ନୀଳାମ୍ବର ରଥ

ଶିଳ୍ପ ନିରାପତ୍ତା ଏବେବି ଏକ ପ୍ରଶ୍ନବାଚୀ। ଏହି ପ୍ରଶ୍ନ ପୃଥିବୀର ବିଭିନ୍ନ କୋଣରେ ଗଢିଉଠିଥିବା ଶିଳ୍ପସଂସ୍ଥା ଓ ସେଠାରେ କାମ କରୁଥିବା କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ସମାନ। ହେଲେ ଏହା ଓଡ଼ିଶା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ‘ନିରାପତ୍ତା’ ବା ସେଫ୍‌ଟି ବୋଧହୁଏ ଆମ ରକ୍ତରେ ନାହିଁ। ଶିଳ୍ପ ସଂଗଠନରେ ଅନେକ ସମୟରେ ଦୁର୍ଘଟଣା ଘଟିପାରେ। କିନ୍ତୁ ପ୍ରଶ୍ନ ଉଠୁଛି କୌଣସି ଦୁର୍ଘଟଣା ଆକସ୍ମିକ ନା ଆମେ ସୁରକ୍ଷା ନିୟମ ପ୍ରତି ଖାତିର କରୁନଥିବାରୁ ଏଭଳି ଘଟୁଛି।

ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଆଦାନୀ କମ୍ପାନି ପରିଚାଳିତ ବନ୍ଦରରେ ଗତ ମଙ୍ଗଳବାର ଦିନ କୋ‍ଇଲା ଭିତରେ ପୋତି ହୋ‍ଇ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଓ ପାଞ୍ଚଜଣ ଆହତ ହେବା ଶିଳ୍ପ ଦୁର୍ଘଟଣାର ଏକ ତାଜା ନମୁନା। ରିପୋର୍ଟ କହୁଛି ଯେ ପ୍ରାୟ ୨୦୦ ଫୁଟ ଉଚ୍ଚରେ ଜମାହୋ‍ଇ ରହିଥିବା କୋ‍ଇଲାଗୁଣ୍ଡ ଉପରେ ପାଲ ଟାଣୁଥିବା ସମୟରେ ଏହି ଶ୍ରମିକମାନେ ସେଠାରୁ ଖସିପଡ଼ି କୋ‍ଇଲାଗଦାରେ ପୋତି ହୋ‍ଇଯାଇଥିଲେ।

ଏହି ଘଟଣାର ତଦନ୍ତ ଭାର ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିଲେ ଜଣାପଡ଼ିବ କିଭଳି ଅବସ୍ଥାରେ ଏହି ଘଟଣା ଘଟିଲା ଏବଂ ସଂପୃକ୍ତ ଶ୍ରମିକମାନଙ୍କ ସୁରକ୍ଷା ନେଇ କିଛି ଖିଲାପି ଥିଲା କି ନାହିଁ। ତେବେ ଗୋଟିଏ କଥା ସ୍ପଷ୍ଟ ଯେ କୋ‌ଉଠି ନା କୋ‌ଉଠି ସୁରକ୍ଷାକୁ ନେଇ ନିଶ୍ଚିତ ରୂପେ ସମସ୍ୟା ରହିଛି। ସେ ସମସ୍ୟା ପାଇଁ ବନ୍ଦର କର୍ତ୍ତୃପକ୍ଷ, ନିଜେ ଶ୍ରମିକମାନେ କିମ୍ବା ଉଭୟ ଦାୟୀ ହୋ‍ଇପାରନ୍ତି।

