ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଘନ୍ୟ ଖେଳ ଖେଳିଥିବା କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ମୁଖ୍ୟ ଏ ଜନ୍‌ସେଲ୍ ରାଜାଙ୍କୁ ତାମିଲନାଡୁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ।

କଳାହାଣ୍ଡିର ବହୁ ଚର୍ଚ୍ଚିତ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ମୁଖ୍ୟ ଏ ଜନ୍‌ସେଲ୍ ରାଜାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ଟିମ୍। ତାମିଲନାଡ଼ୁର ନଗର କୋଏଲ ଅଞ୍ଚଳରୁ ସେ ଗିରଫ ହୋଇଛନ୍ତି। ଜନ୍‌ସେଲ୍‌ଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣିବ ଇଓଡବ୍ଲ୍ୟୁ।

ଜନ୍‌ସେଲ୍‌ ସେଲଭମ୍‌ ଏଜୁକେସନାଲ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଥିଲେ। ଏହି ଟ୍ରଷ୍ଟ ଅଧିନରେ ସେ ମେଡିକାଲ କଲେଜ ଚଳାଉଥିଲେ। କଳାହାଣ୍ଡିର ଜାରିଙ୍ଗଠାରେ ମେଡିକାଲ କଲେଜ ଚଲାଇବା ପାଇଁ ଏହି ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହ ଏମଓୟୁ ସ୍ୱାକ୍ଷର କରିଥିଲା।

ଚୁକ୍ତି ଅନୁସାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମେଡିକାଲ କଲେଜ ପାଇଁ ୧୦ କୋଟି ଟଙ୍କା ଏବଂ ୨୫ ଏକର ଜମି ଟ୍ରଷ୍ଟକୁ ପ୍ରଦାନ କରିଥିଲେ। ମେଡିକାଲ କଲେଜ ପରିଚାଳନା ପାଇଁ ସମସ୍ତ ପ୍ରକାର ସୁବିଧା ସରକାର ଯୋଗାଇ ଦେଇଥିଲେ ମଧ୍ୟ  ଜନ୍‌ସେଲ୍ ଏହାକୁ ସୁରୁଖରୁରେ ପରିଚାଳନା କରିପାରି ନଥିଲେ। ମେଡିକାଲ କଲେଜରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଶୃଙ୍ଖଳା ଦେଖାଦେଉଥିଲା।

୨୦୧୩-୧୪ ଓ ୨୦୧୪-୧୫ ଶିକ୍ଷା ବର୍ଷରେ ଏହି ମେଡିକାଲ କଲେଜରେ ଏମ୍‌ବିବିଏସ୍ ପାଠ୍ୟକ୍ରମ ଲାଗି ଏମ୍‌ସିଆଇ ଅନୁମତି ପାଇଥିଲା। ହେଲେ ଏହି ପାଠ୍ୟକ୍ରମ ପାଇଁ କଲେଜରେ କୌଣସି ଭିତ୍ତିଭୂମି ନଥିଲା। ଏ ସମ୍ପର୍କରେ ଏମ୍‌ସିଆଇକୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖିଥିଲେ ଜନ୍‌ସେଲ୍। ଏମ୍‌ସିଆଇକୁ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ କର୍ତ୍ତୃପକ୍ଷ ମିଥ୍ୟା କାଗଜପତ୍ର ଦେଇଥିବା ଜଣାପଡ଼ିବା ପରେ ତୃତୀୟ ବର୍ଷ ପାଠ୍ୟକ୍ରମ ପାଇଁ ଅନୁମତି ମିଳି ନଥିଲା।

ଏମ୍‌ସିଆଇ ଅନୁମତି ଦେଉ ନଥିବା ଜାଣିବା ପରେ ମଧ୍ୟ ଜନ୍‌ସେଲ୍‌ ପିଲାଙ୍କଠାରୁ କ୍ୟାପିଟେସନ୍ ଫି ଓ କସନ୍ ମନି ବାବଦରେ ବିପୁଳ ଟଙ୍କା ନେଇଥିଲେ। ପରେ ସେ ମେଡିକାଲ କଲେଜକୁ ବନ୍ଦ କରିଦେଇଥିଲେ। ଫଳରେ ୧୨୪ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଅନ୍ଧକାର ହୋଇଯାଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ।

LEAVE A REPLY

Please enter your comment!
Please enter your name here