ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଆଉ ୫ଟି ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର, ବରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ୫ଟି ଜିଲ୍ଲାକୁ ମିଶାଇ ଏବେ ସୁଦ୍ଧା ରାଜ୍ୟର ମୋଟ ୧୪ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡ଼ିବା ଆରମ୍ଭ ହୋଇଛି।

ସୋମବାର ଲକ୍ଷ୍ମୀ ଯୋଜନାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ୫ଟି ଜିଲ୍ଲାରେ ମୋଟ ୪୨୫ଟି ବସ୍‌ ଚଳାଚଳ ଆରମ୍ଭ ହୋଇଛି। ଏହାଦ୍ଵାରା ଉକ୍ତ ଜିଲ୍ଲାଗୁଡ଼ିକର ୧,୪୫୭ଟି ଗ୍ରାମ ପଞ୍ଚାୟତର ୯୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

“ଓଡ଼ିଶାରେ ତୃଣମୂଳ ସ୍ତରରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏହା ଗ୍ରାମାଞ୍ଚଳର ଅନେକ ଲୋକଙ୍କୁ ଜିଲ୍ଲା ସଦର ମହକୁମା ସହ ଯୋଡ଼ିବାରେ ଉପଯୁକ୍ତ ମାଧ୍ୟମ ପାଲଟିଛି। ଆଗକୁ ରାଜ୍ୟର ସବୁ ଜିଲ୍ଲାରେ ଏହି ସେବା ଆରମ୍ଭ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୋମବାର ବଲାଙ୍ଗିର ଜିଲ୍ଲାରେ ମୋଟ ୫୫ଟି ଲକ୍ଷ୍ମୀ ବସର ଶୁଭାରମ୍ଭ ହୋଇଛି। ଏଥିରେ ୧୧ଟି ଏସି ବସ୍ ସାମିଲ ଅଛି। ଜିଲ୍ଲାର ୩୧୭ଟି ଗ୍ରାମ ପଞ୍ଚାୟତ ଓ ୧୧ଟି ବ୍ଲକ ମଧ୍ୟରେ ଏହିସବୁ ବସ୍ ଚଳାଚଳ କରିବ।

ସେହିପରି ବରଗଡ଼ ଜିଲ୍ଲାରେ ମୋଟ ୨୪୩ଟି ଗ୍ରାମ ପଞ୍ଚାୟତ ଏବଂ ୧୧ଟି ବ୍ଲକ ମଧ୍ୟରେ ସଂଯୋଗ କରି ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି। ଯୋଜନା ଅନ୍ତର୍ଗତ ଜିଲ୍ଲାରେ ମୋଟ ୫୭ଟି ଅଣ-ଏସି ବସ୍ ଓ ୧୧ଟି ଏସି ବସ୍ ଚାଲିବ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ଓ ୩୬୮ଟି ଗ୍ରାମ ପଞ୍ଚାୟତରେ ସୋମବାର ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାରେ ୧୦୪ଟି ଅଣ-ଏସି ବସ୍ ଓ ୨୬ଟି ଏସି ବସ୍ ଚଳାଚଳ କରିବ।

ଏହାସହ ଲକ୍ଷ୍ମୀ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାର ୨୪୦ଟି ଗ୍ରାମ ପଞ୍ଚାୟତ ଓ ୧୭ଟି ବ୍ଲକରେ ବସ୍ ସେବା ଆରମ୍ଭ ହୋଇଛି। ଏଥିରେ ୬୫ଟି ଅଣ-ଏସି ବସ୍ ଓ ୧୬ଟି ଏସି ବସ୍ ଚଳାଚଳ କରିବ। ସେହିପରି କେନ୍ଦୁଝର ଜିଲ୍ଲାର ୨୭୧ଟି ଗ୍ରାମ ପଞ୍ଚାୟତ ଓ ୧୩ଟି ବ୍ଲକରେ ଏହି ବସ୍ ସେବା ଆରମ୍ଭ ହୋଇଛି। ଏଥିରେ ଜିଲ୍ଲାରେ ମୋଟ ୯୧ଟି ବସ୍ ଚାଲିବ। ସେଥି ମଧ୍ୟରେ ୧୩ଟି ଏସି ବସର ବ୍ୟବସ୍ଥା କରାଯାଇଛି।

ଏହିସବୁ ବସର ପରିଚାଳନା କାର୍ଯ୍ୟ ବିଭିନ୍ନ ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି। ଏହାଦ୍ଵାରା ମହିଳା ସଶକ୍ତିକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

Tags: #LACCMIBusService #PublicTransport #RuralArea #Commerce&TransportDept #Odisha

Comment