ବିଭିନ୍ନ ଶିଳ୍ପ, ଶିଳ୍ପକାରଖାନା ବିଶେଷକରି ଭାରି ଶିଳ୍ପ, ନିର୍ମାଣ ଓ ପରିବହନ ଭଳି ଶିଳ୍ପକ୍ଷେତ୍ରରେ ଅଧିକ ଦୁର୍ଘଟଣାର ଆଶଙ୍କା ରହିଥାଏ। ତେଣୁ ଦୁର୍ଘଟଣାକୁ ପାଖାପାଖି ଶୂନ ସ୍ତରରେ ପହଞ୍ଚାଇବା ପାଇଁ କାରଖାନା କର୍ତ୍ତୃପକ୍ଷ ଏବଂ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ କର୍ମଚାରୀ ବା ଶ୍ରମିକଙ୍କର ସମାନ ଦାୟିତ୍ୱ ରହିଛି। କିନ୍ତୁ ଅଧିକାଂଶ ଦୁର୍ଘଟଣା ବେଳେ ଦେଖାଯାଏ ଯେ ଶିଳ୍ପ ସଂଗଠନର ପ୍ରମୋଟରମାନେ ଲୋକଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଇନଥା’ନ୍ତି। ସେହିପରି ଅନେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ସୁରକ୍ଷା ନିୟମ ଏବଂ ସୁରକ୍ଷା ଉପକରଣ ରହିଥିଲେ ମଧ୍ୟ କର୍ମଚାରୀ ବା ଶ୍ରମିକମାନେ ତାହା ବ୍ୟବହାର କରିବାକୁ ନାରାଜ। କାରଣ ଯାହା ହେଉ ପଛେ ଫଳାଫଳ ସମାନ।

ଧାମରା ବନ୍ଦରରେ ଘଟିଥିବା ଘଟଣା ପଛରେ କି କାରଣ ରହିଛି, ତାହା ଭଲଭାବରେ ତଦନ୍ତ ହେବା ଦରକାର ଏବଂ ଯଦି କାରଖାନା କର୍ତ୍ତୃପକ୍ଷ ବା ବ୍ୟବସ୍ଥା ମଧ୍ୟରେ ଥିବା ଅଧିକାରୀମାନଙ୍କ ପାଖରେ ଏ ବାବଦରେ ତ୍ରୁଟି ଥାଏ, ସେମାନଙ୍କୁ ଦଣ୍ଡ ମିଳିବା ଦରକାର।

ମଙ୍ଗଳବାର ଦିନ ଏହି ଘଟଣା ପରେ ପରେ ଧାମରା ବନ୍ଦର ଭିତରେ ଭୀଷଣ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଥିଲା। ଲୋକେ ଉତ୍ତେଜିତ ହୋ‍ଇ ବନ୍ଦରର ବିଭିନ୍ନ କାର୍ଯ୍ୟାଳୟ ଓ ଗାଡ଼ିରେ ନିଆଁ ଲଗାଇଦେବା, ଜିନିଷ ଭଙ୍ଗାରୁଜା କରିବା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାରଧର କରିବା ଭଳି ଘଟଣା ଘଟିଛି। ସବୁଠାରୁ ବଡ଼ କଥା ହେଉଛି ଏହି ପୋଡ଼ାଜଳା ଓ ଆଇନ୍‌ଶୃଙ୍ଖଳା ପରିସ୍ଥିତି ପୋଲିସର ଉପସ୍ଥିତିରେ ଘଟିଛି। ଏହି ଘଟଣାରେ ବନ୍ଦରର ଶ୍ରମିକମାନଙ୍କ ସହିତ ସ୍ଥାନୀୟ କିଛି ଲୋକ ସାମିଲ ହୋ‍ଇଥିବା କୁହାଯାଉଛି।

ଏହି ଲଙ୍କାକାଣ୍ଡ ପରେ ବନ୍ଦର କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ପ୍ରବଳ ଚାପର ସମ୍ମୁଖୀନ ହୋ‍ଇଛନ୍ତି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ପରିବାରର ଜଣଙ୍କୁ ଚାକିରି ଓ ପରିବାରର ସମସ୍ତ ପିଲାଙ୍କୁ ବନ୍ଦରର ପରିସରରେ ଥିବା ସ୍କୁଲରେ ମାଗଣାରେ ପାଠ ପଢିବା ପାଇଁ ଧାମରା ବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବନ୍ଦର ପକ୍ଷରୁ ବହନ କରାଯିବ।

