ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦଳୁଛି ସମୟ। ତା’ସହ ତାଳ ଦେଇ ବଦଳିଯାଉଛି ପାଠକଙ୍କ ରୁଚି। ସମୟ ସହ ତାଳ ଦେଇ ଏବଂ ପାଠକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରତିଦିନ ନୂଆ ନୂଆ ଖବରକାଗଜ ପ୍ରକାଶ ପାଉଛି। ଆଉ ପରୁଣା ଖବରକାଗଜଗୁଡିକ ସମୟ ସ୍ରୋତରେ ହଜିଯାଉଛି।

ବର୍ତ୍ତମାନର ପିଢ଼ି ପୁରୁଣା ଖବରକାଗଜ ସହ ଆଉ ଯୋଡି ହୋଇ ରହୁନାହାନ୍ତି। ଯେଉଁମାନେ ଏହି ଖବରବାକଗଜକୁ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କୁ ସଂଗ୍ରହାଳୟ ଉପରେ ନିର୍ଭର କରିବାକୁ ପଡୁଛି। ତେବେ ସଂଗ୍ରହାଳୟରେ ଦେଶବିଦେଶର ବହୁ ପୁରାତନ ଖବରକାଗଜ ସାଇତା ହୋଇ ରହୁ ନ ଥିବାରୁ ଲୋକେ ନିରାଶ ହେଉଛନ୍ତି। ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଏବଂ ପାଠକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମର ଶଶାଙ୍କ ଶେଖର ଦାଶ ନିଜ ଉଦ୍ୟମରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଦୋଳ ଗୋବିନ୍ଦ ନ୍ୟୁଜ୍‍ ପେପର ମ୍ୟୁଜିୟମ୍‍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନାମରେ ଅରଙ୍ଗାବାଦରେ ସଂଗ୍ରହାଳୟ କରି ବହୁ ଖବରକାଗଜପ୍ରେମୀଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି।

ସାମ୍ବାଦିକତା କରୁଥିବା ବେଳେ ହିଁ ଶ୍ରୀ ଦାଶ ଖବରକାଗଜ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଫଳରେ ୨୦୦୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସେହି ଦିନରୁ ଆଜିପର୍ଯ୍ୟନ୍ତ ନିଜ ଉଦ୍ୟମରେ ସେ ୫ ହଜାରରୁ ଊର୍ଦ୍ଧ୍ୱ ସଂଗ୍ରହ କରିପାରିଛନ୍ତି। ଅଲଗା ନାମ ଥାଇ ୩୦୧୮ ଖବରକାଗଜ ତାଙ୍କ ସଂଗ୍ରହାଳୟରେ ସ୍ଥାନ ପାଇଛି। ଏହାସହ ୬୭ଟି ଦେଶର ୫୫ ଭାଷାର ଖବରକାଗଜ ସଂଗ୍ରହ କରିବାରେ ସେ ସଫଳତା ଅର୍ଜନ କରିଛନ୍ତି। ନିଜ ଉଦ୍ୟମରେ ସଂଗ୍ରହ କରିଥିବା ଖବରକାଗଜକୁ ନେଇ ସେ ୬ ଥର ପ୍ରଦର୍ଶନୀ କରିଛନ୍ତି।

ବାରିପଦା ମ୍ୟୁଜିୟମରେ ୨ ଥର ପ୍ରଦର୍ଶନୀ କରିଥିବା ବେଳେ ଢେ଼ଙ୍କାନାଳସ୍ଥିତ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଥରେ, ଭୁବନେଶ୍ୱର ପୁସ୍ତକ ମେଳା, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଏବଂ ହିନ୍ଦୁ ଆଧ୍ୟାତ୍ମିକ ମେଳାରେ ଥରେ ଲେଖାଏଁ ସେ ଖବରକାଗଜ ପ୍ରଦର୍ଶନୀ କରି ସମସ୍ତଙ୍କ ପ୍ରିୟଭାଜନ ହୋଇଛନ୍ତି।

ସଂଗ୍ରହାଳୟରେ ଅଛି କ’ଣ :

ଓଡିଶାର ଅନେକ ଲୋକ ଖବରକାଗଜ ସଂଗ୍ରହ କରୁଛନ୍ତି। ହେଲେ ଶ୍ରୀ ଦାଶ ହେଉଛନ୍ତି ଏମିତି ଜଣେ ଯୁବକ ଯିଏ କି ସବୁବେଳେ ସ୍ୱତନ୍ତ୍ର ସଂଗ୍ରହକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତାଙ୍କ ସଂଗ୍ରହାଳୟରେ ଏମିତି କିଛି ଖବରକାଗଜ ଅଛି ଯାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ତାଙ୍କ ସଂଗ୍ରହାଳୟରେ ‘ଉତ୍କଳ’ ନାମ ଥାଇ ୫୦ରୁ ଊର୍ଦ୍ଧ୍ୱ ଖବରକାଗଜ ରହିଥିବା ବେଳେ ‘ଓଡିଶା’ ନାମ ଥାଇ ୪୦ରୁ ଊର୍ଦ୍ଧ୍ୱ, ‘କଳିଙ୍ଗ’ ନାମଥାଇ ୪୦ରୁ ଊର୍ଦ୍ଧ୍ୱ, ‘ଟାଇମ୍ସ’ ନାମ ଥାଇ ୭୦ରୁ ଊର୍ଦ୍ଧ୍ୱ, ସମାଚାର ନାମ ଥାଇ ୬୦ରୁ ଊର୍ଦ୍ଧ୍ୱ ଖବରକାଗଜ ରହିଛି।

