ଶ୍ୟାମଲ କିଶୋର

ରେଳଗାଡ଼ି ଓ ବସ୍‌ର ଏହା ହେଉଛି ଏକ ଅଦ୍ଭୁତ ମିଶ୍ରଣ। ରେଳଲାଇନ୍‌ ନାହିଁ, ଚାଳକ ନାହାନ୍ତି, ଗାଡ଼ି ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଚଳାଚଳ କରୁଛି। ଏକା ରାସ୍ତାରେ ପାଖାପାଖି ଯାତାୟାତ କରୁଛି ଚାରିଚକିଆ ଆଉ ଅନ୍ୟ ଯାନବାହନ ସବୁ। ଶୁଣିବାକୁ ଅସମ୍ଭବ ଲାଗିଲେ ବି ଏକଥା ସତ୍ୟ। ଏହି ଅସମ୍ଭବକୁ ସମ୍ଭବ କରିଛି ଚୀନ୍‌ ଦେଶ।

ନିକଟରେ ସେ ଦେଶର ଅଟୋମୋବାଇଲ ଇଞ୍ଜିନିୟରମାନେ ରେଳଗାଡ଼ି ଓ ବସ୍‌କୁ ମିଶାଇ ଏକ ନୂଆ ଯାନ ଆବିଷ୍କାର କରିଛନ୍ତି। ନିର୍ମାଣକାରୀ ସଂସ୍ଥା ଚାଇନିଜ୍ ରେଳ ଟ୍ରାଞ୍ଜିଟ ଫାର୍ମ (ସିଆରଆରସି) ଏହି ଗାଡ଼ିର ନାମ ରଖିଛନ୍ତି ‘ସ୍ମାର୍ଟ ବସ୍’। ଯାତାୟାତ କ୍ଷେତ୍ରରେ ଏହି ଆବିଷ୍କାର ଏକ ନୂଆ ବିପ୍ଳବ ଆଣିବ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ଭୌଗୋଳିକ ଦୃଷ୍ଟିରୁ ରେଳ ଚଳାଚଳ କଠିନ ମନେ ହେଉଥିବା ଜାଗାରେ ଏହି ‘ସ୍ମାର୍ଟ ବସ୍’ ଏକ ବିକଳ୍ପ ଯାନ ହେବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ।

ଏହି ‘ସ୍ମାର୍ଟ ବସ୍’ ଚାଳକ ବ୍ୟତୀତ ପୂର୍ବ ନିର୍ଦ୍ଧାରିତ ରାସ୍ତାରେ ଚଳାଚଳ କରିବାକୁ ସକ୍ଷମ। ରେଳଗାଡ଼ି ଭଳି ଏଥିରେ ରହିଛି ମଡ୍ୟୁଲାର ସିଷ୍ଟମ ଏବଂ ଏକ ବିଶେଷ ଧରଣର ସେନ୍‌ସର, ଯାହା ଏହାକୁ ଏକ ଭର୍ଚୁଆଲ ଟ୍ରାକ୍‌ ଉପର ଦେଇ ଆଗେଇ ନେଇ‍ଯିବ। ଅସଲରେ ଭର୍ଚୁଆଲ ଟ୍ରାକ୍‌ ହେଉଛି ନିର୍ଦ୍ଧାରିତ ରାସ୍ତା ଉପରେ ଅଙ୍କାଯାଇଥିବା ଏକ ରେଖା, ଯେଉଁଥିରେ ମଧ୍ୟ ସେନ୍‌ସର ଲାଗିଥାଏ। ଏହା ଉପର ଦେଇ ‘ସ୍ମାର୍ଟ ବସ୍’ ଚଳାଚଳ କରିଥାଏ।

