରାଜ୍ୟସଭାରେ ଲୋକପ୍ରତିନିଧି ଆଇନର (ଦ୍ୱିତୀୟ ସଂଶୋଧନ ଏବଂ ବୈଧୀକରଣ) ବିଲ୍‌ ଆଗତ କରାଯାଇଥିଲା। ସେତେବେଳର କେନ୍ଦ୍ର ଆଇନ ମନ୍ତ୍ରୀ କପିଲ ସିବଲ ବିଲ୍‌ ଆଗତ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ଆବେଦନ କରିଥିଲେ। ବିଲ୍‌ ଗୃହୀତ ହେବା ପୂର୍ବରୁ ଏ ସଂପର୍କରେ ଅଧ୍ୟାଦେଶ ଜାରି କରିବାକୁ ମଧ୍ୟ ସରକାର ସ୍ଥିର କରିଥିଲେ।

ଗୋଖାଦ୍ୟ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ଏହି ଅଧ୍ୟାଦେଶ ଜାରି କରିବାକୁ ପ୍ରୟାସ କରାଯାଇଥିଲା। ଲାଲୁ ପ୍ରସାଦ ଯାଦବଙ୍କୁ ସୁରକ୍ଷା ଦେବା ପାଇଁ ଏହା ସରକାରଙ୍କ ଉଦ୍ୟମ ବୋଲି ବିରୋଧୀମାନେ ଅଭିଯୋଗ କରିଥିଲେ। ସେତେବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଧ୍ୟାଦେଶର ନକଲ ଚିରି ଚର୍ଚ୍ଚାକୁ ଆସିଥିଲେ ରାହୁଲ ଗାନ୍ଧି। ଏହି ଅଧ୍ୟାଦେଶକୁ ସଂପୂର୍ଣ୍ଣ ମୂର୍ଖତାପୂର୍ଣ୍ଣ ଏବଂ ଏହାକୁ ଚିରି ଫିଙ୍ଗି ଦିଆଯିବା ଉଚିତ କହି ସେ ଏପରି କରିଥିଲେ। ରାହୁଲଙ୍କ ଆଚରଣ ସରକାରଙ୍କ ସମାଲୋଚନା କରିବାକୁ ବିରୋଧୀଙ୍କୁ ଖୋରାକ ଯୋଗାଇଥିଲା। ୨୦୧୩ ଅକ୍ଟୋବର ୨ ତାରିଖ ଦିନ ସରକାର ଏ ସଂପର୍କିତ ଅଧ୍ୟାଦେଶ ଓ ବିଲ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କରି ନେଇଥିଲେ।

୨୦୧୩ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ଉଲ୍ଲଂଘନ କରାଯାଉଥିବା ଅଭିଯୋଗରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ କରାଯାଇଥିବା ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। କିନ୍ତୁ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.ଏମ୍‌. ଖାନୱିଲକର ଏବଂ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି ଯେ ଉପର କୋର୍ଟ ବା ପୁନର୍ବିଚାର ଆବେଦନ ବିଚାର କରୁଥିବା କୋର୍ଟଙ୍କ ସ୍ଥଗିତାଦେଶ ନଥିଲେ ଦୋଷୀ ସାବ୍ୟସ୍ତ ସାଂସଦ, ବିଧାୟକ ବା ବିଧାନ ପରିଷଦ ସଦସ୍ୟ ତାତ୍କାଳିକ ଭାବେ ସଭ୍ୟପଦ ହରାଇବେ। ଏ ସଂପର୍କିତ ପୂର୍ବ ନିର୍ଦ୍ଦେଶକୁ କାଏମ ରଖିବା ସହିତ ଲୋକ ପ୍ରତିନିଧି ଆଇନର ୮(୪) ଧାରାକୁ  ଆଇନର ପରିପନ୍ଥୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଅପରାଧ କରୁଥିବା ସାଧାରଣ ଲୋକ ଏବଂ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ରାଜନୀତିର ଅପରାଧୀକରଣ ଉପରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଅଙ୍କୁଶ ସଦୃଶ।

LEAVE A REPLY

Please enter your comment!
Please enter your name here