ଓଡ଼ିଶାଲାଇଭ୍ ବ୍ୟୁରୋ
କେମିକାଲ ଫ୍ରି ଗଣେଶ ମୂର୍ତ୍ତି ଉପରେ ଜୋର୍ ଦେଉଛନ୍ତି ବିଭିନ୍ନ ପୂଜା କମିଟି। କାରିଗର ମଧ୍ୟ ରାସାୟନିକ ରଙ୍ଗକୁ ବର୍ଜନ କରିଛନ୍ତି।
ଆଉ ଦୁଇ ଦିନ ପରେ ଗଣେଷ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସହରରୁ ଗାଁ। ପୂଜା କେମିତି ଜାକଜମକରେ ହେବ ସେନେଇ ଚାଲିଛି ଜୋରଦାର ପ୍ରସ୍ତୁତି। ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମୂର୍ତ୍ତି ଏବଂ ସାଜସଜ୍ଜା ଉପରେ ଗୁରୁତ୍ୱ ଦେଉଛନ୍ତି ପିଲାମାନେ। ପିଲାଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବେ ବଜାରରେ ମିଳୁଛି ଭଳିକି ଭଳି ଗଣେଶ ମୂର୍ତ୍ତି। କାରିଗରଙ୍କ ଶେଷ ସ୍ପର୍ଶ ପାଇବା ପରେ ମୂର୍ତ୍ତି ଏବେ ବଜାରରେ ବିକ୍ରି ହେଉଛି।
ତେବେ ଚଳିତ ବର୍ଷ କେମିକାଲ ଫ୍ରି ଗଣେଶ ମୂର୍ତ୍ତି ଉପରେ ବିଭିନ୍ନ ପୂଜା କମିଟି ଗୁରୁତ୍ୱ ଦେଉଛନ୍ତି। ଏହାକୁ ନଜରରେ ରଖି କାରିଗରମାନେ ମୂର୍ତ୍ତିରେ ରାସାୟନିକ ରଙ୍ଗ ବ୍ୟବହାରକୁ ବର୍ଜନ କରିଛନ୍ତି।
ଗଣେଷ ପୂଜା ପାଇଁ ଭୁବନେଶ୍ୱର ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ବିଭିନ୍ନ ଡିଜାଇନର ଗଣେଶ ମୂର୍ତ୍ତି ପାଇଁ ପୂଜା କମିଟିର ସଦସ୍ୟମାନେ କାରିଗରଙ୍କୁ ବରାଦ ଦେଇଛନ୍ତି। ବରାଦିଆ ମୂର୍ତ୍ତି କାମ ଏବେ ଶେଷ ପର୍ଯ୍ୟାୟରେ। ତେବେ ଗଣେଶ ମୂର୍ତ୍ତିରେ ଦିଆଯାଉଥିବା ରଙ୍ଗକୁ ନେଇ ପରିବେଶବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ମୂର୍ତ୍ତି କାରିଗର ବିରଞ୍ଚି ନାରାୟଣ ପାତ୍ର ଚଳିତ ବର୍ଷ କେମିକାଲ ଫ୍ରି ଗଣେଶ ମୂର୍ତ୍ତି ତିଆରି କରିଛନ୍ତି।
ଏହି କେମିକାଲ ଫ୍ରି ଗେଣଶ ମୂର୍ତ୍ତି ପାଇଁ ବିରଞ୍ଚିଙ୍କ ପାଖରେ ଲୋକଙ୍କ ଭିଡ଼ ଲାଗୁଛି।
ଭୁବନେଶ୍ୱର ସୁନ୍ଦରପଦାର ପୁନାମା ଗେଟ୍ ନିକଟରେ ବିରଞ୍ଚି ମୂର୍ତ୍ତି ତିଆରି କରୁଛନ୍ତି। ୮ ବର୍ଷ ହେଲା ସେ ମୂର୍ତ୍ତି ତିଆରି କରି ବିକ୍ରି କରୁଛନ୍ତି। ସେ ୬୫ ରୁ ଅଧିକ ମୂର୍ତ୍ତି ତିଆରି କରିଛନ୍ତି। ଦେଢ଼ ଫୁଟରୁ ଆରମ୍ଭ କରି ଆଠ ଫୁଟ ଉଚ୍ଚତାର ମୂର୍ତ୍ତି ତିଆରି କରିଛନ୍ତି ସେ। ଚଳିତ ବର୍ଷ ଭୂର୍ତ୍ତି ରାସାୟନିକ ରଙ୍ଗ ବ୍ୟବହାର କରି ନଥିବାରୁ ଅଧିକାଂଶ ଲୋକଙ୍କ ଭିଡ଼ ଜମୁଛି।
