ଓଡ଼ିଶାଲାଇଭ ବ୍ୟୁରୋ
ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି ପ୍ରଧାନ ଶିକ୍ଷକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ କୁଢୁତୁଲି ହାଇସ୍କୁଲରେ। ପ୍ରଧାନ ଶିକ୍ଷକ ଜଣକ ହେଉଛନ୍ତି ଚନ୍ଦ୍ରଶେଖର ମହାରଣା। ତେବେ ଘଟଣାରେ ସାମିଲ ଥିବା ଅନ୍ୟ ଦୁଇଜଣ ସହକାରୀ ଶିକ୍ଷକ ଫେରାର୍ ଅଛନ୍ତି।
ସ୍କୁଲର ଖେଳ ଶିକ୍ଷକ ସୁଶାନ୍ତ ବଳିୟାରସିଂ ଛୁଟିରେ ଥିଲେ। ଛୁଟିରେ ଥିବା ସତ୍ତ୍ୱେ ଉପସ୍ଥାନ ଖାତାରେ ତାଙ୍କର ଦସ୍ତଖତ ହେଉଥିଲା। ଏହାକୁ ଶିକ୍ଷୟିତ୍ରୀ ଜଣକ ବିରୋଧ କରିଥିଲେ। ତା’ପରେ ଏ କଥାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ଖେଳ ଶିକ୍ଷକ ସୁଶାନ୍ତ ବଳିୟାର ସିଂ ତାଙ୍କୁ ଅଫିସ୍କୁ ଡାକି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ସହ ଅସଦାଚରଣ କରିଥିଲେ।
ଏପରିକି ସ୍କୁଲ୍ର ଅନ୍ୟ ଶିକ୍ଷୟିତ୍ରୀଙ୍କ ସହ ମିଳାମିଶା ନ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। ଏପରିକି ଜାତିଗତ ଆକ୍ଷେପ କରିବା ସହ ଘଟଣା ବିଷୟରେ ବାହାରେ ପ୍ରଘଟ କଲେ ଟିକିରି ଇତିଶ୍ରୀ ଘଟଣା ଭଳି ତାଙ୍କ ଅବସ୍ଥା ହେବ ବୋଲି ଧମକ ଦେଇଥିଲେ।
ତେବେ ଏନେଇ ଶିକ୍ଷୟିତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।