ସେହିପରି ଥାଇ, ଚାଇନିଜ୍‍, ଜାପାନିଜ୍‍, ଏବଂ ଡଚ୍‍ ଭଳି ବିଦେଶୀ ଭାଷାର ଖବରକାଗଜ ରହିଥିବା ବେଳେ ଅଲଚିକି, କୁଡୁମାଲି, ହୋ, ମିଜୋ, ଗାରୋ ଆଦିବାସୀ ଭାଷାର ଖବରକାଗଜ ସାଇତା ହୋଇ ରହିଛି। ସ୍ୱତନ୍ତ୍ର ଖବରକାଗଜ ସଂଗ୍ରହ କରିବାରେ ମଧ୍ୟ ଶ୍ରୀ ଦାଶଙ୍କର ଏକ ସ୍ୱତନ୍ତ୍ରତା ରହିଛି।

ଉତ୍ତରପ୍ରଦେଶର ଚିତ୍ରକୂଟରୁ ବୁନ୍ଦେଲି ଭାଷାରେ ପ୍ରକାଶ ପାଉଥିବା ମହିଳାଙ୍କ ଖବରକାଗଜ ‘ଖବର ଲହରିଆ’, ହିନ୍ଦି ଏବଂ ଇଂରାଜୀ ଭାଷାରେ ଦିଲ୍ଲୀର ଶିଶୁ ଶ୍ରମିକମାନେ ପ୍ରକାଶ କରୁଥିବା ‘ବାଳକନାମା’, ଓଡିଶାର କରଞ୍ଜିଆରୁ ପ୍ରକାଶ ପାଉଥିବା ଶିଶୁ ଖବରକାଗଜ ‘ମୁହାଁମୁହିଁ’, କୋରାପୁଟର ପ୍ରକାଶ ପାଉଥିବା ‘ଅଙ୍କୁରୋଦ୍‍ଗମ୍‍’, ଝାଡଖଣ୍ଡ ଦୁମୁକାରୁ ପ୍ରକାଶ ପାଉଥିବା ହାତଲେଖା ଖବରକାଗଜ ‘ଦିନ୍‍ ଦଲିତ୍‍’, କର୍ଣ୍ଣାଟକ ମହୀଶୂରରୁ ପ୍ରକାଶିତ ପୃଥିବୀର ପ୍ରଥମ ସଂସ୍କୃତ ଦୈନିକ ‘ସୁଧର୍ମା’ ଏବଂ ‘ନ୍ୟୁୟର୍କ ଟାଇମ୍ସ’ ଭଳି ନାମୀଦାମୀ ଖବରକାଗଜ ସଂଗ୍ରହ କରି ଶ୍ରୀ ଦାଶ ସଂଗ୍ରହାଳୟ ଜଗତରେ ରେକର୍ଡ ସୃଷ୍ଟି କରିଛନ୍ତି।

କଟକ ସାଂସଦ ଭର୍ତ୍ତୃହରି ମହତାବ, ଅନୀଲ ଧୀର ଏବଂ ଭିଜିଲାନ୍ସ ଡିଏସ୍‍ପି ଅଜିତ୍‍ ଦାସ ଦେଶ ବିଦେଶର କିଛି ଖବରକାଗଜ ସଂଗ୍ରହରେ ଶଶାଙ୍କବାବୁଙ୍କୁ ସାହାଯ୍ୟ କରିଥିବା ସେ କହିଛନ୍ତି।

ସଂଗ୍ରହରେ ରେକର୍ଡ :

ସ୍ୱତନ୍ତ୍ର ଏବଂ ବିଭିନ୍ନ ଭାଷାର ନୂଆ, ପୁରୁଣା ଖବରକାଗଜ ସଂଗ୍ରହ କରିବାରେ ଶ୍ରୀ ଦାଶ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବାରୁ ବିଭିନ୍ନ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ୨୦୧୨ରେ ସେ ଲିମ୍‍କା ବୁକ୍‍ ଅଫ୍‍ ରେକର୍ଡ ଏବଂ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡ ପାଇଛନ୍ତି। ଆଗାମୀ ଦିନରେ ସେ ଗିନିଜ୍‍ ବୁକ୍‍ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି  ।

(ପ୍ରସ୍ତୁତି : ସରୋଜ)

9 COMMENTS

  1. ଲେଖାଟି ଭଲ ଲାଗିଲା ।ଶଶାଙ୍କ ବାବୁ ଭଲ କାମ କରି ଦେଖାଇଛନ୍ତି ।

Comment