ଓଡ଼ିଶାଲାଇଭ୍ ବ୍ୟୁରୋ
ରତିକାନ୍ତରୁ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପାଲଟିଥିବା ଆମ ସମୟର ଜଣେ କିନ୍ନରଙ୍କ ଜୀବନ ସଂଗ୍ରାମ ଓ ସଫଳତାର କାହାଣୀ
ସ୍କୁଲବେଳେ ପିଟି ସାର୍ କହୁଥିଲେ, “କ୍ଲାସରେ କିଏ କିଏ ମାଇଚିଆ ଅଛ, ଛିଡ଼ା ହୁଅ”।
ପୂର୍ବତନ ଆର୍ମି କର୍ମଚାରୀ ଥିବା ବାପା ବି କହୁଥିଲେ, “ବାଘଘରେ ଗୋଟେ ଛେଳି ଛୁଆ ଜନ୍ମ ହୋଇଛି।“
ପିଉସୀ ପୁଅ କହୁଥିଲା,“ତୋ’ ଭଳି ମାଇଚିଆ ଜୀବନରେ କୌଣସି ଇଣ୍ଟରଭ୍ୟୁ ପାସ୍ କରିପାରିବ ନାହିଁ”।
ଏଠି, ସେଠି, ସବୁଠି ଏତେ ସବୁ ଆକ୍ଷେପର ପ୍ରତିଶବ୍ଦକୁ ସାମ୍ନା କରୁଥିବା ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ଆଜି ଜଣେ ଓଏଫ୍ଏସ୍ ଅଫିସର। କିନ୍ନର ସମାଜ ପାଇଁ ଏକ ନୂଆ ପରିଚୟ।
ରତିକାନ୍ତରୁ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା :
ପିଲାବେଳର ନାଁ ଥିଲା ରତିକାନ୍ତ ପ୍ରଧାନ। ୧୯୮୩ ମସିହା କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକର କନବାଗେରୀ ଗାଁରେ ଜନ୍ମ। ଛୋଟ ବୟସରୁ ହିଁ ତାଙ୍କ ଭିତରେ ଝିଅଙ୍କ ଭଳି ଆଚରଣ ବିକଶିତ ହୋଇଥିଲା। ପୁଅଙ୍କ ଅପେକ୍ଷା ଝିଅଙ୍କ ସହ ସେ ଅଧିକ ମିଶିଯାଉଥିଲେ। ସାନଭଉଣୀର ଡ୍ରେସ୍ ହେଉ କି କସମେଟିକ୍ସ, ତାକୁ ହିଁ ସେ ବ୍ୟବହାର କରୁଥିଲେ। ଏଥିପାଇଁ ସାଙ୍ଗସାଥି ଚିଡ଼ାଉଥିଲେ- ମାଇଚିଆ। ଏହାକୁ ଛାଡ଼ି ମଧ୍ୟ ଅନେକ ଅପମାନର ପ୍ରତିଶବ୍ଦ ସହିବାକୁ ପଡୁଥିଲା ତାଙ୍କୁ। ଏପରିକି ସ୍କୁଲର ପିଇଟି ସାର୍ ବି କହୁଥିଲେ,”କ୍ଲାସରେ କିଏ କିଏ ମାଇଚିଆ ଅଛ, ଛିଡ଼ା ହୁଅ”। ପିଲାମାନେ ତାଙ୍କୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ।
ଐଶ୍ୱର୍ଯ୍ୟା ଜାଣିପାରୁ ନଥିଲେ ତାଙ୍କ ଭିତରେ ଏ ପରିବର୍ତ୍ତନ କ’ଣ ପାଇଁ। କିନ୍ତୁ ଅନ୍ୟମାନଙ୍କର ଆକ୍ଷେପ ତାଙ୍କୁ ଭାରି କଷ୍ଟ ଦେଉଥିଲା। ସେ କାନ୍ଦୁଥିଲେ ନିରବରେ। ସାଙ୍ଗସାଥୀ, ସାର୍ ଏପରିକି ବାପା, ଭାଇ ବି ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ। କେବଳ ମା’ ଓ ସାନ ଭଉଣୀ ତାଙ୍କୁ ସମବେଦନା ଦେଉଥିଲେ। ପିଲାବେଳୁ ଐଶ୍ୱର୍ଯ୍ୟା ମା’ଙ୍କ ସହ ବେଶ୍ ଅନ୍ତରଙ୍ଗ। ତାଙ୍କୁ ବିଭିନ୍ନ କାମରେ ସହାୟତା କରୁଥିଲେ। ମା’ କେବେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିନାହାନ୍ତି।
