ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ହକି ବିଶ୍ୱକପ ଜିତିବାର ସ୍ୱପ୍ନ ତୁଟିଛି। ଗୁରୁବାର ସନ୍ଧ୍ୟାରେ କ୍ୱାର୍ଟର ଫାଇନାଲ ଖେଳରେ ନେଦରଲାଣ୍ଡଠାରୁ ୧-୨ରେ ପରାସ୍ତ ହେବା ପରେ ଖେଳରୁ ଭାରତୀୟ ଟିମ ବାହାରିଯାଇଛି। ଗୁରୁବାରର ମ୍ୟାଚ ଜିତିଥିଲେ ଭାରତୀୟ ଟିମ ସେମିଫାଇନାଲକୁ ଯାଇଥାନ୍ତା।

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଦ୍ଵିତୀୟ କ୍ୱାର୍ଟର ଫାଇନାଲରେ ଜିତିବାର ବହୁ ଆଶା ରହିଥିଲା। ଗୁରୁବାରର ଏହି ମ୍ୟାଚ ପରେ ନେଦରଲାଣ୍ଡ ସେମି ଫାଇନାଲରେ ପହଞ୍ଚିଛି। ବର୍ତ୍ତମାନ ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୋଟିଏ  ସେମିଫାଇନାଲ ଖେଳାଯିବ।

ଭାରତୀୟ ଖେଳାଳିମାନେ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଫଳାଫଳ ନେଦରଲାଣ୍ଡ ପକ୍ଷକୁ ଯାଇଛି। ଏହି ପରାଜୟ ସହ ଭାରତର ଅଭିଯାନ ଶେଷ ହୋଇଛି। ଡିସେମ୍ବର ୧୫ରେ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ନେଦରଲାଣ୍ଡ।

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଟିମ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ହରାଇଥିଲା। ପରେ ବେଲଜିୟମ୍ ସହିତ ହୋଇଥିବା ମ୍ୟାଚରେ ୨-୨ ଗୋଲରେ ଖେଳ ଡ୍ର ରହିଥିଲା। ଅନ୍ୟ ଏକ ମ୍ୟାଚରେ ଭାରତ କାନାଡାକୁ ୫-୧ ଗୋଲରେ ହରାଇ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା।

ଅନ୍ୟପକ୍ଷରେ ଗୁରୁବାର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ବେଲଜିୟମ୍ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ବେଲଜିୟମ ଏହି ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚ ବେଲଜିୟମ୍ ଏବଂ ଇଂଲଣ୍ଡ ମଧ୍ୟରେ ଡିସେମ୍ବର ୧୫ରେ ମୁକାବିଲା ହେବ।

LEAVE A REPLY

Please enter your comment!
Please enter your name here