ଡକ୍ଟର ହରପ୍ରସନ୍ନ ଦାସ

(ତୃତୀୟ ଭାଗ)

ଆମ ଜୀବନରେ ଅନ୍ୟମାନଙ୍କ ସହିତ ସୁଖ, ଶାନ୍ତି ଓ ସଫଳ ଭାବେ ରହିବାକୁ ହେଲେ ସମ୍ବେଦନଶୀଳ ମନୋଭାବ ହିଁ ଏକ ଶକ୍ତିଶାଳୀ ଦକ୍ଷତା। ତେଣୁ ସମ୍ବେଦନଶୀଳ ମନୋଭାବକୁ ସଜାଗ ରଖିବାକୁ ହେଲେ ଯେଉଁ କାର୍ଯ୍ୟରୁ ଦୂରେଇ ରହିବାକୁ ହେବ ତାହା ହେଉଛି:

ଅଭିନୟ ବା ଛଳନା

ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବରେ ସହୃଦୟତା ଆବଶ୍ୟକ। ଅନ୍ୟର କଥା ଶୁଣିବାକୁ, ମନର ଆବେଗକୁ ବୁଝିବାକୁ ମନରେ ପ୍ରକୃତ ଆଗ୍ରହ ଥିବା ଦରକାର। କିନ୍ତୁ ଅଧିକାଂଶ ଲୋକଙ୍କର ଏଥିପ୍ରତି ପ୍ରକୃତ ଆଗ୍ରହ ନଥାଏ। ଗୋଷ୍ଠୀରେ ରହିଥବାରୁ ଅନ୍ୟର କଥା ଅବା ଦୁଃଖ ବିଷୟ ଶୁଣି ସମବେଦନା ଜଣାଇବାଟା ଦରକାର ବୋଲି ବାଧ୍ୟରେ କରିଥାନ୍ତି। ଏଥିରେ ସେମାନଙ୍କର ଆନ୍ତରିକତା ନଥାଏ ଅବା ଆଗ୍ରହ ନଥାଏ। ମୁହଁରେ ହସଟି ବି ପ୍ରକୃତ ହସ ନଥାଏ। ଏହାକୁ କୁହାଯାଏ ଛଳନା ଅବା ଅଭିନୟ।

ଲୋକ ଦେଖାଣିଆ ଭାବରେ ଆହା କହିଦେଲେ ସମ୍ବେଦନଶୀଳତା ହୋଇଯାଏନାହିଁ। ଏବେକାର ସମାଜରେ ଆମେ ସବୁ ଏକ ଯାନ୍ତ୍ରିକ ଜୀବନଯାପନ କରୁଛେ। ଧରାବନ୍ଧା ନିୟମ ପରି ସ୍ନେହ, ଶ୍ରଦ୍ଧା ସମ୍ପର୍କ ବି ଛଳନାପୂର୍ଣ୍ଣ ହେଇଗଲାଣି। ଆମେ ଅଭିନୟ କରି କଥା କହିଲେ ଆମକୁ କେହି ବି ବିଶ୍ୱାସ କରିବ ନାହିଁ। ଆମେ ଅନ୍ୟକୁ ବୋକା ବୋଲି ଭାବିବା ଅନୁଚିତ୍। ଏଣୁ ସମ୍ବେଦନଶୀଳତାରେ କେବେ ଛଳନା ବା ଅଭିନୟ କରିବା ନାହିଁ।

 ଖାଲି କଥାରେ ନୁହେଁ

ସମ୍ବେଦନଶୀଳତା ଖାଲି କଥାରେ ସୀମିତ ହୋଇ ରହିଲେ ଏହା ମୂଲ୍ୟହୀନ ହୋଇ ପଡ଼ିବ। କଥା ଯଦି କାମରେ ପରିଣତ ନହୁଏ ଦୁଃଖ ଆହୁରି ବଢ଼ିଯାଏ। ଅଧିକାଂଶ ଲୋକ କ୍ଷଣିକ ଖୁସି ପାଇଁ ମନଲୋଭା କଥା କହି ଆଶ୍ୱାସନା ଦେଇଥାନ୍ତି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦେଇଥିବା କଥାକୁ ଭୂଲିଯା’ନ୍ତି। କାମରେ କରିବା ତ ଦୂରର କଥା ସେଥିପାଇଁ କୌଣସୀ ଅନୁଶୋଚନା ବି ସେମାନଙ୍କର ନଥାଏ।

ଆମେ ଯାହାକୁ କଥା ଦେଲେ ସେ ଆଶା, ବିଶ୍ୱାସରେ ଅପେକ୍ଷା କରିଥିବ, ଆମେ କେବେ କାମଟି କରିବା। କିନ୍ତୁ ଆମେ ଭୁଲି ଯାଇଥିବା ଆମ କହିଥିବା କଥାକୁ। ଆମେ ଏହା ମଧ୍ୟ ଭୁଲିଯାଉ, ସେହି କଥାଟିକୁ କାମରେ କରି ନଦେଖାଇଲେ ତା ମନରେ ଯେଉଁ ଦୁଃଖ ହେବ, ତାହା ସବୁଦିନ ପାଇଁ ଯନ୍ତ୍ରଣା ଦେବ। ଏଣୁ କେବେବି ଏହିପରି ବ୍ୟବହାର କାହାପ୍ରତି କରିବା ନାହିଁ। ମଣିଷପଣିଆର ଶେଷ ନାହିଁ। ଭାବପ୍ରବଣ ହୋଇ ଅନେକ କଥା କହିବା ସହଜ କିନ୍ତୁ ସଚେତନ ହୋଇପାରିଲେ ଆମେ ତାହା କହିବା ଯାହା କାମରେ କରି ଦେଖାଇପାରିବା। ଏଣୁ କଥା ନୁହେଁ କାମରେ ଧ୍ୟାନ ରଖିବା।