ସ୍କୁଲ ଓ କଲେଜ ସବୁଠି ସମସ୍ତେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। ପୁଅମାନଙ୍କ ସହ ଐଶ୍ୱର୍ଯ୍ୟା ମିଶିପାରୁନଥିଲେ। ଆଉ ଝିଅମାନେ ତାଙ୍କଠାରୁ ଯଥେଷ୍ଟ ଦୂରତା ରଖୁଥିଲେ। ୨୦୦୩ରେ ଐଶ୍ୱର୍ଯ୍ୟା ଆସିଲେ ବାଣୀବିହାର। ସେଠି ସାଧାରଣ ପ୍ରଶାସନ ବିଷୟରେ ସ୍ନାତକୋତ୍ତର ଶିକ୍ଷା ନେଲେ। ସେ ସମୟରେ ଜଣେ ରୁମ୍ମେଟ୍ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।
ପିଜି ପରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ସେ ଜଣେ ପିଉସୀ ପୁଅଙ୍କ ପାଖରେ ରହିଲେ; କିନ୍ତୁ ସେ ସବୁବେଳେ ତାଙ୍କୁ ମାନସିକ ଭାବେ ଆଘାତ ଦେଉଥିଲେ। କହୁଥିଲେ- ତୋ’ ଭଳି ମାଇଚିଆ ଜୀବନରେ କୌଣସି ଇଣ୍ଟରଭ୍ୟୁ ପାସ୍ କରିପାରିବ ନାହିଁ। ଐଶ୍ୱର୍ଯ୍ୟାଙ୍କୁ ଏସବୁ ବଡ଼ କଷ୍ଟ ଦେଉଥିଲା ସତ; କିନ୍ତୁ ସେ ହାରିନଥିଲେ। ନିଜ ଭିତରେ କମିଟମେଣ୍ଟ କରିଥିଲେ, କିଛି କରିକି ଦେଖେଇବେ। ଆଉ ସେଇ ସଂଘର୍ଷର ପ୍ରଥମ ସଫଳତା ଥିଲା ବ୍ୟାଙ୍କ୍ ନିଯୁକ୍ତି। ସିଣ୍ଡିକେଟ୍ ବ୍ୟାଙ୍କର କ୍ଲରିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୦୯ରେ ସେ ନିଯୁକ୍ତି ପାଇଲେ। ପ୍ରଥମ ପୋଷ୍ଟିଂ ହେଲା ଗଜପତି ଜିଲା ନୂଆଗଡ଼ ଶାଖାରେ। ଏ ନିଯୁକ୍ତି ତାଙ୍କୁ ବେଶ୍ ଖୁସି ଦେଇଥିଲା ଓ ଅନ୍ୟମାନଙ୍କ ପ୍ରତିଶବ୍ଦକୁ ଉଚିତ ଉତ୍ତର। ଐଶ୍ୱର୍ଯ୍ୟାଙ୍କ ପ୍ରତିଷ୍ଠାର ଏହା ଥିଲା ପ୍ରଥମ ପାହାଚ।
ନିଜର ଜନ୍ମଗତ ଗୁଣ ପାଇଁ ସେ କେବେ ବି ଦୁଃଖ କରିନାହାନ୍ତି। ସବୁବେଳେ ଭାବିଛନ୍ତି- ତାଙ୍କ ଜନ୍ମ ପଛରେ ସମ୍ଭବତଃ କିଛି ରହସ୍ୟ ଅଛି, ଯେଉଁଥିପାଇଁ ଭଗବାନ ତାଙ୍କୁ ଏପରି ଗଢ଼ିଲେ। ୨୦୧୪ରେ ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଲେ। ଗଣମାଧ୍ୟମରେ ଯେତେବେଳେ ନିଜକୁ କିନ୍ନର ପରିଚୟ ଦେଇ ଐଶ୍ୱର୍ଯ୍ୟା ସାମ୍ନାକୁ ଆସିଲେ, ବାପାଙ୍କଠାରୁ ପ୍ରଚୁର ଭର୍ତ୍ସନା ଶୁଣିବାକୁ ପଡ଼ିଥିଲା ତାଙ୍କୁ।
