ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ଦିନ ଗିରଫ ହୋଇଛନ୍ତି ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର (ସିଜିଏମ) ସରୋଜକାନ୍ତ ମହାନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମଙ୍ଗଳବାର ଦିନ ଭୁବନେଶ୍ୱର, କଟକ ଏବଂ ଯାଜପୁର ଜିଲ୍ଲାରେ ଥିବା ସରୋଜକାନ୍ତ ମହାନ୍ତିଙ୍କ ୭ଟି ଠିକଣା ଉପରେ ଚଢ଼ଉ କରାଯାଇଥିଲା।

ଚଢ଼ଉ ବେଳେ ସରୋଜକାନ୍ତଙ୍କର ସମ୍ପତ୍ତି ଦେଖି ଜଳକା ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ। ଚଢ଼ଉ ସମୟରେ ମିଳିଥିବା ସମ୍ପତ୍ତି ସରୋଜକାନ୍ତ ମହାନ୍ତିଙ୍କ ଆୟଠାରୁ ୧୫୦ ପ୍ରତିଶତ ଅଧିକ ରହିଥିବା ଜଣାପଡ଼ିଥିଲା। ପ୍ରାୟ ଅଢ଼େଇ କୋଟି ଟଙ୍କା ଆୟର ହିସାବ ସିଜିଏମ ସରୋଜକାନ୍ତ ମହାନ୍ତି ଦେଇପାରୁ ନାହାନ୍ତି। ଆଜି ଭିଜିଲାନ୍ସ ବିଭାଗ ସରୋଜକାନ୍ତଙ୍କୁ ଗିରଫ କରିଛି।

ଭୁବନେଶ୍ଵର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ସାମିଲ ହୋଇଥିଲେ ୧୦ ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର।

ସରୋଜକାନ୍ତ ମହାନ୍ତିଙ୍କର ଭୁବନେଶ୍ଵର ଶୈଳଶ୍ରୀ ବିହାରରେ ଥିବା ଫ୍ଲାଟ, ବାରଙ୍ଗ ପାଟପୁରରେ ଥିବା ଫ୍ଲାଟ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ରହ୍ମବରଦା ସ୍ଥିତ ପୈତୃକ ଘର, କଟକ ମହାନଦୀ ବିହାରରେ ଥିବା ୩ ମହଲା କୋଠା, ଯାଜପୁର ଜାରକା ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ନୟାପଲ୍ଲୀ ଆଇଆରସି ଭିଲେଜ ଏନ୪ରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ଇଡକୋ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରାଯାଇଥିଲା।  

ଜବତ କୋଠା, କମ୍ପ୍ଲେକ୍ସ, ଆପାର୍ଟମେଣ୍ଟର ମୂଲ୍ୟ ସାଢ଼େ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ଵର ଓ କଟକର ପ୍ରମୁଖ ଅଞ୍ଚଳରେ ୧୦ଟି ପ୍ଲଟ୍‌ ମଧ୍ୟ ଠାବ ହୋଇଛି। ଏଥିରୁ ୭ଟି ପ୍ଲଟ ଦୁଇ ସହରର ପ୍ରମୁଖ ଅଞ୍ଚଳରେ ରହିଛି। ଏହାର ପ୍ରକୃତ ମୂଲ୍ୟ ୩ କୋଟିରୁ ଊର୍ଦ୍ଧ୍ଵ ହେବ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି। ଏହା ବ୍ୟତୀତ ସରୋଜକାନ୍ତ ମହାନ୍ତିଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଏକାଧିକ ଏକାଧିକ ଆକାଉଣ୍ଟ ଓ ଇନସ୍ୟୁରାନ୍ସ ଜମା ଠାବ ହୋଇଛି। ଏଥିରେ ସେଥିରେ ୭୦.୫୫ ଲକ୍ଷରୁ ଅଧିକ ଟଙ୍କା ଜମା ଥିବା ଜଣାପଡ଼ିଛି।

ସରୋଜକାନ୍ତଙ୍କ ଘରୁ ନଗଦ ଟଙ୍କା, ୮୧୭ ଗ୍ରାମର ସୁନାଗହଣା, ସାଢ଼େ ୨୦ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର, ଗୋଟିଏ ୪ ଚକିଆ ଓ ୨ଟି ବାଇକ୍‌ ଠା‌ବ କରାଯାଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବତ୍ତର୍ମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଖୋଳତାଡ଼ ଜାରି ରହିଛି।

Tags: #VigilanceRaid #IDCOChiefGeneralManagerSarojKantaMohanty #odisha #DisproportionateAssets #SarojKantaMohantyArrested

Comment