ଗତ କିଛି ବର୍ଷ ତଳେ ଢେଙ୍କାନାଳ ଜିଲ୍ଲାରେ ଥିବା ଭୂଷଣ ଷ୍ଟିଲ୍‍ କାରଖାନାର କମିସନିଂ ବେଳେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ସେତେବେଳେ ସମ୍ପୃକ୍ତ ସେକ୍ସନରେ କାମ କରୁଥିବା ଅନେକ ଶ୍ରମିକ ଓ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ରାଜ୍ୟରେ ଶିଳ୍ପ ଦୁର୍ଘଟଣା ଇତିହାସରେ ଏକ ବଡ଼ ଖବର ଥିଲା। ତେବେ ଏହି ଦୁର୍ଘଟଣା ପରେ ସମ୍ପୃକ୍ତ ଶିଳ୍ପସଂସ୍ଥା, ସେଠାରେ କାମ କରୁଥିବା କର୍ମଚାରୀ ଏବଂ ସ୍ଥାନୀୟ ପ୍ରଶାସନ କ’ଣ ଶିଖିଲେ କି ନ ଶିଖିଲେ, ତାହା ସେମାନଙ୍କୁ ହିଁ ଜଣା। ଗୋଟିଏ ସମୟରେ ପାରାଦ୍ୱୀପରେ ଥିବା ଓସ୍ଓ୍ବଲ୍ ସାର କାରଖାନାରେ ମଧ୍ୟ ଭୟଙ୍କର ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହୋ‍ଇଥିଲା।

ଆମ ଦେଶରେ ସୁରକ୍ଷା ବାବଦରେ ସାଧାରଣତଃ ଆମେ ଢିଲା। ଆଉ ତା’ଠାରୁ ଅଧିକ ଢିଲା ସୁରକ୍ଷା ସରଞ୍ଜାମ ଥାଇ ସେଗୁଡିକୁ ବ୍ୟବହାର ନ କରିବାକୁ ନେଇ। ବିଦେଶରେ ଛୋଟ ଛୋଟ ଶିଳ୍ପରୁ ଆରମ୍ଭ କରି ବୃହତ୍‌ଶିଳ୍ପ ପର୍ଯ୍ୟନ୍ତ ଅଧିକାଂଶ ଶ୍ରମଜନିତ କାମର ପ୍ରାୟ ଅଟୋମେସନ ହୋ‍ଇସାରିଛି। ତା’ଛଡ଼ା ଯେଉଁ କ୍ଷେତ୍ରରେ ଲୋକମାନେ ହାତ ଲଗାଇ କାମ କରୁଛନ୍ତି, ବିଶେଷକରି ଯେଉଁ ସ୍ଥାନଗୁଡ଼ିକ ଜଟିଳ ବା ଦୁର୍ଘଟଣାପ୍ରବଣ ସେଠାରେ କାମ କରୁଥିବା ଶ୍ରମିକ ଓ ଅଧିକାରୀମାନେ ଡ୍ୟୁଟି କଲାବେଳେ ଯେପରି ସୁରକ୍ଷା ନିୟମ ପାଳନ କରନ୍ତି ଏବଂ ସେ ବାବଦରେ ଥିବା ସମସ୍ତ ସୁରକ୍ଷା ସରଞ୍ଜାମ ବ୍ୟବହାର କରନ୍ତି, ସେ ବାବଦରେ ଗୁରୁତ୍ୱ ଦିଆଯାଇଥାଏ। ତା’ ସହିତ ସେଠାରେ ନିୟମିତ ବ୍ୟବଧାନରେ ସେଫ୍‌ଟି ଅଡିଟ୍‍ କରାଯାଉଛି। ଆମ ଦେଶରେ, ବିଶେଷକରି ଆମ ରାଜ୍ୟ ଓଡ଼ିଶାରେ ଏ ଦୃଷ୍ଟିରୁ ଆମେ ଦୁର୍ବଳ।

ଧାମରା ବନ୍ଦର ଘଟଣାରେ ସମସ୍ତଙ୍କର ଶିଖିବାର ଅଛି – ଗ୍ରାଉଣ୍ଡ ୱାର୍କର, ଅଫିସର ଏବଂ ସରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ସମ୍ପାଦକ।)

Tags: Dhamra Port, Dhamra Port Company Limited, DPCL, Nilambar Rath, OdishaLIVE, Safety Audit, Industrial Port, Adani Port, Subrat Tripathy, Bhushan Steel Plant

 

Comment