ବାପା ଥିଲେ ଆର୍ମିର ଜଣେ ପୂର୍ବତନ କର୍ମଚାରୀ। ଭାରି ଶୃଙ୍ଖଳାବଦ୍ଧ। ଐଶ୍ୱର୍ଯ୍ୟାଙ୍କ ଭିତରେ ସେ ଏଭଳି ଗୁଣ ଦେଖି ଭାରି ରାଗିଯାଉଥିଲେ। ଅନେକ ସମୟରେ କହୁଥିଲେ- “ବାଘଘରେ ଛେଳି ଛୁଆଟେ ଜନ୍ମ ହୋଇଗଲା କେମିତି?” ଟିଭିରେ ଐଶ୍ୱର୍ଯ୍ୟାଙ୍କୁ ଦେଖିବା ପରେ ବାପା କହିଥିଲେ- “ତୁ ଆଉ ମୋ ପିଲା ବୋଲି କାହାକୁ କହିବୁ ନାହିଁ। ନିଜକୁ ଜାରଜ ବୋଲି କହିବୁ”। ବାସ୍ ତା’ ପରଠାରୁ ଆଉ ବାପାଙ୍କ ସହ ତାଙ୍କର ସମ୍ପର୍କ ନାହିଁ।
ଐଶ୍ୱର୍ଯ୍ୟା ଆଇଆଇଏମ୍ସିରୁ ଇଂରାଜୀ ସାମ୍ବାଦିକତାରେ ମଧ୍ୟ ସ୍ନାତକୋତ୍ତର ଶିକ୍ଷା ନେଇଛନ୍ତି। ଗୋଟିଏ ଟିଭି ଚ୍ୟାନେଲରେ ତାଙ୍କୁ ନ୍ୟୁଜ୍ ଆଙ୍କର ଭାବେ ନିଯୁକ୍ତି ମଧ୍ୟ ମିଳିଥିଲା। ତେବେ ସିଭିଲ ସର୍ଭିସ ତାଙ୍କର ଲକ୍ଷ୍ୟ ଥିଲା।
ଆଦିବାସୀ ବର୍ଗର ହୋଇଥିବାରୁ ସ୍କୁଲ, କଲେଜ ବେଳେ ତହସିଲ ଅଫିସ୍କୁ ଜାତିଗତ ପ୍ରମାଣପତ୍ର ଆଣିବା ପାଇଁ ଯିବାବେଳେ ସେ ନିଜ ଆଖିରେ ଦେଖୁଥିଲେ- ଅଫିସରମାନେ କିପରି ଲାଞ୍ଚଖୋର ଓ ଦାୟିତ୍ୱହୀନ। ପ୍ରମାଣପତ୍ର ପାଇଁ କେତେ ଦୌଡ଼ାନ୍ତି। ତେଣୁ ଭବିଷ୍ୟତରେ ଜଣେ ଅଫିସର ହୋଇ ସାଧାରଣ ଲୋକଙ୍କୁ ସରକାରୀ ସେବା ସୁଲଭ କରାଇବାକୁ ଜିଦ୍ ଥିଲା ତାଙ୍କ ଭିତରେ। ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି ଚାଲିଲା। ଜିଦ୍ ଓ ପରିଶ୍ରମ ତାଙ୍କୁ ପରୀକ୍ଷାରେ ସଫଳତା ଆଣିଦେଲା।
୨୦୧୦ରେ ସେ ଓଏଫ୍ଏସ୍ ପାଇଲେ। ତାଙ୍କର ପ୍ରଥମ ପୋଷ୍ଟିଂ ପୁରୀରେ କମର୍ସିଆଲ ଟ୍ୟାକ୍ସ ଅଫିସର ଭାବେ ହେଲା। ପରେ ସେଠାରୁ ବୁର୍ଲାରେ ସବ୍-ଟ୍ରେଜେରୀ ଅଫିସର ଓ ଏବେ ପାରାଦୀପରେ କମର୍ସିଆଲ ଟ୍ୟାକ୍ସ ଅଫିସର କାର୍ଯ୍ୟ କରୁଛନ୍ତି ଐଶ୍ୱର୍ଯ୍ୟା ।
ନିଜକୁ ନେଇ ଭାରି ସନ୍ତୁଷ୍ଟ ଐଶ୍ୱର୍ଯ୍ୟା :
ଐଶ୍ୱର୍ଯ୍ୟା ନିଜକୁ ନେଇ ବେଶ୍ ସନ୍ତୁଷ୍ଟ। ନିଜର ଅନ୍ତଃସ୍ୱରକୁ ଗୁରୁତ୍ୱ ଦିଅନ୍ତି। ସେ ନିଜେ ନିଜର ପ୍ରେରଣା। କିନ୍ନର ସମାଜର ରୋଲ-ମଡେଲ ଥିବା ମାନବାଧିକାର କର୍ମୀ ଲକ୍ଷ୍ମୀନାରାୟଣ ତ୍ରିପାଠୀ, ଓଡ଼ିଶାର ମୀରା ପରିଡ଼ା ଓ ସାଧନା ମିଶ୍ରଙ୍କ ଦ୍ୱାରା ସେ ବେଶ୍ ପ୍ରଭାବିତ ହୋଇଛନ୍ତି।
