ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଁ ଗୁଲାବୀ ଗ୍ୟାଙ୍ଗ୍‌। କାମ ମହିଳାଙ୍କ ବିରୋଧରେ ଅତ୍ୟାଚାର କରୁଥିବା ଲୋକଙ୍କୁ ଠେଙ୍ଗାରେ ସାବାଡ଼ କରିବା। ଉତ୍ତରପ୍ରଦେଶର ଏହି ମହିଳା ସଂଗଠନ ସେମାନଙ୍କ କାମ ପାଇଁ ବେଶ୍‌ ପରିଚିତ।

ଜଣେ ପତଳା ଓ ଶ୍ୟାମଳ ରଙ୍ଗର ମହିଳା ଯାହାଙ୍କ ବୟସ ୬୫ ପାଖାପାଖି ଓ ଯିଏ ଗୁଲାବୀ ଗ୍ୟାଙ୍ଗ୍‌ ନାମକ ଏକ ସଙ୍ଗଠନ ଚଳାଇଛନ୍ତି- ବାସ୍ ଏତିକି ଶୁଣିବା ପରେ ଯେ କେହି ଚକିତ ହେବା ସ୍ଵାଭାବିକ।

ବୁନ୍ଦେଲଖଣ୍ଡ ଅଞ୍ଚଳରେ ଗଢି ଉଠିଥିଲା ଏହି ଅନୁଷ୍ଠାନ କିଛି ବର୍ଷ ତଳେ। ଏହି ଅଞ୍ଚଳରେ ମହିଳାମାନଙ୍କ ସ୍ଥିତି ଯାହା ସେଥିରେ ନିଜେ କିଛି ସମାଧାନ କରିବା କିମ୍ବା ନିଜ ନିଜର ମତ ପ୍ରକାଶ କରିବା ଥିଲା ଏକ ଅସମ୍ଭବ ବ୍ୟାପାର।

ଏହିଭଳି ପରିସ୍ଥିତିରେ ଏବେ ଉନ୍ନତି ଆସିଛି ଓ ଏହା ସମ୍ଭବ ହୋଇପାରିଛି ସମ୍ପତ ପାଲ ଦେବୀଙ୍କ ପାଇଁ। ଦେବୀ ଜଣେ ମହିଳା ସତ, ହେଲେ ସେ ଯେଉଁଠି ନାରୀଙ୍କ ଉପରେ ଅତ୍ୟାଚାର ଦେଖନ୍ତି ସେଠି ସେ ହାଜର ହୋଇଥା’ନ୍ତି ଓ ଅତ୍ୟାଚାରୀ କବଳରୁ ମହିଳାଙ୍କୁ ରକ୍ଷା କରିଥାନ୍ତି। ଠେଙ୍ଗା ଧରି ପୁରୁଷଙ୍କୁ ସାବାଡ଼ କରିବା ହେଉଛି ଏମାନଙ୍କ କାମ।

ଉତ୍ତରପ୍ରଦେଶ ବନ୍ଦା ଜିଲ୍ଲା ବଦୌସାରେ ସକ୍ରିୟ ଥିବା ଏହି ଅନୁଷ୍ଠାନରେ ୧୬ରୁ ୬୦ ବର୍ଷର ମହିଳା ସଦସ୍ୟ ଅଛନ୍ତି। ଦେବୀ ୧୬ ବର୍ଷ ବୟସରେ ପୁରୁଷଙ୍କ ଅତ୍ୟାଚାରକୁ ଦେଖିଛନ୍ତି ଓ ସେହି ସମୟରୁ ହିଁ ଅନୁଭବ କରିଛନ୍ତି ଯେ ଏହି ଅତ୍ୟାଚାରକୁ ଶେଷ କରିବାକୁ ହେବ। ପଡୋଶୀ ଘରର ଅତ୍ୟାଚାର ଘଟଣାରୁ ଆରମ୍ଭ ହୁଏ ଏକ ଆନ୍ଦୋଳନ, ଯାହା ଆଜି ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।

