ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୬ ନଭେମ୍ବରରେ ବିମୁଦ୍ରାକରଣ ବା ଡିମନିଟାଇଜେସନ୍‌ର ମୂଳ ଲକ୍ଷ୍ୟ ଥିଲା କଳାଧନକୁ ଆୟତ୍ତ କରିବା। ଏହି ପ୍ରସଙ୍ଗରେ ସରକାରଙ୍କ ଫୋକସ୍‌ରେ ଥିଲା ଦେଶରେ ଗଢ଼ି ଉଠିଥିବା ବିଭିନ୍ନ ବେନାମୀ କମ୍ପାନି। ସାରୁ ଖୋଳୁ ଖୋଳୁ ମହାଦେବଙ୍କ ପରି ଏବେ ସରକାରଙ୍କ ନଜର ପହଞ୍ଚିଛି ଦ୍ରୁତ ଗତିରେ ସୃଷ୍ଟି ହେଉଥିବା ଏଲଏଲପି ବା ଲିମିଟେଡ୍ ଲାଏବିଲିଟି ପାର୍ଟନରସିପ୍‌ ଉପରେ।

ସରକାରଙ୍କ ପକ୍ଷରୁ ପ୍ରଥମ ପଦକ୍ଷେପ ହିସାବରେ ନିଷ୍କ୍ରିୟ ହୋଇରହିଥିବା ଏଲଏଲପିଗୁଡ଼ିକୁ ବନ୍ଦ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ସ୍ୱାଧୀନତା ଦିବସ ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଳାଧନ ପ୍ରସଙ୍ଗ ଉଠାଇ କହିଥିଲେ ଯେ ଦେଶରେ ୩ ଲକ୍ଷରୁ ଅଧିକ ବେନାମୀ କମ୍ପାନି ଏବଂ ୧ ଲକ୍ଷ ୭୫ ହଜାରରୁ ଅଧିକ ପଞ୍ଜୀକୃତ ଫାର୍ମକୁ ରଦ୍ଦ କରାଯାଇଛି। ବିଶେଷଜ୍ଞମାନଙ୍କ କହିବା କଥା ଯେ ବେନାମୀ କମ୍ପାନି ପରି କଳାଧନ କାରବାର କରୁଥିବା ଲୋକେ ଏଲଏଲପିର ବ୍ୟବହାର କରି ଟ୍ୟାକ୍ସ ଠକିବା ଏବଂ ବେଆଇନ ଅର୍ଥ କାରବାର ଭଳି କାମ ଜାରି ରଖିଛନ୍ତି।

ଲିମିଟେଡ୍ ଲାଏବିଲିଟି ପାର୍ଟନରସିପ୍ ବା ଏଲଏଲପି କମ୍ପାନି ପରିଚାଳନାର ଏକ ନୂଆ ଢାଞ୍ଚା ବୋଲି କହିଲେ ଭୁଲ୍ ହେବ ନାହିଁ। ଲିମିଟେଡ୍ କମ୍ପାନି ଓ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଭଳି ଏହା ହେଉଛି ଏକ ପଞ୍ଜୀକୃତ କର୍ପୋରେଟ୍ ସଂସ୍ଥା। ହେଲେ ଏଲଏଲପିର ପାର୍ଟନରମାନଙ୍କର ଉତ୍ତରଦାୟିତ୍ୱ ଅନ୍ୟ କମ୍ପାନି ଭଳି ଏତେ କଡ଼ାକଡ଼ି ନୁହେଁ। ଏଥିରେ ଜଣେ ପାର୍ଟନରଙ୍କର ଅବହେଳା କିମ୍ବା ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ଆଉ ଜଣେ ତାଙ୍କୁ ଦାୟୀ କରିପାରିବେ ନାହିଁ।