ସର୍ବସାଧାରଣରେ କିନ୍ନରମାନଙ୍କୁ ଲୋକେ ଏବେ ବି ଏପରି ଘୂରିଘୂରି ଚାହାନ୍ତି, ଯେମିତି ଭିନ୍ନ ଗ୍ରହର ଜୀବଟିଏ ଦେଖିଲେ କି! ସମାଜର ଏଭଳି ମାନସିକତା ବଦଳିବା ଜରୁରୀ ବୋଲି ଐଶ୍ୱର୍ଯ୍ୟା କହନ୍ତି। ସରକାର ମଧ୍ୟ ଏନେଇ କିଛି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରନ୍ତୁ। ସୁପ୍ରିମକୋର୍ଟଙ୍କ ରାୟ କିନ୍ନରଙ୍କ ପ୍ରତି ଆଇନତଃ ପରିବର୍ତ୍ତନ ଆଣିଥାଇପାରେ; କିନ୍ତୁ ସାମାଜିକ ପରିବର୍ତ୍ତନ ବେଶୀ ଜରୁରୀ। ଏହାଛଡ଼ା କିନ୍ନରମାନେ ଶିକ୍ଷିତ ହେଲେ ସେମାନଙ୍କ ଅଧିକାର ଓ ସମ୍ମାନ ପାଇପାରିବେ।
ବିବାହ ଲିଙ୍ଗଗତ ନୁହେଁ, ଦୁଇଟି ଆତ୍ମାର ମିଳନ :
ଯୁକ୍ତତିନି ପଢ଼ିବାବେଳେ ଜଣେ ପୁରୁଷ ସହପାଠୀଙ୍କୁ ସେ ଭଲ ପାଉଥିଲେ। ଯଦିଓ ତାହା ମାତ୍ର ସ୍ୱଳ୍ପ ସମୟ ପାଇଁ ଥିଲା। ଏହାପରେ ଚାକିରି ପାଇ ସହପାଠୀ ଜଣକ ଦୂରକୁ ଚାଲିଯାଇଥିଲେ। କିନ୍ନର ସମାଜରେ ବିବାହକୁ ନେଇ ସେ ସକାରାତ୍ମକ ଦୃଷ୍ଟିରେ ଦେଖନ୍ତି। ତାଙ୍କ ମତରେ ବିବାହ ଲିଙ୍ଗଗତ ନୁହେଁ, ବରଂ ଦୁଇଟି ଆତ୍ମାର ମିଳନ। ଭଲପାଇବା ସହ ବୁଝାମଣା ମୁଖ୍ୟକଥା। ତେଣୁ କିନ୍ନରମାନେ ବିବାହ କରିବାରେ କିଛି ବ୍ୟତିକ୍ରମ ବୋଲି ସେ ଭାବନ୍ତି ନାହିଁ ।
(ପ୍ରସ୍ତୁତି : ସନ୍ତୋଷ)
Ratikant to Rutuparna – The story of Odisha’s first Transgender Civil Servant
The life and success story of Ratikant turned Aishwarya Rutuparna of Odisha will be an example on empowerment of third gender in India. Can also inspire others across nations.
Very motivating and reassuring! Society has to accept the reality and create a respectable space . Appreciate your small step should be an eye opener and a catalyst for their dignity & self esteem.??✅
Everybody should give them respect and accept the reality. They have also the right to live respectfully in this society.
The success of Ratikant will definitely inspire others particularly of third gender.