ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ୫ ଦିନିଆ ରିମାଣ୍ଡ ଅବଧି। ସୋମବାର ଦିନ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ତାଙ୍କୁ ଗତ ଜୁନ ୨୪ ତାରିଖରେ ଗିରଫ କରାଯାଥିଲା। ଜୁନ ୨୭ ତାରିଖରେ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଭାବେ ଚାକିରିରୁ ଅବସର ଦେଇଥିଲେ ରାଜ୍ୟ ସରକାର।

ଆୟଠାରୁ ପ୍ରାୟ ୫୦୦ ପ୍ରତିଶତ ଅଧିକ ସମ୍ପତ୍ତି ପ୍ରଶାନ୍ତ ରାଉତ ଠୁଳ କରିଥିବା ଭିଜିଲାନ୍ସ ଖୋଳତାଡ଼ ସମୟରେ ଜଣାପଡ଼ିଥିଲା। ଏତେ ସମ୍ପତ୍ତି କେଉଁଠୁ ଆସିଲା ଜାଣିବା ପାଇଁ ପ୍ରଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ। ସୋମବାର ଦିନ ରିମାଣ୍ଡ ଅବଧି ଶେଷ ହେବାରୁ ପ୍ରଶାନ୍ତଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହଜାର କରାଯାଇଛି।

କୁବେର ବାବୁ ପ୍ରଶାନ୍ତ ରାଉତଙ୍କ ସମ୍ପତ୍ତି ତାଲିକା ଆହୁରି ଲମ୍ବୁଛି। ଭିଜିଲାନ୍ସ ପ୍ରଶାନ୍ତଙ୍କର ଆଉ ୩ଟି ପ୍ଲଟ ଠାବ କରିଛି। ଏଥିରେ ଭୁବନେଶ୍ୱରରେ ଗୋଟିଏ ଏବଂ ଭଦ୍ରକରେ ଦୁଇଟି ବେନାମୀ ପ୍ଲଟ ରହିଛି। ୬ଟି ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି।

ଗତ ଜୁନ ୨୩ ତାରିଖ, ଶୁକ୍ରବାର ଦିନ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ଵର ଘର, ନବରଙ୍ଗପୁରସ୍ଥିତ ସରକାରୀ ବାସଭବନ ଏବଂ ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ ବିଭାଗ। ଖୋଳତାଡ଼ ବେଳେ ନଗଦ ୩ କୋଟି ୨ ଲକ୍ଷ ଟଙ୍କା, ୫ଟି ବେନାମୀ ଆକାଉଣ୍ଟରେ ମୋଟ ୬୧ ଲକ୍ଷ ଟଙ୍କା, ଭୁବନେଶ୍ଵରରେ କୋଠା, ବିଭିନ୍ନ ସ୍ଥାନରେ ୫ଟି ପ୍ଲଟ, ୨ଟି କାର ଓ ପିଲାଙ୍କ ପାଠପଢ଼ା ବାବଦକୁ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ ହିସାବ ମିଳିଥିଲା।

ସେହି ଦିନ ଭିଜିଲାନ୍ସ ଟିମ୍ ଭୁବନେଶ୍ଵର କାନନ ବିହାର ବାସଭବନ ଗେଟ୍ ନିକଟରେ ଛିଡ଼ା ହୋଇଥିବା ଖବର ପାଇ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ନାୟକ ଟଙ୍କା ଭର୍ତ୍ତି ଥିବା ୬ଟି ପେଟିକୁ ପଡ଼ୋଶୀ ଘର ଛାତ ଉପରକୁ ଫିଙ୍ଗି ଦେଇଥିଲେ। ଛାତ ଉପରେ ଟଙ୍କା ପେଟି ଦେଖି ଉଠାଇ ନେଇଥିଲେ ପଡ଼ୋଶୀ। ପ୍ରଶାନ୍ତଙ୍କ ଘରେ ରେଡ ଚାଲିଥିବାବେଳେ ତାଙ୍କ ପଡ଼ୋଶୀଙ୍କ ଘରେ ପହଞ୍ଚିଥିଲେ ଭିଜିଲାନ୍ସ ଟିମ୍। ପଡ଼ୋଶୀଙ୍କ ଘରୁ ଟଙ୍କା ପେଟି ଜବତ କରାଯାଇଥିଲା।

ଚଢ଼ଉ ଦିନ ନବରଙ୍ଗପୁର ଡିଆରଡିଏ କଲୋନୀର ବାସଭବନରୁ ମଧ୍ୟ ୫୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତ ରାଉତ ଅନେକ ବେନାମୀ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରିଥିବା ଭିଜିଲାନ୍ସ ବିଭାଗ ଜାଣିବା ପରେ ଏହାର ଖୋଳତାଡ଼ ଏବେବି ଚାଲିଛି।

Also Read

ଚାକିରିରୁ ବିଦା ହେଲେ କୋଟିପତି ସରକାରୀ ବାବୁ ପ୍ରଶାନ୍ତ ରାଉତ

ବନ୍ଧା ହେଲେ କୁବେର ସରକାରୀ ବାବୁ ପ୍ରଶାନ୍ତ ରାଉତ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ପୂର୍ବରୁ ୨୦୧୮ ମସିହାରେ ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ି ଥିଲେ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡିଓ ଥିବାବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ି ଥିଲେ। ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା। କିନ୍ତୁ ୨୦୨୦ ମସିହାରେ ତାଙ୍କୁ ପୁନଃ ଥଇଥାନ କରାଯାଇଥିଲା।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ୨୦୧୮ ମସିହାର ମାମଲାରେ ଭିଜିଲାନ୍ସ ଅଧିକାରୀ ପ୍ରଶାନ୍ତଙ୍କ ଘର ସର୍ଚ୍ଚ କରିବା ବେଳେ ତାଙ୍କ ଘରୁ ଅମାପ ସମ୍ପତ୍ତି ଦେଖି ଜଳକା ହୋଇଯାଇଥିଲେ ଭିଜିଲାନ୍ସ ଟିମ୍।

Tags: #VigilanceCourtSundargarh #PrasantRout #BlackMoney #NabarangpuradditionalSubcollector #DisproportionateAssets #Remand

Comment