ଭୁବନେଶ୍ୱର, ଓଡ଼ିଶାଲାଇଭ୍‍ ବ୍ୟୁରୋ: ଡିଜିଟାଲ୍‍ ମିଡିଆରେ ତରୁଣ ଓଡ଼ିଆ ଗାୟିକା ବର୍ଣ୍ଣାଳି ହୋତାଙ୍କ କମାଲ୍‍। ସେ ଗାଇଥିବା ତଥା ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‍ ଚ୍ୟାନେଲ୍‌ରେ ପ୍ରସାରିତ ଦେଶାତ୍ମବୋଧ ଗୀତ ‘ଏ ୱତନ୍‍ ତେରେ ଲିଏ’ ଦଶ ଲକ୍ଷ ଭ୍ୟୁଜ୍‍ ଟପିଯାଇଛି। କେବଳ ସେତିକି ନୁହେଁ, ଏହି ଭିଡିଓଟି ଗୋଟିଏ ଦିନରେ ପାଖାପାଖି ଷାଠିଏ ହଜାର ଭ୍ୟୁଜ୍‍ ହାସଲ କରି ଅନ୍‍ଲାଇନ୍‍ ଓ ସୋସିଆଲ୍‍ ମିଡିଆରେ ଓଡ଼ିଆ କଳାକାରଙ୍କ ଲୋକପ୍ରିୟତାର ଏକ ଉଦାହରଣ ସୃଷ୍ଟି କରିଛି।

ଗତ ସାଧାରଣତନ୍ତ୍ର ଦିବସ ପୂର୍ବଦିନ ଅର୍ଥାତ୍‍ ୨୫ ଜାନୁଆରି ୨୦୧୭ରେ ବିଭିନ୍ନ ସୋସିଆଲ୍‍ ମିଡିଆ ଚ୍ୟାନେଲ୍‌ରେ ଦେଶାତ୍ମବୋଧ ବିଷୟ ଉପରେ ଆଧାରିତ ଭିଡିଓର ଏକ ଅଭୂତପୂର୍ବ ଦେଖିବାକୁ ମିଳିଛି। ସେହିଦିନ ବର୍ଣ୍ଣାଳି ଗାଇଥିବା ଏହି ଲୋକପ୍ରିୟ ହିନ୍ଦୀ ଗୀତଟି ଓଡ଼ିଶାଲାଇଭ୍‍ ୟୁଟ୍ୟୁବ୍‍ ଚ୍ୟାନେଲ୍‌ରେ  ୫୬,୧୫୦ ଭ୍ୟୁଜ୍‍ ହାସଲ କରିଛି। ସେହିଦିନ ଓଡ଼ିଶାଲାଇଭ୍‌ର ମୋଟ ଭ୍ୟୁଜ୍‍ ଥିଲା ୯୭,୨୦୪। ସେହିପରି କେବଳ ବର୍ଣ୍ଣାଳିଙ୍କ ଗୀତକୁ ଯେତିକି ସମୟ ଧରି (ୱାଚ୍‌ ଟାଇମ୍‍) ଦର୍ଶକ ଦେଖିଛନ୍ତି, ତା’ର ପରିମାଣ ହେଉଛି ୧ ଲକ୍ଷ ୧୮ ହଜାର ୩୬୫ ମିନିଟ୍‍।

ବର୍ଣ୍ଣାଳିଙ୍କ ଏହି ଗୀତକୁ ସେଦିନ ଭାରତ ଛଡ଼ା ଯେଉଁସବୁ ଦେଶରେ ଦର୍ଶକମାନେ ୟୁଟ୍ୟୁବ୍‍ ଜରିଆରେ ଦେଖିଛନ୍ତି, ତା’ ମଧ୍ୟରେ ରହିଛି ଆମେରିକା, କାନାଡା, ବ୍ରିଟେନ୍‍, ଫ୍ରାନ୍ସ, ପାକିସ୍ତାନ, ବାଂଲାଦେଶ, ନେପାଳ, ସିଂଗାପୁର, ଓମାନ୍‍, ଥାଇଲାଣ୍ଡ, ଇଣ୍ଡୋନେସିଆ, ଜର୍ମାନୀ, ନେଦରଲାଣ୍ଡ, କତାର, ସାଉଦି ଆରବିଆ, କୁଏତ୍‍, ସଂଯୁକ୍ତ ଆରବ ଓ ବାହାରିନ୍‍ ପ୍ରମୁଖ।

