ଓଡ଼ିଶାଲାଇଭ୍‌ ବ୍ୟୁରୋ

file photo

‘ଲାଇଟ୍ କ୍ୟାମେରା ଏବଂ ଆକସନ୍’- ଏହି ତିନୋଟିର ଉପଯୁକ୍ତ ସମନ୍ୱୟରେ ପ୍ରସ୍ତୁତ ସିନେମା ଓ ଟେଲିଭିଜନର କାର୍ଯ୍ୟକ୍ରମ ଆମର ମନୋରଞ୍ଜନ କରିବାରେ ସମର୍ଥ ହୋଇଥାଏ। କୌଣସି ସିନେମାରେ କ୍ୟାମେରାମ୍ୟାନ୍‌ର ଭୂମିକା ସମ୍ପର୍କରେ ଆମେ ସମସ୍ତେ ଅବଗତ, ହେଲେ ଅନେକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟରେ ଥିବା ଷ୍ଟେଡିକ୍ୟାମ୍ ଚାଳକର କାର୍ଯ୍ୟ ସମ୍ପର୍କରେ ବୋଧହୁଏ ଅନେକ ଜାଣନ୍ତି ନାହିଁ।

ବଲାଙ୍ଗୀରର ମନୋଜ ମିଶ୍ର ମାୟାପୁରୀ ମୁମ୍ବାଇରେ ଜଣେ ଜଣାଶୁଣା ତଥା ଉଚ୍ଚକୋଟୀର ଷ୍ଟେଡିକ୍ୟାମ୍ ଚାଳକ ଭାବେ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। କ୍ୟାମେରା ଚାଳନାରେ କୌଣସି ଉପଯୁକ୍ତ ଶିକ୍ଷା ଗ୍ରହଣ ନ କରିଥିଲେ ମଧ୍ୟ, ପାଠପଢ଼ା ସରିଲା ପରେ ସେ ମୁମ୍ବାଇକୁ ନିଜର କର୍ମସ୍ଥଳୀ ରୂପେ ସ୍ଥିର କରି ବିଭିନ୍ନ ପ୍ରତିଷ୍ଠିତ କ୍ୟାମେରା ଚାଳକଙ୍କ ପାଖରେ କାମ କରି କରି କର୍ମଦକ୍ଷତା ହାସଲ କରିଛନ୍ତି।

ଗତ ୧୪ ବର୍ଷ ମଧ୍ୟରେ ସେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଦକ୍ଷିଣ ଭରାତୀୟ ସିନେମା, ୭୦ରୁ ଊର୍ଦ୍ଧ୍ୱ ହିନ୍ଦୀ ସିନେମା ଓ ବିଭିନ୍ନ ବିଜ୍ଞାପନରେ କାମ କରିଛନ୍ତି। ଏ ନେଇ ସେ କହନ୍ତି, ‘‘ପ୍ରାୟ ୪୦ କିଲୋଗ୍ରାମ ଓଜନର ଷ୍ଟେଡିକ୍ୟାମ୍‌କୁ କାନ୍ଧରେ ଧରି ଆମକୁ ନିର୍ଦ୍ଦେଶକଙ୍କ ପ୍ରୟୋଜନ ଅନୁଯାୟୀ ଦୃଶ୍ୟ ଉତ୍ତୋଳନ କରିବାକୁ ହୋଇଥାଏ। ପ୍ରତ୍ୟେକ ସିନେମାରେ ଷ୍ଟେଡିକ୍ୟାମ୍‌ ଆବଶ୍ୟକ ପଡ଼ିଥାଏ। କୌଣସି ଉଚ୍ଚନୀଚ୍ଚ ଜାଗା, ଅଥବା ଛୋଟ ଜାଗା ଯେଉଁଠି କ୍ୟାମେରାକୁ ଷ୍ଟାଣ୍ଡ ଉପରେ ରଖି ଗତି କରାଇବା ସମ୍ଭବ ହୁଏ ନାହିଁ, ସେହିସବୁ ଦୃଶ୍ୟ ପାଇଁ ଷ୍ଟେଡ଼ିକ୍ୟାମ୍‌ର ବ୍ୟବହାର ହୋଇଥାଏ।’’

ନିକଟରେ ରିଲିଜ୍ ହୋଇଥିବା ‘ମମ୍’ ସିନେମାରେ ଅକ୍ଷୟ ଖାନ୍ନା ଦୋଷୀକୁ ଘୋଷାରିକି ନେଉଥିବା ସିନ୍ ମନୋଜ ତାଙ୍କ କ୍ୟାମେରାରେ ଉତ୍ତୋଳନ କରିଥିଲେ। ସେହିପରି ଡନ୍-୨, ଦୃଶ୍ୟମ, ଅଗ୍ନିପଥ, ଫାଣ୍ଟମ୍, ଡର୍ଟି ପିକ୍‌ଚର, ରାମ-ଲୀଲା, ରାଉଡି ରାଠୋର, ମୁନ୍ନା ମାଇକେଲ୍, କିକ୍, ହାପି ନ୍ୟୁ ଇଅର, ହାଇୱେ, ଘନଚକ୍କର ଇତ୍ୟାଦି ଅନ୍ୟତମ।

ଅନୁରାଗ କଶ୍ୟପଙ୍କ ସିନେମା ‘ମୁକ୍କାବାଜ’ ଓ ୟଶରାଜ ସିନେମା ‘କଏଦି ବନ୍ଦ’ରେ ମଧ୍ୟ ସେ କାମ କରୁଛନ୍ତି। ‘‘ଫାଇଟ୍ ସିନ୍, ନାଚର ଷ୍ଟେପସ୍, ଦୌଡ଼ୁଥିବା ସିନ୍ ଏପରି ଅନେକ ସିନ୍‌ର ସୁଟିଂ ମୁଁ କରିଛି’’, ଓଡ଼ିଶାଲାଇଭ୍‌ ସହିତ କଥାବାର୍ତ୍ତା ବେଳେ ମନୋଜ ଏହା କହିଛନ୍ତି।

ଓଡ଼ିଆ ସିନେମାରେ ମଧ୍ୟ ଷ୍ଟେଡିକ୍ୟାମ୍‌ର ବ୍ୟବହାର ହୁଏ। ଯଦି ଏଠାକାର ସିନେନିର୍ମାତା ବିଗ୍‌ ବଜେଟ୍‌ର ସିନେମା ଯୋଜନା କରନ୍ତି ସେ ଓଡ଼ିଆ ସିନେମାରେ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here