ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ତୁ ମୋ ଲଭ୍‌ ଷ୍ଟୋରି’ ସିନେମାର ସଫଳତା ପରେ ଭୂମିକା ଦାଶ ଓଡ଼ିଆ ସିନେଇଣ୍ଡଷ୍ଟ୍ରିଜ୍‌ ହିରୋଇନ୍‌ମାନଙ୍କ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ ରଖିବାରେ ସମର୍ଥ ହୋଇଛନ୍ତି। ଏହାର ପ୍ରମାଣ ହେଉଛି ତରଙ୍ଗ ସିନେ ପ୍ରଡକ୍‌ସନ୍‌‌‍ସର ଦଶହରା ସମୟରେ ରିଲିଜ୍‌ ହେବାକୁ ଥିବା ସିନେମା ‘ହିରୋ ନଂ 1’ରେ ହିରୋଇନ୍‌ର ସୁଯୋଗ। ତାଙ୍କର ଖୁସି ଦ୍ୱିଗୁଣିତ ହୋଇଛି ବାବୁସାନ୍‌ଙ୍କ ପାଇଁ। ନିଜ କ୍ୟାରିୟର୍ ଦ୍ୱିତୀୟ ସିନେମାରେ ହିଁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍‌ ବାବୁସାନ୍‌ଙ୍କ ସହ ରୋମାନ୍‌ସ କରିବାର ସୁଯୋଗ ତାଙ୍କୁ ମିଳିଛି।
ଖାଲି ସେତିକି ନୁହେଁ ଏହି ସିନେମାରେ ତାଙ୍କ ଚରିତ୍ର ହିଁ ତାଙ୍କ ଖୁସିର ଅନ୍ୟ ଏକ କାରଣ। ‘‘ମୁଁ ଏହି ସିନେମାରେ ଏକ ସାମ୍ବାଦିକାର ଭୂମିକାରେ ଅଭିନୟ କରୁଛି। ସେଥିପାଇଁ ମତେ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି। ମୁଁ ସାମ୍ବାଦିକତାକୁ ବହୁତ ସମ୍ମାନ ଦିଏ। ତେଣୁ ମୋ ଚରିତ୍ର ପ୍ରତି ମୁଁ ବହୁତ ଧ୍ୟାନ ଦେଇଛି’’, ଓଡ଼ିଶାଲାଇଭ୍‌ ସହ କଥା ହେବା ବେଳେ ଭୂମିକା କହିଛନ୍ତି।
ସ୍କୁଲ୍‌ରେ ଅଲ-ରାଉଣ୍ଡର ଭାବେ ଖ୍ୟାତି ଅର୍ଜନ କରିଥିବା ଭୂମିକା ଜଣେ ଉଚ୍ଚକୋଟୀର ଓଡ଼ିଶୀ ନୃତ୍ୟଶିଳ୍ପୀ। ଓଡ଼ିଶୀ ନୃତ୍ୟରେ ଶିଖିଥିବା ‘ଅଭିନୟ’ ତାଙ୍କୁ ସିନେମାରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବାରେ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି। ‘‘ପ୍ରଥମ ଚଳଚ୍ଚିତ୍ରରେ ମୁଁ ଏକ ସାଧାରଣ ଝିଅର ଭୂମିକାରେ ଅଭିନୟ କରିଥିଲି। କିନ୍ତୁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଲା ବେଳେ ମତେ ବହୁତ କିଛି ଶିଖିବାକୁ ମିଳୁଛି। ସାମ୍ପ୍ରତିକ ଘଟଣା ତଥା ବାଦବିବାଦକୁ କେନ୍ଦ୍ର କରି ଏହି ସିନେମାର କାହାଣୀ ଗତିଶୀଳ ହୋଇଛି’’, କୁହନ୍ତି ଭୂମିକା।
ସାଧାରଣତଃ ବାବୁସାନ୍‌ଙ୍କ ସିନେମାରେ କମେଡି ଥିଲେ ମଧ୍ୟ, ସେ ଏଥିରେ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ସୁଟିଙ୍ଗ୍ ସେଟ୍‌ରେ ବାବୁସାନ୍‌ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ ତଥା ସହଯୋଗ କରୁଛନ୍ତି। ଭୂମିକା ବିଶେଷ ଭାବେ ନିଜ ଚରିତ୍ର ପ୍ରତି ଧ୍ୟାନ ଦେଉଛନ୍ତି।
ଏହି ସିନେମାର ନିର୍ଦ୍ଦେଶନା ତାପସ୍ ସରଘରିଆ ଦେଉଥିବା ବେଳେ ଏହାର ସଙ୍ଗୀତ ସଂଯୋଜନା ଦେଇଛନ୍ତି ଅଭିଜିତ୍ ମଜୁମଦାର। ଏହି ସିନେମା ଦଶହରା ସମୟରେ ମୁକ୍ତିଲାଭ କରିବାକୁ ଯାଉଛି।
Tags: Babushan, Bhoomika, Abhijit Majumdar, Tapas Sargharia, Bhumika Dash, Hero No 1, Tu Mo Lovestory, Ollywood, Odia Movie, OdishaLIVE, Tarang Cine Productions

Comment