ଭୁବନେଶ୍ୱରର ବଡ଼ଗଡ଼, ଡମଣା, ଖଣ୍ଡଗିରି ବିଭିନ୍ନ ପୂଜା କମିଟି ବିରଞ୍ଚିଙ୍କ ପାଖରୁ ମୂର୍ତ୍ତି ନେଉଥିବା ବେଳେ ପୁରୀ, ନିମାପଡ଼ା ଆଦି ଅଞ୍ଚଳର ଲୋକେ ଆସି ମୂର୍ତ୍ତି ନେଇଥାନ୍ତି ବୋଲି ବିରଞ୍ଚି କହିଛନ୍ତି। ସେ ବରାଦ ମୁତାବକ ମୂର୍ତ୍ତି ତିଆରି କରିଥାନ୍ତି। ୫୦୦ ଟଙ୍କାରୁ ଆରମ୍ଭକରି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ବିରଞ୍ଚି ତିଆରି କରିଛନ୍ତି।
“ପରିବେଶ ପ୍ରଦୂଷଣ ରୋକିବା ପାଇଁ ଏବଂ ଜୈବ ବିବିଧତା ଉପରେ କୌଣସି ପ୍ରତିକୂଳ ପ୍ରଭାବ ନପକାଇବା ପାଇଁ ଏବେ ସମସ୍ତେ କେମିକାଲ ମୁକ୍ତ ମୂର୍ତ୍ତି ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି କୌଣସି ମୂର୍ତ୍ତିରେ ରାସାୟନିକ ରଙ୍ଗ ଦିଆଯାଇ ନାହିଁ। ଜଳ ପ୍ରଦୂଷଣକୁ ରୋକିବା ପାଇଁ ଆମେ ମୂର୍ତ୍ତିମାନଙ୍କରେ ରାସାୟନିକ ରଙ୍ଗର ବ୍ୟବହାର କରୁନାହୁଁ”, କହିଛନ୍ତି ବିରଞ୍ଚି ନାରାୟଣ ପାତ୍ର।
ବିରଞ୍ଚି କହିଛନ୍ତି ଯେ ବର୍ଷା ଦିନ ଆସିବା ପୂର୍ବରୁ ନଦୀରୁ ଚିକିଟା ମାଟି ସଂଗ୍ରହ କରାଯାଇଥାଏ। ସେଥିରେ ନଡ଼ା ଓ ପାଳ ଦେଇ ମୂର୍ତ୍ତି ତିଆରି କରିଥାନ୍ତି।
ମୂର୍ତ୍ତିରେ କାରିଗରମାନେ ରାସାୟନିକ ରଙ୍ଗ ବ୍ୟବହାର ନକରି ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି। କାରିଗରମାନେ କଇଥ ଗଛର ଅଠାକୁ ପାଣିରେ ଦୁଇଦିନ ପାଇଁ ବତୁରେଇ ରଖୁଛନ୍ତି। ସେହି ପାଣିକୁ ରଙ୍ଗରେ ମିଶାଇ ମୂର୍ତ୍ତିରେ ବ୍ୟବହାର କରୁଛନ୍ତି। ଏହି ରଙ୍ଗ ପରିବେଶ ଉପରେ କୌଣସି ପ୍ରଭାବ ପକାଇ ନଥାଏ ବୋଲି କହିଛନ୍ତି ବିରଞ୍ଚି।
“ରାସାୟନିକ ରଙ୍ଗ ବ୍ୟବହାର କରିବା ଫଳରେ ପରିବେଶ ଉପରେ କୁ ପ୍ରଭାବ ପଡ଼ୁଛି। ଜଳ ପ୍ରଦୂଷଣ ବୃଦ୍ଧି ପାଉଛି। ଜଳଚର ପ୍ରାଣୀ ବିପଦରେ ପଡ଼ୁଥିବା ବେଳେ ପିଲାମାନେ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଣୁ ଆମେ ଚଳିତ ବର୍ଷ କେମିକାଲ ଫ୍ରି ଗଣେଶ ମୂର୍ତ୍ତି ପାଇଁ ବରାଦ ଦେଇଛୁ। ଅନ୍ୟମାନେ ବି କେମିକାଲ ଫ୍ରି ଗଣେଶ ମୂର୍ତ୍ତି ପୂଜା କରି ପରିବଶେକୁ ସୁରକ୍ଷିତ ରଖନ୍ତୁ”, କହିଛନ୍ତି ମହାବୀର କ୍ଳବ ପୂଜା କମିଟିର ସମ୍ପାଦକ ବିଚିତ୍ର କୁମାର ନାୟକ।
ରିପୋର୍ଟ: ସୁଶ୍ରୀସ୍ମିତା