ଏହି ଅବସରରେ ବର୍ଣ୍ଣାଳିଙ୍କ ସଫଳତା ପାଇଁ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ୨୦୧୨ ମସିହାରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଦେଶାତ୍ମବୋଧ ସଙ୍ଗୀତର କାର୍ଯ୍ୟକ୍ରମ ’ଭାରତୀୟମ୍‍’ରେ ବର୍ଣ୍ଣାଳି ଏହି ଗୀତଟି ପରିବେଷଣ କରିଥିଲେ। ଭାରତୀୟ କଳା ଓ ସଂସ୍କୃତି ତଥା ବିଭିନ୍ନ ଲୋକପ୍ରିୟ ସାମାଜିକ କାର୍ଯ୍ୟକ୍ରମର ଡିଜିଟାଲ୍‍ ସଂରକ୍ଷଣ ଓ ପ୍ରସାର ଅବସରରେ ଓଡ଼ିଶାଲାଇଭ୍‍ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ରେକର୍ଡ କରାଯାଇ ସର୍ବସାଧାରଣଙ୍କ ପାଇଁ ଉପସ୍ଥାପନ କରାଯାଉଛି।

ଓଡ଼ିଶାର ପ୍ରଥମ ୱେବ୍‍ ଚ୍ୟାନେଲ୍‍ ହିସାବରେ ପ୍ରତିଷ୍ଠିତ ଓଡ଼ିଶାଲାଇଭ୍‍ ପକ୍ଷରୁ ୨୦୧୨ ମସିହାରୁ ବିଭିନ୍ନ ଡିଜିଟାଲ୍‍ ମିଡିଆ କାର୍ଯ୍ୟକ୍ରମ ଜାରି ରହିଛି। ଚ୍ୟାନେଲ୍‍ ପକ୍ଷରୁ କେବଳ ୟୁଟ୍ୟୁବ୍‌‌ରେ ଏ ପର୍ଯ୍ୟନ୍ତ ପ୍ରାୟ ୪୦୦୦ ଭିଡିଓ ପୋଷ୍ଟ କରାଯାଇଛି। ୧୨ ମେ ୨୦୧୭ ସୁଦ୍ଧା ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ୩୫,୨୫୩ ସବ୍‌ସ୍କ୍ରାଇବର୍‌ ଯୋଗାଡ଼ କରିପାରିଥିବା ବେଳେ ଏହାର ମୋଟ୍‌ ଭ୍ୟୁଜ୍‍ ୨ କୋଟି ୧୮ ଲକ୍ଷ ୪୫ ହଜାର ୫୯୦ ଛୁଇଁଛି।

ସେହିପରି ଏହି ଚ୍ୟାନେଲର  ୱାଚ୍‌ ଟାଇମ୍‍ ୪ କୋଟି ୧୬ ଲକ୍ଷ ୧୩ ହଜାର ୬୦୮ ମିନିଟ୍‍ ରହିଛି, ଯାହାକି ୮୯ ବର୍ଷ ୪୪ ଦିନ ସହ ସମାନ। ଆଜି ଆମ ଦେଶରେ ଡିଜିଟାଲ୍‍ ମିଡିଆର ଯେଉଁ ବହୁଳ ପ୍ରସାର ଘଟିଛି, ସେ କ୍ଷେତ୍ରରେ ଓଡ଼ିଶାଲାଇଭ୍‌ର ଏହି ଅନୁଭବ ଆମକୁ ଏକ ନୂଆ ରାସ୍ତା ଦେଖାଇଛି ବୋଲି କହିଛନ୍ତି ଶ୍ରୀ ରଥ।

ୟୁଟ୍ୟୁବ୍‍ ଆନାଲିଟିକ୍ସ ଅନୁଯାୟୀ ଓଡ଼ିଶାଲାଇଭ୍‌ର ମୋଟ୍‍ ଦର୍ଶକଙ୍କ ମଧ୍ୟରୁ ୮୭ ଭାଗ ଭାରତର ହୋ‍ଇଥିବା ବେଳେ ଅନ୍ୟ ୧୩ ଭାଗ ପୃଥିବୀର ବିଭିନ୍ନ ସ୍ଥାନର। ଭାରତ ପରେ ଆମେରିକା, ୟୁଏଇ, ସାଉଦି ଆରବିଆ ଏବଂ କୁଏତ୍‍ ଆଦି ସ୍ଥାନରେ ଅଧିକ ଦର୍ଶକ ଓଡ଼ିଶାଲାଇଭ୍‍ ଚ୍ୟାନେଲ୍‌ର ଭିଡିଓ ନିୟମିତ ଦେଖୁଛନ୍ତି।

ଓଡ଼ିଶାଲାଇଭ୍‌ ଏହାର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ସହିତ ଅନ୍ୟ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ୍‍ ମାଧ୍ୟମରେ ଓଡ଼ିଶା ଉପରେ ଭିଡିଓ ଏବଂ ତଥ୍ୟ ଉପସ୍ଥାପନ କରିଆସୁଛନ୍ତି। ଧୀରେ ଧୀରେ ଏହା ଦେଶର ଏକ ଅଗ୍ରଣୀ ଅନ୍‍ଲାଇନ୍‍ ରିସୋର୍ସ୍‍ ଭାବେ ଗଢିଉଠିଛି ବୋଲି ଏହାର ପ୍ରତିଷ୍ଠାତା ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି।

2 COMMENTS

Comment