ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାଜ୍ୟ ସରକାର ଯାତ୍ରୀ ପରିବହନ ପାଇଁ ଆଣିଥିବା ‘ଲକ୍ଷ୍ମୀ’ ଯୋଜନା ଅଧୀନରେ ରାୟଗଡ଼ାକୁ ମିଳିବାକୁ ଯାଉଛି ୯ଟି ବସ୍। ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଏହି ବସଗୁଡ଼ିକ ଜରିଆରେ ସଦର ମହକୁମା ସହ ଯୋଡ଼ାଯିବ। ଅକ୍ଟୋବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ।

ଏହି ବସଗୁଡ଼ିକ ଜିଲ୍ଲାର ଗୁଣୁପୁର, ବିଷମକଟକ, ପଦ୍ମପୁର, ଗୁଡ଼ାରୀ, ମୁନିଗୁଡ଼ା, ଚନ୍ଦ୍ରପୁର, କାଶୀପୁର, କଲ୍ୟାଣସିଂପୁର ଓ କୋଲନରା ବ୍ଲକରୁ ରାୟଗଡ଼ା ସହରକୁ ଚାଲିବ। ଏଥିପାଇଁ ପ୍ରତ୍ୟେକ ବ୍ଲକରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପ୍ରକ୍ରିୟା ଜାରି ରହିଛି।

ଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ସବୁ ବ୍ଲକର ବସଷ୍ଟାଣ୍ଡ ଗୁଡ଼ିକୁ ସ୍ଥାନୀୟ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀଙ୍କ ଦ୍ଵାରା ପରିଚାଳନା କରାଯିବ। ଏହାଦ୍ଵାରା ମହିଳାମାନଙ୍କୁ ଏକ ନୂଆ ଜୀବିକା ମିଳିବ। ଏଥିପାଇଁ ସବୁ ପ୍ରକ୍ରିୟା ସରିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ରାୟଗଡ଼ାରେ ଲକ୍ଷ୍ମୀ ଯୋଜନା ଅଧୀନରେ ୯ଟି ରୁଟରେ ବସ୍ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଜିଲ୍ଲାରେ ଆହୁରି ଅଧିକ ବସ୍ ଚଳାଇବା ପାଇଁ ଯୋଜନା ରହିଛି।

ରାୟଗଡ଼ା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାରେ ଅନେକ ଗ୍ରାମାଞ୍ଚଳର ଲୋକେ ସାଧାରଣ ପରିବହନ ସେବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ଘରୋଇ ବସଗୁଡ଼ିକ ଅଧିକ ଯାତ୍ରୀ ହେଉଥିବା ମାର୍ଗରେ ଚାଲୁଥିବାରୁ ଗ୍ରାମାଞ୍ଚଳର ଯାତ୍ରୀ ଜିଲ୍ଲା ସଦର ମହକୁମାକୁ ସିଧାସଳଖ ଯାତାୟତ କରିବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନୂଆ ବସ୍ ଚଳାଚଳ କଲେ ଲୋକଙ୍କ ଯାତାୟାତ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।

Tags: #Rayagada #NewBusServices #LACCMIScheme #PublicTransport #Odisha

LEAVE A REPLY

Please enter your comment!
Please enter your name here