ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲାଗୁ ହେବାକୁଥିବା ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଶନିବାର ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଡ୍ରାଇଭରମାନେ ବସ୍ ଓ ଟ୍ରକ ଚଳାଚଳ ବନ୍ଦ କରିଛନ୍ତି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇ ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରିଛନ୍ତି। ଏହି ଆଇନକୁ ସଂଶୋଧନ କରାଯାଇ ପୁରୁଣା ହିଟ୍ ଆଣ୍ଡ ରନ ଆଇନକୁ ବଳବତ୍ତର ରଖାଯାଉ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏହାସହ ଡ୍ରାଇଭରମାନଙ୍କ ପୁରୁଣା ଦାବିଗୁଡ଼ିକୁ ମଧ୍ୟ ପୂରଣ କରିବାକୁ ମଧ୍ୟ ମହାସଂଘ ପକ୍ଷରୁ କୁହାଯାଇଛି।    

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କଟକ, ଭୁବନେଶ୍ଵର, ବାଲେଶ୍ଵର, ବ୍ରହ୍ମପୁର ଭଳି ସହରରେ ବସ ଚଳାଚଳ ବନ୍ଦ ହେବାରୁ  ଯାତ୍ରୀମାନେ ବହୁତ ହଇରାଣ ହେଉଛନ୍ତି। ବସକୁ ଅପେକ୍ଷା କରି ଯାତ୍ରୀମାନେ ବିଭିନ୍ନ ବସଷ୍ଟାଣ୍ଡରେ ବସି ରହିଛନ୍ତି। ଅନେକ ଲୋକ ନିଜ ସୁବିଧାରେ ଅନ୍ୟାନ୍ୟ ମାଧ୍ୟମରେ ଯାତ୍ରା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି।

ସେହିପରି ଟ୍ରକ ଚାଲୁନଥିବାରୁ ବଜାରକୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ହୋଇପାରୁ ନାହିଁ। ଏହାସହ ଆନ୍ଦୋଳନ ଯୋଗୁଁ ଡିପୋରୁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ସ୍ଥିତି ସ୍ଵାଭାବିକ ନହେଲେ ଅନେକ ପେଟ୍ରୋଲ ପମ୍ପରେ ତେଲ ସରିଯିବାର ଆଶଙ୍କା କରାଯାଉଛି।

କେନ୍ଦ୍ର ସରକାର ଗତ ଶୀତ ଅଧିବେଶନରେ ଆଇପିସିକୁ ପରିବର୍ତ୍ତନ କରି ଆଣିଥିବା ଭାରତୀୟ ନ୍ୟାୟ ସଂହିତାରେ ନୂଆ ହିଟ୍ ଆଣ୍ଡ ରନ ମାମଲାରେ କଠୋର ଦଣ୍ଡବିଧାନ ରହିଛି। ନୂଆ ନିୟମ ଅନୁସାରେ କୌଣସି ଡ୍ରାଇଭର ଦୁର୍ଘଟଣା ଘଟାଇ ଫେରାର ହେଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଯାଏଁ ଜୋରିମାନା ହେବ। ଏହାପୂର୍ବରୁ ଆଇପିସିର ଧାରା ୩୦୪-ଏ ଅନୁଯାୟୀ ଏହି ଦଣ୍ଡ ୨ ବର୍ଷ ପର୍ଯ୍ୟନ୍ତ ଥିଲା। ଏଥିପାଇଁ ନୂଆ ଆଇନକୁ ସରା ଦେଶର ଡ୍ରାଇଭରମାନେ ବିରୋଧ କରୁଛନ୍ତି।  

Tags: #NewHitandRunLaw #DriversProtest #PublicTransport #OdishaDriverMahasangha #Odisha   

 

Comment