ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ସାକାର ହେବାକୁ ଯାଉଛି ବୁଲେଟ୍ ଟ୍ରେନ୍ ସ୍ୱପ୍ନ। ଏଥିପାଇଁ ଜାପାନ ବଢ଼ାଇବା ସହଯୋଗର ହାତ। ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨ ଦିନିଆ ଭାରତ ଗସ୍ତରେ ଆସିବା ପରେ ବୁଲେଟ୍ ଟ୍ରେନ୍ ସ୍ୱପ୍ନ ସାକାର ହେବ ବୋଲି ସ୍ପଷ୍ଟ ହୋଇଛି। ଏଥିପାଇଁ ଗୁରୁବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଗୁଜୁରାଟର ଅହମ୍ମଦାବାଦଠାରେ ବୁଧବାର ଆସି ପହଞ୍ଚିଛନ୍ତି।  ଗୁରୁବାର ବୁଲେଟ୍ ଟ୍ରେନ୍ ଚଳାଚଳ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଏହି ବୁଲେଟ୍ ଟ୍ରେନ୍ ଚଳାଚଳ କରିବ। ୫୦୮ କି.ମି ରେଳ ପ୍ରକଳ୍ପ ପାଇଁ ୧,୧୦,୦୦୦ କୋଟି ବ୍ୟୟବରାଦ ହୋଇଛି। ୨୦୨୨-୨୦୨୩ ସୁଦ୍ଧା ଏହି ରେଳ ପ୍ରକଳ୍ପ କାମ ଶେଷ ହେବ। ଏହି ପ୍ରକଳ୍ପ ପାଇଁ ଜାପାନ ସରକାର ୮୮,୦୦୦ କୋଟି ଋଣ ସୂତ୍ରରେ ଯୋଗାଇ ଦେବେ। ୧ ପ୍ରତିଶତ ସୁଧ ହାରରେ ଭାରତ ଏହାକୁ ୫୦ ବର୍ଷ ମଧ୍ୟରେ ପରିଶୋଧ କରିବ।
ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଏଥର ଗୁଜୁରାଟରେ ହେଉଛି ଜାପାନ-ଭାରତ ଦ୍ୱିପାକ୍ଷିକ ବୈଠକ। ଏଥିପାଇଁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ବୁଧବାର ଅହମ୍ମଦାବାଦରେ ପହଞ୍ଚିଛନ୍ତି। ଅହମ୍ମଦାବାଦ ବିମାନବନ୍ଦରରେ ସିଞ୍ଜୋ ଆବେଙ୍କୁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି। ସିଞ୍ଜୋ ଆବେ ପ୍ରଥମେ ସାବରମତୀ ଆଶ୍ରମକୁ ଯାଇ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଆକି ଆବେ ଏବଂ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ।
ସିଞ୍ଜୋ ଆବେ ଏବଂ ମୋଦି ଯୁଗ୍ମ ରୋଡ ସୋରେ ସାବରମତୀ ଆଶ୍ରମକୁ ଯାଇଥିଲେ। ଏହି ଅବସରରେ ଆବେ ଭାରତୀୟ କୁର୍ତ୍ତା, ପାଇଜାମା ସହ ନେହେରୁ କୋର୍ଟ ପରିଧାନ କରିଥିଲେ। ମୋଦି ଏବଂ ଆବେ ୯ କି.ମି ରୋଡ ସୋରେ ଯାଇଥିଲେ। ଉଭୟଙ୍କୁ ଦେଖିବା ପାଇଁ ରାସ୍ତା ସାରା ଲୋକାରଣ୍ୟ ହୋଇ ଯାଇଥିଲା।
ସାବରମତୀ ଆଶ୍ରମକୁ ଯିବା ରାସ୍ତାରେ ୨୮ଟି ଷ୍ଟେଜ ନିର୍ମାଣ କରାଯାଇଥିଲା। ଏହି ଷ୍ଟେଜରେ ସ୍କୁଲ ଛାତ୍ରଛାତ୍ରୀମାନେ ଭାରତୀୟ ସଂସ୍କୃତିର ଝଲକ ଦେଖାଇ ସିଞ୍ଜୋ ଆବେଙ୍କୁ ସ୍ୱାଗତ କରିଥିଲେ।
ଗୁରୁବାର ହେବାକୁ ଥିବା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଶିଳାନ୍ୟାସ ଉତ୍ସବରେ ୧୦ ହଜାର ଲୋକ ଯୋଗ ଦେବେ। ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି।  ଏହାସହ ଏହି ଦ୍ୱିପାକ୍ଷିକ ବୈଠକରେ ଜାପାନ ଏବଂ ଭାରତ ମଧ୍ୟରେ କିପରି ସୁ-ସମ୍ପର୍କ ବଜାୟ ରହିବ ସେ ନେଇ ଆଲୋଚନା କରାଯିବ।

Tags: Narendra Modi, Shinzo Abe, Gujarat Tour, Sabarmati Ashram, high-speed rail project, Bullet Train, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment