ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ସମ୍ବଲପୁର ବୋର୍ଡ ଅଫିସ୍ରେ ନିଆଁ ଲଗାଇଲେ ଦୁର୍ବୃତ୍ତ,୨ ବାଇକ୍ ସହ ଜାଳିଦେଲେ ଅଫିସ୍ର ଦରକାରୀ କାଗଜପତ୍ର।
ମାଧ୍ୟମିକ ଶିକ୍ଷା ପରିଷଦର ସମ୍ବଲପୁର ଶାଖା କାର୍ଯ୍ୟାଳୟରେ ବୁଧବାର କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବାର ଅଭିଯୋଗ ହୋଇଛି। ସମ୍ବଲପୁର ଜେଲ ଛକରେ ଅବସ୍ଥିତ ଏହି ଅଫିସରେ ଦୁର୍ବୃତ୍ତମାନେ ପଶି ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜାଳିଦେଇଥିବା ବେଳେ ଦୁଇଟି ବାଇକରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦର ସମ୍ବଲପୁର ଶାଖା କାର୍ଯ୍ୟାଳୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୁରଣ ଚାଲିଥିଲା। ଅପରାହ୍ଣ ୨ଟାରେ ୭ ରୁ ୮ଜଣ ଦୁର୍ବୃତ୍ତ ଅଫିସ୍ ବାହାରେ ଥିବା ୨ଟି ବାଇକ୍ରେ ନିଆଁ ଳଗାଇ ଜାଳିଦେଇଥିଲେ। ପରେ ବୋର୍ଡ ଅଫିସ ଭିତରେ ପଶି କାଗଜପତ୍ର ଓ କମ୍ପ୍ୟୁଟରରେ ନିଆଁ ଲଗାଇଥିଲେ।
ନିଆଁରେ ଅଫିସ୍ର ବହୁ ଗରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜଳିଯାଇଛି ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ଡେପୁଟି ସେକ୍ରେଟାରୀ ସୂର୍ଯ୍ୟମଣି ମାଝୀ କହିଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଦୁର୍ବୃତ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।