ଗୁଲାବି ଗ୍ୟାଙ୍ଗ୍‌ ଆରମ୍ଭ ହେବା ପରେ ସେ ଏହି କାମ ନିଜ ହାତକୁ ନେଇଛନ୍ତି। ଆଜି ସଂସ୍ଥାର ସଦସ୍ୟ ସଂଖ୍ୟା ପ୍ରାୟ ଅଢେଇ ଲକ୍ଷ। ଗୁଲାବି– ଏହି ନାଁଟି ଆସିଛି ସେମାନେ ପିନ୍ଧିଥିବା ଶାଢ଼ୀର ରଙ୍ଗରୁ। ସତ କଥା ହେଉଛି ଏହା ଏକ ଗ୍ୟାଙ୍ଗ୍‌ ନୁହେଁ, ବରଂ ଏକ ସଙ୍ଗଠନ ଯାହା ମହିଳାଙ୍କ ପାଇଁ ଲଢିଥାଏ।

ସଂସ୍ଥାର ମହିଳାମାନେ ସବୁବେଳେ ହାତରେ ଠେଙ୍ଗା ଓ ବାଡ଼ି ଧରିଥା’ନ୍ତି କାଳେ କେଉଁଠି ଦରକାର ପଡିବ। ମହିଳାଙ୍କ ପାଇଁ ଗୁଲାବି ଗ୍ୟାଙ୍ଗ୍‌ ଗଠିତ ହୋଇଛି ସତ, ହେଲେ ଯଦି କେଉଁଠି ଅନ୍ୟାୟ ଅତ୍ୟାଚାର ଆଖିରେ ପଡେ ସେଠାରେ ପହଞ୍ଚିଯାଆନ୍ତି ସଦସ୍ୟମାନେ। କେବଳ ନାରୀ ନିର୍ଯ୍ୟାତନା ଓ ସେହିଭଳି ଘଟଣା ନୁହେଁ, ଜମିଜମା ଗଣ୍ଡଗୋଳ, ପଡ଼ୋଶୀ-ପଡୋଶୀଙ୍କ ଭିତରେ ମାରପିଟ, ବିଭିନ୍ନ ସରକାରୀ ସୁବିଧାସୁଯୋଗ ଦିଆଯିବା- ଏସବୁ ସମସ୍ୟାର ସମାଧାନ କରିବା ପାଇଁ ସେମାନେ ଆଗେଇ ଆସିଥା’ନ୍ତି।

ଯୌତୁକ, ଦୁଷ୍କର୍ମ, ଶିଶୁ-ବିବାହ, ଘରୋଇ ହିଂସା, ଶିଶୁଙ୍କ ଅଧିକାର, ଯୌନ ନିର୍ଯାତନା ଏଭଳି କୌଣସି ସମସ୍ୟା ବା ପ୍ରସଙ୍ଗ ନାହିଁ ଯେଉଁଠି ଗୁଲାବି ଗ୍ୟାଙ୍ଗ୍‌ ପହଞ୍ଚି ନାହିଁ କି ଘଟଣାର ସମାଧାନ କରିନାହିଁ।

ଏହିଭଳି ମହତ କାମ ଯୋଗୁଁ ଗୁଲାବି ଗ୍ୟାଙ୍ଗକୁ ଅନେକ ପୁରସ୍କାର ମିଳିଛି। ଏମାନଙ୍କ ଉପରେ ବେଶ୍ କିଛି ଡକ୍ୟୁମେଣ୍ଟ୍ରି ଫିଲ୍ମ ମଧ୍ୟ ରହିଛି। ଗୁଲାବ ଗ୍ୟାଙ୍ଗ’କୁ ନେଇ ଏକ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି। ମାଧୁରୀ ଦୀକ୍ଷିତଙ୍କ ଦ୍ୱାରା ଅଭିନୀତ ଏହି ଫିଲ୍ମକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଛି।
ବିଗତ କେଇ ବର୍ଷ ମଧ୍ୟରେ ଗୁଲାବି ଗ୍ୟାଙ୍ଗର କାର୍ଯ୍ୟକଳାପ ବୃଦ୍ଧି ପାଇବା ସହିତ ବିବାହ ଓ ସମାଜ ସମ୍ପର୍କିତ ଅତ୍ୟାଚାର ବହୁ ସଂଖ୍ୟାରେ ହ୍ରାସ ପାଇଛି। ଗୁଲାବି ଗ୍ୟାଙ୍ଗର ନାମ ଉଲ୍ଲେଖ ହେବା ମାତ୍ରେ ହିଁ ଅତ୍ୟାଚାରୀ ଛତ୍ରଭଙ୍ଗ ଦେଉଥିବା ଲକ୍ଷ୍ୟ କରାଯାଇଛି।

Tags: Gulabi Gang, Madhuri Dixit, Crime Against Women, Women Activists, Gulab Gang, Godfrey Philips Bravery Award

Comment