କମ୍ପାନି ନିୟମ ୨୦୧୩, ଯାହାକି ଏପ୍ରିଲ୍ ୨୦୧୪ଠାରୁ ଲାଗୁ ହୋଇଛି, ଏଥିରେ ବାଣିଜ୍ୟ କାରବାରକୁ ସରଳ ଏବଂ ଲୋକପ୍ରିୟ କରିବା ପାଇଁ ଏଲଏଲପି ବ୍ୟବସ୍ଥା କରାଯାଇଥିଲା। ଏଲଏଲପି କ୍ଷେତ୍ରରେ କର୍ପୋରେଟ୍ ଆଇନ କୋହଳ ହୋଇଥିବାରୁ ଗତ ଦୁଇ ବର୍ଷ ମଧ୍ୟରେ ୬ ହଜାରରୁ ଅଧିକ ପୂର୍ବରୁ ପଞ୍ଜୀକୃତ କମ୍ପାନି ଏଲଏଲପିକୁ ପରିବର୍ତ୍ତିତ ହୋଇଛନ୍ତି। କେବଳ ସେତିକି ନୁହେଁ ବର୍ତ୍ତମାନ ପ୍ରତି ମାସରେ ଦେଶରେ ୨୫ ଶହରୁ ୩ ହଜାର ପର୍ଯ୍ୟନ୍ତ ନୂଆ ଏଲଏଲପି ପଞ୍ଜୀକୃତ ହେଉଥିବା ସୂଚନା ମିଳିଛି। କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟରୁ ଉପଲବ୍ଧ ସୂଚନା ଅନୁଯାୟୀ ୨୦୧୭ ଜୁନ୍ ସୁଦ୍ଧା ଦେଶରେ ପ୍ରାୟ ୯୫ ହଜାର ସକ୍ରିୟ ଏଲଏଲପି ରହିଛି।

ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଏଲଏଲପିରେ ସିଧାସଳଖ ବିଦେଶୀ ପୁଞ୍ଜିନିବେଶ ଏବଂ କୌଣସି ବିଦେଶୀ ବ୍ୟକ୍ତିଙ୍କୁ ପାର୍ଟନର ଭାବେ ନିଯୁକ୍ତି ଉପରେ ନିୟମ କୋହଳ କରିଛନ୍ତି। କିଛି ଦିନ ତଳେ ଆରବିଆଇ ପକ୍ଷରୁ ଆଉ ଏକ ନିୟମରେ କୁହାଯାଇଛି ଯେ ଏଲଏଲପିଗୁଡ଼ିକ ଚାହିଁଲେ ଏକ୍ସଟରନାଲ କମର୍ସିଆଲ୍ ବରୋଇଙ୍ଗ୍ (ଇସିବି) ଜରିଆରେ ବଜାରରୁ ପୁଞ୍ଜି ଉଠାଇପାରିବେ।

ଦେଶରେ ବ୍ୟବସାୟିକ କାରବାରକୁ ସରଳ, ପଞ୍ଜୀକୃତ ଏବଂ ଅଧିକ ସକ୍ରିୟ କରିବା ପାଇଁ କର୍ପୋରେଟ୍ ଆଇନରେ ଏଲଲଏପି ଭଳି ନୂଆ କମ୍ପାନି ପଞ୍ଜୀକରଣ ବ୍ୟବସ୍ଥା ସୃଷ୍ଟି କରାଯାଇଛି। ହେଲେ ଏହି ବ୍ୟବସ୍ଥା ଏବେ ଦେଶରେ କଳାଧନ ଓ ବେଆଇନ ଆର୍ଥିକ କାରବାରର ଏକ ପ୍ରମୁଖ ପେଣ୍ଠ ପାଲଟିଥିବାର ଆଶଙ୍କା ସୃଷ୍ଟି ହେଉଛି।

Tags: Demonetization, Black Money, Narendra Modi, LLP, RBI, ECB, External Commercial Borrowing, Limited Liability Partnership, Corporate Affairs, Ministry of Corporate Affairs

Comment