ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ପ୍ରଥମ ଥର ପାଇଁ ଏଭଳି ଟ୍ରେନ ହେବ, ଯାହା ଏକ ମିନିଟ୍ ବିଳମ୍ବ ହେଲେ ବି ଯାତ୍ରୀଙ୍କୁ ଭୁଲ ମାଗିବ । କ’ଣ ପାଇଁ ଟ୍ରେନ ବିଳମ୍ବ ହେଲା ତାହାର ବି କାରଣ ଦର୍ଶାଇବ ଟ୍ରେନ। ସାଧାରଣ ଭାବେ ଦେଶରେ ଏପର୍ଯ୍ୟନ୍ତ କୌଣସି ଟ୍ରେନରେ ଏଭଳି ସୁବିଧା ନାହିଁ। ବର୍ତ୍ତମାନ ଚାଲୁଥିବା ଟ୍ରେନରେ ଏଭଳି ବ୍ୟବସ୍ଥା ହୋଇନଥିବାରୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ମୁମ୍ବାଇ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ ଟ୍ରେନ ଯାତ୍ରୀଙ୍କୁ ସରି କହିବ। ନ୍ୟାସନାଲ ହାଇସ୍ପିଡ୍ ରେଲ କର୍ପୋରେସନ ଲିମିଟେଡ (ଏନଏଚଏସଆରସିଏଲ) ଏହି ସୂଚନା ଦେଇଛି।
ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଭାରତର ପ୍ରଥମ ବୁଲେଟ ଟ୍ରେନ ନାମ ‘ଟ୍ରେନ୍-୧୮’ର ନାଁ ପରିବର୍ତ୍ତନ କରି ‘ବନ୍ଦେ ଭାରତ ଏକ୍ସପ୍ରେସ’ ରଖିବା ନେଇ ଜଣାପଡ଼ିଛି। ଏନଏଚଏସଆରସିଏଲ ଖୁବଶୀଘ୍ର ହାଇସ୍ପିଡ୍ ବୁଲେଟ୍ ଟ୍ରେନ କରିଡର ଲାଗୁ କରିବାକୁ ଯାଉଛି। ଭାରତରେ ୨୦୨୨ ସୁଦ୍ଧା ବୁଲେଟ୍ ଟ୍ରେନ ଦୌଡ଼ିବାର ଲକ୍ଷ୍ୟ ରହିଛି। ଜାପାନର ହାଇସ୍ପିଡ୍ ଟ୍ରେନ ସିକନସେନ ଭଳି ବୁଲେଟ ଟ୍ରେନ ଚାଲୁ କରିବାକୁ ଏନଏଚଏସଆରସିଏଲ ନିଷ୍ପତ୍ତି ନେଇଛି।
ପ୍ରଥମ ଥର ପାଇଁ ଭାରତୀୟ ଟ୍ରେନରେ ଏଭଳି ଫିଚର ଲାଗିବାକୁ ଯାଉଛି। ଏହି ବୁଲେଟ୍ ଟ୍ରେନ ପ୍ରତିଦିନ ଅହମ୍ମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଚାଲିବ। ୫୦୮ କିମି ଦୂର ପାଇଁ ଘଣ୍ଟାପ୍ରତି ୩୨୦ କିମି ବେଗରେ ଗତି କରିବ ଟ୍ରେନ। ଟ୍ରେନ ପ୍ରତିଦିନ ୭୦ ଥର ଯିବା ଆସିବା କରିବା ନେଇ ସୂଚନା ରହିଛି। ଏହି ଟ୍ରେନର ଭଡ଼ା ସାଧାରଣ ଟ୍ରେନର ପ୍ରଥମ ଶ୍ରେଣୀ ଏସି ତୁଳନାରେ ଦେଢ଼ ଗୁଣା ଅଧିକ ହେବ।