 ପର-ଆପଣାର ଭାବ

ସମ୍ବେଦନଶୀଳତାରେ ବି ପାତରଅନ୍ତର ମନୋଭାବ ଦେଖାଦେଇଥାଏ। ଅଧିକାଂଶ ଲୋକମାନଙ୍କ ମନରେ ପର ଆପଣାର ଭାବ ଥାଏ। ସେମାନେ କେବଳ ନିଜ ପରିବାର ଲୋକ ଯଥା, ଅତି ନିକଟତମ ବନ୍ଧୁବାନ୍ଧବ ଅବା ଅନ୍ତରଙ୍ଗ ସାଙ୍ଗସାଥିମାନଙ୍କ ପାଇଁ ପ୍ରକୃତରେ ସମ୍ବେଦନଶୀଳ ହୋଇଥାନ୍ତି। ଅନ୍ୟମାନଙ୍କ ପାଇଁ କେବଳ ଧରାବନ୍ଧା ନିୟମସ୍ୱରୂପ ସମବେଦନା ଜଣାଇଥାନ୍ତି।

ଏପରି ଏକ ପକ୍ଷପାତିତା ମନୋଭାବ ଦ୍ୱାରା କାହାର ବି ଉପକାର ହୁଏନାହିଁ। ଯେଉଁଠି ଆନ୍ତରିକତା ନାହିଁ ସେଇଠି ସୁସମ୍ପର୍କଟିଏ ବି ରହିପାରେ ନାହିଁ। ଏ ଲୋକଟି ନିଜର, ସେ ମୋ ପାଇଁ ପର, ଏପରି ମନୋଭାବରେ ଉପକାର ବଦଳରେ କ୍ଷତି ଅନେକ ହୋଇଥାଏ।  ଜ୍ଞାନ, ବୁଦ୍ଧି, ଅଭିଜ୍ଞତା ଥାଇ ବି କିଛି ସୁଫଳ ମିଳେ ନାହିଁ। ଏଣୁ ସମ୍ବେଦନଶୀଳ ମନୋଭାବରେ ପର ଆପଣାର ଭାବନା ରଖିଲେ ତାହା ସମ୍ପର୍କକୁ ବିଷାକ୍ତ କରିଦେବ।

 ଅତିରୁ ଇତି

ଅନେକ ସମୟରେ ଆମେ ନିଜକୁ ଅତି ଚାଲାକ୍ ଏବଂ ଅନ୍ୟମାନଙ୍କୁ ବୋକା ବା ମୂର୍ଖ ବୋଲି ଭାବିବାକୁ ପଛାଉ ନାହିଁ। ଆତ୍ମବିଶ୍ୱାସ ଭଲ କିନ୍ତୁ ଅତି ମାତ୍ରାରେ ଆତ୍ମବିଶ୍ୱାସ କ୍ଷତିକାରକ। ଜ୍ଞାନ, ବୁଦ୍ଧି ଅବା ଅଭିଜ୍ଞତା ହାସଲ କରିବା ଜରୁରୀ। କିନ୍ତୁ ନିଜକୁ ଅତି ଜ୍ଞାନୀ ବୋଲି ଭାବିବା ହିଁ ବିନାଶଜନକ। ବେଳେ ବେଳେ ଆମେ ଅନ୍ୟକୁ ଖୁସି କରିବା ପାଇଁ ଅବା ପ୍ରଶଂସା ପାଇବା ପାଇଁ ଅତି ମାତ୍ରାରେ ଭାବପ୍ରବଣ ହୋଇଯାଉ, ଯାହାକି କାର୍ଯ୍ୟରେ କରି ସୁଫଳ ପାଇବା ସମ୍ଭବ ହୋଇପାରେନି।

ଏଣୁ ସବୁବେଳେ ଆମକୁ ଆମର ସୀମା ଭିତରେ ରହିବାକୁ ହେବ। ନିଜକୁ ଅନ୍ୟମାନଙ୍କର ସ୍ଥାନରେ ରଖି ପରିସ୍ଥିତିକୁ ଦେଖି କାମ କରିବାକୁ ହେବ। ସ୍ନେହ, ଶ୍ରଦ୍ଧା, ଭଲପାଇବା, ଆନ୍ତରିକତା ସବୁକିଛି ଆବଶ୍ୟକତା ଅନୁଯାୟୀ ହେବା ଉଚିତ୍। ତେବେ ଅତିରୁ ଇତି କେବେବି ହେବ ନାହିଁ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Tags: Counseling, Dr. Haraprasanna Das, Empathy, Life Coach & Counselor, Positive Attitude, Sambedanashilata, Self Motivation

LEAVE A REPLY

Please enter your comment!
Please enter your name here