ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ପୌର ନିର୍ବାଚନରେ କିନ୍ନରମାନଙ୍କ ପାଇଁ ଆସନ ସଂରକ୍ଷଣ ନେଇ ଓଡ଼ିଶା ସରକାରଙ୍କଠାରୁ ଜବାବ ଚାହିଁଛନ୍ତି ହାଇକୋର୍ଟ। ଅଗଷ୍ଟ ୪ ତାରିଖ ସୁଦ୍ଧା ଏହାର ଜବାବ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପୌର ନିର୍ବାଚନରେ କିନ୍ନରଙ୍କ ପାଇଁ ୫ ପ୍ରତିଶତ ଆସନ ସଂରକ୍ଷିତ ରହିବା ଦରକାର ବୋଲି ଏକ ମକଦ୍ଦମା ହାଇକୋର୍ଟରେ ରୁଜୁ କରାଯାଇଥିଲା ଓ ତାହାର ଶୁଣାଣି କରି ହାଇକୋର୍ଟ ଏହି ଜବାବ ମାଗିଛନ୍ତି। କିନ୍ନର ମହାସଂଘର ସଭାପତି ଓ ସମାଜ କର୍ମୀ ମୀରା ପରିଡ଼ାଙ୍କ ପକ୍ଷରୁ ଏହି ଆବେଦନ ଦାଖଲ କରାଯାଇଥିଲା।

ଏପ୍ରିଲ ୩ ତାରିଖରେ ମୀରା ପରିଡାଙ୍କ ଆବେଦନର ପ୍ରାଥମିକ ଶୁଣାଣି କରିବା ପରେ ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ଓଡ଼ିଶା ସରକାର ଶୁଣାଣି ପାଇଁ ଅଧିକ ସମୟ ମାଗିଥିଲେ।

ଓଡ଼ିଶା ସରକାରଙ୍କ ଓକିଲଙ୍କଠାରୁ ଶୁଣିବା ପରେ ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଅଗଷ୍ଟ ୪ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛନ୍ତି।

ଅନୁସୂଚିତ ଜାତି ଓ ଜନଜାତିଙ୍କ ଭଳି ୨୦୦୪ରେ କିନ୍ନରମାନଙ୍କୁ ସଂଖ୍ୟାଲଘୁ ଗୋଷ୍ଠୀ ଭାବ ବିବେଚନା କରି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ। ୨୦୦୯ରେ ଭାରତର ନିର୍ବାଚନ କମିସନ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମର୍ଯ୍ୟାଦା ଦେଇଥିଲେ। ଏହି ପରିପ୍ରେକ୍ଷୀରେ କିନ୍ନରମାନଙ୍କ କ୍ଷେତ୍ରରେ ପୌର ନିର୍ବାଚନରେ ମଧ୍ୟ କାହିଁକି ସଂରକ୍ଷଣ ଆଇନ ଲାଗୁ ହେବ ନାହିଁ ବୋଲି ମୀରାଙ୍କ ପକ୍ଷରୁ ପିଟିସନରେ କୁହାଯାଇଛି।

Comment