ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତା କଟକ ଏସ୍‌ସିବି ମେଡିକାଲରୁ ଡିସ୍‌ଚାର୍ଜ ହେବା ବେଳେ ମେଡିକାଲ ପରିସରରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି।

୮ ଦିନ ପରେ କଟକ ଏସ୍‌ସିବି ମେଡିକାଲରୁ ଘରକୁ ଯାଇଛନ୍ତି କୁନ୍ଦୁଲି ପୀଡ଼ିତା। ପରିବାରବର୍ଗଙ୍କ ଉପସ୍ଥିତିରେ ପୀଡ଼ିତାଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଡିସ୍‌ଚାର୍ଜ କରିଛନ୍ତି। ହେଲେ ଡିସ୍‌ଚାର୍ଜ ବେଳେ ମେଡିକାଲ ପରିସରରେ ଅଭାବନୀୟ ଘଟଣା ଘଟିଥିଲା। ଫଳରେ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା।

ପୀଡ଼ିତା ଯାଉଥିବା ଗାଡ଼ିରେ କେବଳ ତାଙ୍କ ମାଆଙ୍କୁ ଯିବା ପାଇଁ ଅନୁମତି ଦେଇଥିଲା ପ୍ରଶାସନ। ହେଲେ ପରିବାର ବର୍ଗ ଏଥିରେ ରାଜି ହେଲେ ନାହିଁ। ପୀଡ଼ିତାଙ୍କ ମାଆଙ୍କ ସହ ଖୁଡ଼ି ଯିବା ପାଇଁ ପରିବାରବର୍ଗ ଅଡ଼ି ବସିଲେ। ହେଲେ ପ୍ରଶାସନ ଏହି ପ୍ରସ୍ତାକୁ ଗ୍ରହଣ କଲେ ନାହିଁ। ଏହାକୁ ନେଇ ଟଣାଓଟରା ଚାଲିଲା। ଶେଷରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ମେଡିକାଲ ପରିସରରେ ଧାରଣାରେ ବସିଲେ।

ବିଧାୟକ ଧାରଣା ଦେଇଥିବା ଜଣାପଡ଼ିବା ପରେ ମେଡିକାଲ ପରିସରରେ କଂଗ୍ରେସ କର୍ମୀଙ୍କ ଭିଡ଼ ଲାଗିଲା। କଟକ ନଗର କଂଗ୍ରେସ କମିଟି ସଭାପତି ଇଂ ମହମ୍ମଦ ମୋକିମ୍‌ଙ୍କ ସମେତ କଂଗ୍ରେସ ନେତା ସୁରେଶ ମହାପାତ୍ର ମେଡିକାଲରେ ଯାଇ ପହଞ୍ଚିଲେ। ଏହାସହ ସେମାନଙ୍କ ସମର୍ଥକ ମଧ୍ୟ ମେଡିକାଲରେ ଭିଡ ଲଗାଇଲେ। ପୀଡ଼ିତା ଯାଉଥିବା ଗାଡ଼ିରେ ତାଙ୍କ ଖୁଡ଼ିକୁ ଯିବା ଲାଗି ଅନୁମତି ଦେବାକୁ ଦାବି କଲେ।

ଶେଷରେ ପ୍ରଶାସନ ପୀଡ଼ିତାଙ୍କ ସହ ଖୁଡ଼ିକୁ ଯିବାକୁ ଅନୁମତି ଦେଇଥିଲା ଏବଂ ଧାରଣାରେ ବସିଥିବା ବିଧାୟକଙ୍କୁ ବୁଝାସୁଝା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲସ ମୃଦୁ ଲାଠି ଚାଳନା କରିଥିବା ଜଣାପଡ଼ିଛି।

ଗତ ୧୯ ତାରିଖରେ କୁନ୍ଦୁଲି ପୀଡ଼ିତା ଗୁରୁତର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଆଇରନ୍ ବଟିକା ଖାଇ ଦେଇଥିବାରୁ ପୀଡ଼ିତା ଗୁରୁତର ହୋଇଯାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ଏଥିପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରିଥିଲେ।

ମେଡିସିନ୍ ଓ୍ବାର୍ଡରେ ରହି ଚିକିତ୍ସା ହେଉଥିବା ପୀଡ଼ିତାଙ୍କୁ ହଠାତ୍ ମାନସିକ ରୋଗ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଏଥିରେ ପ୍ରତିବାଦ କରିଥିଲେ ପୀଡ଼ିତାଙ୍କ ମାଆ। ପୀଡ଼ିତା ମାନସିକ ରୋଗୀ ନୁହନ୍ତି, ଏଣୁ ତାଙ୍କୁ ମେଡିକାଲରୁ ଛଡ଼ା ଯାଉ ବୋଲି ତାଙ୍କ ମାଆ ଦାବି କରିଥିଲେ। ଶେଷରେ ତାଙ୍କ ମାଆ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୀଡ଼ିତାଙ୍କୁ ଆଜି ଘରକୁ ପଠାଯାଇଛି।

ପୀଡ଼ିତା ଡିସ୍‌ଚାର୍ଜ ହେବା ପରେ ଡାକ୍ତର ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି, “ପୀଡ଼ିତାଙ୍କୁ ଅଧିକ ଚିକିତ୍ସା କରିବା ପାଇଁ ପରିବାର ବର୍ଗ ସୁଯୋଗ ଦେଲେନି। ସେ ଆହୁରି ୧୦ ଦିନ ଅବଜର୍ଭସେନରେ ରହିବାର ଥିଲା। ସେ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି। ହେଲେ ସେ ଶାରିରୀକ ଭାବେ ସୁସ୍ଥ ଅଛନ୍ତି।”

 

LEAVE A REPLY

Please enter your comment!
Please enter your name here