ଓଡ଼ିଶାଲାଇଭ୍ ବ୍ୟୁରୋ

ଅତି ଭୀଷଣ ବାତ୍ୟା ‘ୟାସ୍‌’ ଓଡ଼ିଶା ଉପକୂଳ ଆଡକୁ ମୁହାଁଇଛି। ବର୍ତ୍ତମାନ ସକାଳ ସାଢ଼େ ୭ଟା ସୁଦ୍ଧା ବାତ୍ୟା ଧାମରାଠାରୁ ୪୦ କିଲୋମିଟର ଦୂରରେ ରହିଛି। ସେହିପରି ବାଲେଶ୍ୱରଠାରୁ ୯୦ କିଲୋମିଟର ଦୂରରେ ବାତ୍ୟା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ବାତ୍ୟା ଘଣ୍ଟାକୁ ୧୫ କିଲୋମିଟର ବେଗରେ ଅଗ୍ରସର ହେଉଛି। ସମୁଦ୍ର ଭିତରେ ଏବେ ୧୩୦ରୁ ୧୫୦ କିଲୋମିଟର ବେଗରେ ପବନ କହୁଛି। ଦିନ ୧୧ଟାରୁ ୧ଟା ଭିତରେ ବାତ୍ୟା ଧାମରାରୁ ବାଲେଶ୍ୱର ଭିତରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ଲାଗି ରହିଛି।  ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ଚାନ୍ଦବାଲି ଏବଂ ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି। ଚାନ୍ଦବାଲିରେ ୨୫୮ ମିଲିମିଟର ଏବଂ ପାରାଦୀପରେ ୧୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ଏବେ ଚାନ୍ଦବାଲିରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହୁଛି। ଦିନ ୧୧ଟାରୁ ୧ଟା ଭିତରେ ଭଦ୍ରକର ବାସୁଦେବପୁର ଏବଂ ବାଲେଶ୍ୱରର ବାହାନାଗା ଭିତରେ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ। ଲ୍ୟାଣ୍ଡଫଲ୍‌ ବେଳେ ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଝଟକା ପବନର ବେଗ ୧୫୦ରୁ ୧୫୫ କିଲୋମିଟର ରହିବ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

Comment