୩୦ ମିଟର ଦୀର୍ଘ ଏହି ଗାଡ଼ିରେ ଏକାଥରକେ ପାଖାପାଖି ୩୦୦ ଯାତ୍ରୀ ଯାତାୟାତ କରି ପାରିବେ। ଆବଶ୍ୟକ‍ସ୍ଥଳେ ଅଧିକ ଯାତ୍ରୀଙ୍କ ପାଇଁ ଆହୁରି ନୂଆ ବଗି ଯୋଡ଼ି ଦିଆ ଯାଇ ପାରିବ। ଏହି ଗାଡ଼ି ଏଥିରେ ରହିଥିବା ଇଲେକ୍‌ଟ୍ରିକ ବ୍ୟାଟେରୀ ସହାୟତାରେ ଘଣ୍ଟାରେ ପ୍ରାୟ ୭୦ କିଲୋମିଟର ବେଗରେ ଚଳାଚଳ କରିଥାଏ। ଗୋଟାଏ ଚାର୍ଜଡ୍ ବ୍ୟାଟେରୀ ସହାୟତାରେ ଏହା ପ୍ରାୟ ୪୦ କିଲୋମିଟର ରାସ୍ତା ଅତିକ୍ରମ କରିପାରେ।

ଆସନ୍ତା ବର୍ଷ ଆରମ୍ଭରୁ ଏହି ‘ସ୍ମାର୍ଟ ବସ୍’ ସେବା ଚାଲୁ କରିବା ପାଇଁ ଚାଇନିଜ୍ ରେଳ ଟ୍ରାଞ୍ଜିଟ ଫାର୍ମ ଆଉ ଚୀନ୍‌ ସରକାରଙ୍କର ଯୋଜନା ରହିଛି। ଆରମ୍ଭରେ ୨ରୁ ୪ ବଗିର ଏହି ଗାଡ଼ି କେବଳ କମ୍‍ ଦୂରତାର ଯାତ୍ରାପଥ ଅତିକ୍ରମ କରିବ। ‘ସ୍ମାର୍ଟ ବସ୍’ କିମ୍ବା ଚାଳକବିହୀନ ଅଟୋନମସ୍ ରେଳ ରାପିଡ୍ ଟ୍ରାଞ୍ଜିଟ (ଏଆରଟି) ସବ୍‌ୱେ, ମେଟ୍ରୋ ସହର ଭିତରେ ବର୍ତ୍ତମାନ ପ୍ରଚଳିତ ଟ୍ରାମ୍‌ଗାଡ଼ି ଅପେକ୍ଷା ଅଧିକ କାର୍ଯ୍ୟକ୍ଷମ। କାରଣ, ଏଥି‍ପାଇଁ ସେମିତି କିଛି ଅଧିକ ବିନିଯୋଗ ବା ଭିତ୍ତିଭୂମିର ଆବଶ୍ୟକତା ନ ଥାଏ।

ଚୀନ୍‌ ଦେଶର ମଧ୍ୟମ ଓ ଛୋଟ ଆକାରର ସହରଗୁଡ଼ିକରେ ସାର୍ବଜନୀନ ପରିବହନ କ୍ଷେତ୍ରରେ ଏହି ବ୍ୟବସ୍ଥା ଆଗାମୀ ଦିନରେ ଏକ ପ୍ରମୁଖ ଭୂମିକା ନେବ ବୋଲି ସେ ଦେଶର ସରକାର ଆଶା ପ୍ରକାଶ କରୁଛନ୍ତି। ଚାଇନିଜ୍ ରେଳ ଟ୍ରାଞ୍ଜିଟ ଫାର୍ମ ଜଣାଇଛନ୍ତି ଯେ, ରେଳଗାଡ଼ିର ସବ୍‌ୱେ ଲାଇନ ତିଆରି କରିବା ନିମନ୍ତେ ଅନ୍ତତଃ ୧୦ କୋଟି ୨୦ ଲକ୍ଷ ମାର୍କିନ୍ ଡଲାର ଖର୍ଚ୍ଚ ହୋଇଥାଏ। କିନ୍ତୁ, ଏହି ଏଆରଟି ସେବା ଚାଲୁ କରିବା ପାଇଁ ଖର୍ଚ୍ଚ ହେବ ମାତ୍ର ୨୦ ଲକ୍ଷ ମାର୍କିନ୍ ଡଲାର। ଏହାର ସଫଳତା, ସାରା ପୃଥିବୀରେ ସାର୍ବଜନୀନ ପରିବହନ ବ୍ୟବସ୍ଥା କ୍ଷେତ୍ରରେ ଏକ ନୂତନ ବିପ୍ଲବ ଆଣିଦେବ ବୋଲି ଆଶା କରାଯାଉଛି।

1 COMMENT

  1. It will take another 20 years for Bhubaneswar to have something like this because of absence of mindset & lack of interest in new ideas

Comment